ଆରମ୍ଭ ହେଲା ନାଟ ମଣ୍ଡପ ମରାମତି କାର୍ଯ୍ୟ

0 89

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପ୍ରର୍ଯ୍ୟାୟରେ ଲୁହାଭାରା କଢ଼ାଯାଇ ଷ୍ଟେଜିଙ୍ଗ ବା ମଞ୍ଚା କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୨୦ଦିନ ମଧ୍ୟରେ କାର୍ଯ୍ୟ ସାରିବାକୁ ଥିବାରୁ ମାର୍ଚ୍ଚ ୧୯ସୁଦ୍ଧା ବିମର ଫାଟ ମରାମତି କରି ଷ୍ଟେନଲେସ ବିମ ଲଗାଯିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଏଏସ୍‌ଆଇ ଅଧିକାରୀ । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ଓ ନୀତି ତ୍ୱରାନ୍ୱିତ କରିବା ପାଇଁ ଆଜି ଭୋର ୩.୪୫ ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ଓ ଦିନ ଗୋଟାଏ ସୁଦ୍ଧା ମଧ୍ୟାହ୍ନ ଧୂପ ଶେଷ କରାଯାଇ ନାଟ ମଣ୍ଡପ ବିମ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ।
ପ୍ରତିଦିନ ଦିନ ଗୋଟାଏରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ନାଟ ମଣ୍ଡପ ଉପରି ଭାଗରେ ୧୦ରୁ ଉର୍ଦ୍ଧ୍ୱ ପକେଟର ମରାମତି କରାଯାଇଥିଲା । ନାଟମଣ୍ଡପ ଓ ଜଗମୋହନ ସଂଯୋଗ ସ୍ଥଳରେ ଯେଉଁ ପାଣି ଗଳୁଥିଲା ତାହାକୁ ସଫା କରି ମରାମତି କରାଯାଇଛି । ସେହିପରି ଗରୁଡ଼ସ୍ତମ୍ଭର ପୂର୍ବ ପଟେ ନାଟମଣ୍ଡପରେ କ୍ୟାପିଟାଲ ବିମର ଫାଟକୁ ଅନୁଧ୍ୟାନ କରାଯାଇଛି, ସେଥିରେ ଷ୍ଟିଲ ବିମ ସୋପର୍ଟ ପାଇଁ ସ୍ୱତନ୍ତ୍ର ଡିଜାଇନ କରାଯାଇଛି । ସିଂହଦ୍ୱାର ଗୁମୁଟରେ ଯେଭଳି ଷ୍ଟିଲ ବିମ ଲଗାଯାଇଛି ସେହି ଆଧାରରେ ନାଟମଣ୍ଡପ ବିମର ମରାମତି କରାଯିବ । ଶ୍ରୀ ମନ୍ଦିର ବୈଷୟିକ କୋରକମିଟି ଓ ଏଏସ୍‌ଆଇ ବୈଷୟିକ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏହି ମରାମତି କାମ କରାଯାଉଛି । ନଭେମ୍ବର ୧୬ରୁ ଆରମ୍ଭ ହୋଇଥିଲା ନାଟମଣ୍ଡପ ମରାମତି ଓ ସଂରକ୍ଷଣ କାର୍ଯ୍ୟ । ତେବେ କାର୍ତ୍ତିକ ମାସ ନୀତି ଓ ଦୈନନ୍ଦିନ ଭକ୍ତଙ୍କ ଭିଡ଼ ଯୋଗୁ ମରାମତି କାର୍ଯ୍ୟରେ ବାଧାସୃଷ୍ଟି ହୋଇଥିଲା । ଶେଷରେ ଏଏସ୍‌ଆଇ ଶ୍ରୀମନ୍ଦିର ପ୍ରଶାସନର ସହଯୋଗ କାମନା କରିବା ପରେ ଛତିଶା ନିଯୋଗ ବୈଠକ ଡକାଯାଇ ନୀତି ସଅଳ ଓ ଦର୍ଶନ ବ୍ୟବସ୍ତା ଶୃଙ୍ଖଳିତ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଥିଲା । ଗତକାଲି ରାତ୍ର ୧.୨୫ ରେ ପହୁଡ଼ କରାଯାଇ ଆଜି ଭୋର ୩.୪୫ ରେ ଦ୍ୱାର ଫିଟାଯାଇ ୪.୨୫ରେ ଭିତର ଶୋଧ, ୪.୩୦ରେ ମଙ୍ଗଳଆଳତୀ, ୪.୩୫ରେ ମଇଲମ, ୪.୫୫ରେ ତଡପ ଲାଗି, ୫.୧୦ରେ ଅବକାଶ ପୂଜା, ୫.୫୦ ରେ ରୋଷହୋମ, ୬.୫୦ରେ ସୂର୍ଯ୍ୟ ପୂଜା, ୭.୦୫ରେ ଦ୍ୱାରପାଳ ପୂଜା, ୭.୩୫ରେ ଗୋପାଳବଲ୍ଳଭ ପୂଜା ଶେଷ ହୋଇ ସକାଳ ୮ଟା ରେ ସକାଳ ଧୂପ ପୂଜା ଶେଷ ହୋଇ ବିଭିନ୍ନ ନୀତିକାନ୍ତି ବଢି ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବ ପରେ ବିମ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ନାଟମଣ୍ଡପ ମରାମତି ଲାଗି ଶ୍ରୀମନ୍ଦିରରେ ନୀତିକାନ୍ତି ସଠିକ ସମୟରେ କରାଯାଇଛି ।ତେବେ ମରାମତି ଆରମ୍ଭ ସମୟରେ ଗରୁଡ଼ ସ୍ତମ୍ଭ ଠାରୁ ବାହାର କାଠ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବେଶ ନିଷେଧ ରହିବ କିନ୍ତୁ ଭକ୍ତମାନେ ସାତ ପାହାଚ, ଗାରଦ, ଘଣ୍ଟି ଦ୍ୱାର ଓ ଜୟ ବିଜୟ ଦ୍ୱାର ଦେଇ ଦର୍ଶନ କରି ପଣ୍ଡା ଦ୍ୱାର ଏବଂ ବେହେରଣ ଦ୍ୱାର ଦେଇ ଭକ୍ତ ପ୍ରସ୍ତାନ କରିବେ । ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଏହିଭଳି ଦର୍ଶନ ବ୍ୟବସ୍ଥା ରହିବା ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

19 − nine =