ନୂଆଣିଆ ଚାଳଘରେ କଟୁଛି ଦେବକୀଙ୍କ ଜୀବନ

0 37

ପୁରୀ: ନୂଆଣିଆ ଚାଳଘର ଉପରେ ପଡ଼ିଛି ଛିଣ୍ଡା ପଲିଥିନ୍‌ । ଘର ଭିତରୁ ଦେଖିଲେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଥିବା ବେଳେ ବର୍ଷାଦିନେ ଘର ଭିତରେ ଜମେ ଆଣ୍ଠୁଏ ପାଣି । ଏ ଘର ହେଉଛି ପୁରୀ ସଦର ବ୍ଲକ କାଶିହରିପୁର ପଞ୍ଚାୟତ ମଙ୍ଗରାଜପୁରର ଦେବକୀ ମହାପାତ୍ରଙ୍କ ଚାଳ ଛପର ଘରର ଅବସ୍ଥା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆବାସ ଯୋଜନାରେ ପ୍ରଥମେ ସେ ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ତାଙ୍କୁ ଏହି ଯୋଜନାରୁ ବାଦ୍‌ ଦିଆଯାଇଛି । ଏଠି ପ୍ରଶ୍ନ ଉଠୁଛି ପୁରୀ ସଦର ବ୍ଲକର କେଉଁ କରିତକର୍ମା ଅଫିସର ତଦନ୍ତ କରି ଗରିବ ଦେବକୀ ମହାପାତ୍ରଙ୍କୁ ଆବାସ ଯୋଜନାରୁ ବାଦ ଦେଲେ । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ସଦର ବ୍ଲକରେ ଆବାସ ଯୋଜନାରେ ଏବେ ମାଳ ମାଳ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । କ୍ଷେତ୍ର କର୍ମଚାରୀଙ୍କୁ ପକେଟ୍‌ ଗୁଞ୍ଜା ନଦେଲେ ଯୋଗ୍ୟ ହିତାଧୀକାରୀ ହୋଇଥିଲେ ବି ସେମାନଙ୍କୁ ପକ୍କାଘର ମିଳିପାରୁନଥିବା ଅଭିଯୋଗ ହୋଇଛି । ଗତ ୨୦୧୯ ପ୍ରଳୟଙ୍କରୀ ଫନି ବାତ୍ୟାରେ ଦେବକୀଙ୍କ ଏହି ଚାଳଛପର ଘରଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା । ମୁଣ୍ଡ ଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ ଦେବକୀ ଏହି ଛୋଟିଆ ଚାଳ ଛପର ଘରଟିଏ ଫନି ବାତ୍ୟା ପରେ କରିଥିଲେ । ଆଶା କରିଥିଲେ ରାଜ୍ୟ ସରକାର ତାଙ୍କୁ ପକ୍କାଘର ଯୋଜନାରେ ଏକ ଘର ଯୋଗାଇଦେବେ । ହେଲେ ଦୁଃଖର ବିଷୟ ପୁରୀ ସଦର ବ୍ଲକର କିଛି ଦୁର୍ନିତୀ ଗ୍ରସ୍ତ କର୍ମଚାରୀଙ୍କ ଯୋଗୁ ଦେବକୀ ପକ୍କାଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ସେପଟେ ଦେବକୀଙ୍କର ଏହି ସମସ୍ୟା ନେଇ ଆମେ ବିଡ଼ିଓଙ୍କ ସହ ଆଲୋଚନା କରିଥିଲୁ । କେଉଁ ପରିସ୍ଥିତିରେ ପକ୍କାଘର ଯୋଜନାରୁ ସେ ବାଦ୍‌ ପଡିଲେ ଓ ଯଦି ସେ ଯୋଗ୍ୟ ହିତାଧୀକାରୀ ହୋଇଥିବେ ତେବେ ତାଙ୍କୁ ନିଶ୍ଚିତ ଭାବେ ଆବାସ ପକ୍କାଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସଦର ବ୍ଲକ ବିଡିଓ ସମ୍ବିତ ଶତପଥି ।ପୁରୀ ସଦର ବ୍ଲକରେ ହାତ ଗୁଞ୍ଜା ନଦେଲେ ଆବାସ ପକ୍କାଘର ମିଳୁନଥିବା ଅଭିଯୋଗ ବଢିବାରେ ଲାଗିଚି । ତେବେ ଯୋଗ୍ୟ ହିତାଧୀକାରୀ ଦେବକୀଙ୍କୁ କେବେ ପକ୍କାଘର ପ୍ରଦାନ କରାଯାଉଚି ତାକୁ ଏବେ ଅପେକ୍ଷା ।

hiranchal ad1
Leave A Reply

Your email address will not be published.

four − 1 =