ସେବାୟତ କୁଳର ଅନନ୍ୟ ପରମ୍ପରା “ନେତପିଲା’

0 60

ପୁରୀ : ପୁରୀ ସେବାୟତ ସମ୍ପ୍ରଦାୟର ନେତପିଲା ହେଉଛି ଏକ ବିଶେଷ ପର୍ବ । ଶାରଦୀୟ ପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟା ମାନେ ପାରମ୍ପରିକ ବେଶ ଓ ବିଭିନ୍ନ ଅଳଙ୍କାରରେ ଭୂଷିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି । ବାପା ମାଆଙ୍କ ଆୟୁଷ ବୃଦ୍ଧି ସହ ଉତ୍ତମ ବର ପ୍ରାପ୍ତି ପାଇଁ ହରପାର୍ବତୀଙ୍କ ବ୍ରତ ପାଳନ ସହିତ ନିଜ ସମ୍ପର୍କିୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିବାର ବିଧି ରହିଛି ।
ଶ୍ରୀମନ୍ଦିରର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଏ । ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡିକରେ ପରମ୍ପରା ମୁତାବକ ଚାଲି ଆସୁଛି । ଉତ୍ତମ ବର ପ୍ରାପ୍ତି ପାଇଁ ଏହି ସେବାୟତ କୁଳର କିଶୋରୀ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ପରିବାର ଲୋକେ ବେଶ୍‌ ସୁନ୍ଦର ଭାବେ ଆଭୂଷଣ କରିଥାନ୍ତି । ଗୋଡରେ ପାହାଜେମା, ଗୋଡଖଡୁ, ପାହୁଡ, କଣ୍ଟା ପାହୁଡ, ବାଙ୍କି ସହ ହାତରେ କଣ୍ଠି ପୋହଳା, ବଟଫଳ, ମଟରଖଡୁ, ଚାଇଁ ଝୁଡୁକି ଏବଂ ମୁଣ୍ଡରେ ଅଳକା, କେତକିରଖା, ରାଗିଣୀଚନ୍ଦ୍ର, ବେଣିସଜ, କୃଷ୍ଣଚୂଳ, ବାଜିବିନ୍ଧ, ସୁନା ରସୁଣ, ଅଣ୍ଟାମାଳ ଓ ରତ୍ନ ମାଳି ଭଳି ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷଣ ହୋଇଥାନ୍ତି ଏହି ନେତପିଲା । ଏହାପରେ ମାର୍କଣ୍ଡ ପୁଷ୍କରଣୀକୁ ପରିବାର ସହ ଯାଇ ସେଠାରେ ପୂଜାର୍ଚ୍ଚନା କରିଥାନ୍ତି । ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନେତପିଲା ମାନେ ୨୧ଦିନ ଧରି ବଳି ପୂଜା କରିବା ସହ ଶେଷ ଚାରିଦିନ ପାରମ୍ପରିକ ବେଶ ସହ ମାର୍କଣ୍ଡ ପୁଷ୍କରିଣୀକୁ ଯାଇ ପୁଷ୍କରିଣୀ କୁଳରେ ବସି ବଡ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି । ଏହି ଅବସରରେ ସେମାନେ ବଳିଗୀତ ଗାନ କରିବାର ମଧ୍ୟ ପରମ୍ପରା ରହିଛି ।
ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ । ସ୍ୱତନ୍ତ୍ର ଆଭୂଷଣ ଏବଂ ବସ୍ତ୍ରରେ ଭୂଷିତ ହୋଇ ନେତ ପିଲାମାନେ ବିଭିନ୍ନ ପ୍ରକାର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ପୂଜା କରଥାନ୍ତି । କନ୍ୟା ମାନେ ଏହି ବେଶ ଭୂଷାରେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ମାନଙ୍କ ଘରକୁ ବୁଲି ଯାଇଥାନ୍ତି । ଏହି ପର୍ବ ଅବସରରେ ସେବାୟତ ମାନଙ୍କ ଘର ଗୁଡିକ ଉତ୍ସବ ମୁଖର ହୋଇ ଉଠିଥାଏ । କାହିଁ କେଉଁ କାଳରୁ ଏଭଳି ନିଆରା ପରମ୍ପରା ଶ୍ରୀକ୍ଷେତ୍ରରେ ପାଳିତ ହୋଇ ଆସୁଛି ସେବାୟତଙ୍କ କୂଳରେ ।
ମା ପାର୍ବତୀ ଶିବଙ୍କୁ ପାଇବା ଉଦ୍ଦେଶ୍ୟରେ ଏହି ପୂଜା କରିବାର କିମ୍ୱଦନ୍ତି ରହିଥିବାରୁ ଏହାକୁ ଅନୁସରଣ କରି ଶିବଙ୍କ ଭଳି ସ୍ୱାମୀ ପାଇବା ଉଦ୍ଦେଶ୍ୟରେ ଓ ନିଜ ପରିବାରର ଶୁଭ ମନାସି ନେତପିଲା ଏହି ପର୍ବ ପାଳନ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

hiranchal ad1
Leave A Reply

Your email address will not be published.

9 + sixteen =