ପକ୍ଷୀ ଶିକାରୀକୁ ଗିରଫ କଲା ବନ ବିଭାଗ

0 62

ପୁରୀ:ଚିଲିକା ସାତପଡ଼ାରେ ପକ୍ଷୀ ଶିକାର କରୁଥିବା ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଏଥି ସହିତ ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ ବିଭାଗ । ପୁରୀ ବ୍ରହ୍ମଗିରି ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଦୁଇ ଜଣ ଫରେଷ୍ଟର, ୪ ଜଣ ପକ୍ଷୀ ସୁରକ୍ଷା କର୍ମୀଙ୍କ ସହିତ ସାହାଣୀକେରା ଅଞ୍ଚଳରେ ଚଢାଉ କରାଯାଇଥିଲା । ସାହାଣୀକେରା ଗାଁର ପବିତ୍ର ପ୍ରଧାନ ପକ୍ଷୀ ଶିକାର କରି ଏକ ବ୍ୟାଗରେ ନେଇ ଆସୁଥିବା ବେଳେ ବନବିଭାଗର ଟିମ୍‌ ତାକୁ ଧରିଥିଲା । ପବିତ୍ରଠାରୁ କମନ ଟିଲ୍‌ ପ୍ରଜାତିର ବିଦେଶୀ ପକ୍ଷୀର ଶବକୁ ବନବିଭାଗ ଜବତ କରିଛି ।
ଜବତ ପକ୍ଷୀକୁ ବ୍ରହ୍ମଗିରି ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବା ପରେ ରେଞ୍ଜ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି । ଏନେଇ ବନବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଜବତ ହୋଇଥିବା ବିଦେଶୀ ଅତିଥି ପକ୍ଷୀ ଶୀତ ଦିନେ ଜାପାନରୁ ଚିଲିକାକୁ ଆସିଥାନ୍ତି । ବନବିଭାଗ କିଛି ଦିନ ପୂର୍ବେ ସ୍ଥାନୀୟ ଘଟକୁଡିରେ ଚଢାଉ କରି ୧୪ଟି ବିଦେଶୀ ପକ୍ଷୀ ଶବ ଜବତ କରିବା ସହ ଜଣେ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ୪ ଜଣ ଶିକାରୀ ବନବିଭାଗ ଆଖିରେ ଧୂଳି ଦେଇ ଫେରାର ହେବାରେ
ସକ୍ଷମ ହୋଇଥିଲେ । ବନ ବିଭାଗ କଡା ପାଟ୍ରୋଲିଙ୍ଗ କରୁଥିବା କହୁଥିବା ବେଳେ କିଭଳି ଚିଲିକାରେ ପକ୍ଷୀ ଶିକାରୀ ବେଧଡକ ଭାବେ ପକ୍ଷୀ ଶୀକାର କରୁଛନ୍ତି ସେ ନେଇ ପ୍ରଶ୍ନ ଉଠୁଚି । ବନ ବିଭାଗର ଅବହେଳାକୁ ନେଇ ପକ୍ଷୀ ପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =