ମା’ ଭଟ୍ଟାରିକାଙ୍କ ପୀଠର ଉନ୍ନତି ପାଇଁ ବଡମ୍ବା-ନରସିଂହପୁର-ଖଣ୍ଡପଡା ରେଳ ପ୍ରକଳ୍ପ ଖୁବ୍‌ଶୀଘ୍ର: ରେଳମନ୍ତ୍ରୀ

0 66

କଟକ: ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ଓ ଚମ୍ପେଶ୍ୱର ସ୍ଥିତ ଚମ୍ପାନାଥଙ୍କ ପୀଠର ଉନ୍ନତି ସହ ବଡମ୍ବା-ନରସିଂହପୁର- ଖଣ୍ଡପଡା ରେଳ ସଂଯୋଗ ଖୁବ୍‌ ଶୀଘ୍ର ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିବା ବେଳେ ଏହି ଘୋଷଣା କରିଥିଲେ । ସେଦିନ ଅପରାହ୍ନରେ ବଡମ୍ବାରେ ମନ୍ତ୍ରୀ ପହଞ୍ଚିବା ପରେ ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତାଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନୀୟ ଗାନ୍ଧିଛକରେ ସ୍ୱାଗତ କରାଯାଇଥିଲା । ଗାନ୍ଧିଛକସ୍ଥିତ ଜାତିର ଜନକ ମହତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମାଲ୍ୟାର୍ପଣ ପୂର୍ବକ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ପରେ ବିଜେପି ନେତା ସମ୍ବିତ ତ୍ରିପାଠୀଙ୍କ ବଡମ୍ବା କାର୍ଯ୍ୟାଳୟରେ କିଛି ସମୟ କଟାଇବା ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମା’ଭଟ୍ଟାରିକାଙ୍କ ପୀଠକୁ ଯାଇ ଦର୍ଶନ କରିଥିଲେ । ଏହି ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କଟକ ଜିଲ୍ଲାପାଳ ଥିବା ବେଳର ସ୍ମୃତିଚାରଣ କରିବାସହ ଏହି ଶକ୍ତିପୀଠର ଉନ୍ନତି କଳ୍ପେ ୩୦ଲକ୍ଷ ଟଙ୍କାର ସାହାଯ୍ୟ ରାଶି ଘୋଷଣା କରିଥିଲେ । ଆଉ ମଧ୍ୟ ଅଞ୍ଚଳରେ ରେଳ ସଂଯୋଗିକରଣକୁ ନେଇ କ’ଣ ପ୍ରସ୍ତାବ ଅଛି ସାମ୍ବାଦିକମାନେ ମନ୍ତ୍ରୀଙ୍କୁ ପଚାରିବାରେ ସେ କହିଥିଲେ ଯେ, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡିଶାର ବିକାଶ ଲାଗି ପ୍ରତ୍ୟହ ସଂକଳ୍ପ ନେବାକୁ ଆମକୁ କହିଛନ୍ତି ଏବଂ ଏ ଦିଗରେ ରେଳ ବିଭାଗ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଚାଲିଛି । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ବଡମ୍ବା ନରସିଂହପୁର ସହିତ ଖଣ୍ଡପଡାକୁ ଯୋଡାଯାଇ ଏକ ସୁନ୍ଦର ରେଳ ପ୍ରକଳ୍ପ ହୋଇପାରିବ ଏବଂ ଏ ଦିଗରେ ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଥିଲେ । ଏହି ଅବସରରେ ଭଟ୍ଟାରିକା ପାନ୍ଥନିବାସରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଦଳୀୟ କୋର କମିଟିର ସଦସ୍ୟଙ୍କ ଏକ ରୁଦ୍ଧଦ୍ୱାରା ବୈଠକ ହୋଇଥିଲା । ଅଞ୍ଚଳରେ ଦଳୀୟ ସାଂଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ବୈତରଣୀ ପାରହେବା ନେଇ ସଂପୃକ୍ତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିବା ଅନୁମାନ କରାଯାଇଛି । ଏହି ବୈଠକ ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନରସିଂହପୁର ଚମ୍ପେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି,ଲୋକସଭାର ସଂଗଠନ ସମ୍ପାଦକ ସୁକାନ୍ତ ବିଶ୍ୱାଳ, ପ୍ରବକ୍ତା ଦଲିପ ମଲ୍ଲିକ, ପଛୁଆ ବର୍ଗ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ , କଟକ ଜିଲା ସଭାପତି ପ୍ରକାଶଚନ୍ଦ୍ର ବେହେରା, ଜିଲା ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି, ଜିଲା ପ୍ରଭାରୀ ପ୍ରକାଶଚନ୍ଦ୍ର ବଡଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରା, ବିଜେପି ନେତା ସମ୍ବିତ ତ୍ରିପାଠୀ, ବଡମ୍ବା ମଣ୍ଡଳ ସଭାପତି ସନ୍ତୋଷ କୁମାର ବେହେରା, ଆଠଗଡର ବିଜେପି ନେତା ବ୍ରଜେନ୍ଦ୍ର ରାୟ, ସଞ୍ଜୟ କୁମାର ପାଢୀ, ସ୍ଥାନୀୟ ବିଜେପି ନେତା ସୂର୍ଯ୍ୟକିଶୋର ମହାନ୍ତି, ସରୋଜ କୁମାର ବେଉରା, ଚିତ୍ତରଞ୍ଜନ ମିଶ୍ର, ସରୋଜ କୁମାର ରଣାଙ୍କ ସମେତ ବାଙ୍କୀ, ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର ବ୍ଲକର ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ବହୁସଂଖ୍ୟାରେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

17 − 9 =