ହୀରାକୁଦ ଜଳଭଣ୍ଡାର ହେଲା ପୂର୍ଣ୍ଣଗର୍ଭା

0 70

ସମ୍ବଲପୁର: ପୂର୍ବରୁ ନିର୍ଦ୍ଧାରିତ ରୁଲକର୍ଭ ଅନୁସାରେ ସେପ୍ଟେମ୍ବର ମାସର ଶେଷ ସପ୍ତାହ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ପହଞ୍ଚି ଯାଇଛି । ଏବର୍ଷ ବିକ୍ଷିପ୍ତ ଓ ଅନିୟମିତ ବର୍ଷା ଯୋଗୁଁ ଏଥିପାଇଁ ନାନାଦି ଆଶଂକା ପ୍ରକାଶ ପାଇଥିଲା କି ଏହି ଜଳଭଣ୍ଡାର ତାହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ପର୍ଯ୍ୟନ୍ତ ପହଞ୍ଚି ପାରିବ କି ନାହିଁ, କିନ୍ତୁ ଏସବୁ ଆଶଂକାକୁ ଭୁଲ ପ୍ରମାଣିତ କରି ଏହା ପୂର୍ଣ୍ଣଗର୍ଭା ହୋଇପାରିଛି । ଏହି ଜଳଭଣ୍ଡାରର ଉପରମୁଣ୍ଡ ଅର୍ଥାତ୍‌ ଆମର ପଡୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ଏଥର ବିକ୍ଷିପ୍ତ ଓ ଅନିୟମିତ ବର୍ଷା ଯୋଗୁଁ ସେଠାକାର ବିଭିନ୍ନ ଜଳଭଣ୍ଡାରରେ ଜଳ ସଂକଟ ପରିଲକ୍ଷିତ ହୋଇଥିଲା । ଗତ କିଛି ସପ୍ତାହ ହେଲା ଆମ ଏଠାକାର ବିଭିନ୍ନ ଖବରକାଗଜରେ ବାରମ୍ବାର ଲେଖାଯାଇଛି କି ଛତିଶଗଡ଼ରେ ନିର୍ମିତ ଜଳଭଣ୍ଡାର ଗୁଡିକ ସବୁ କବାଟ ବନ୍ଦ କରି ଦେବାରୁ ଏହି ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ଜଳପ୍ରବାହ ଯଥେଷ୍ଟ ହ୍ରାସ ପାଇଛି, ଏଣୁ ଏଠାରେ ମଧ୍ୟ ଜଳସଂକଟର ସ୍ଥିତି ସମ୍ମୁଖୀନ ହେବାକୁ ପଡିପାରେ । ଏଠାରେ ଆଉ ଏକ ତଥ୍ୟ ସ୍ପଷ୍ଟ କରିଦେବା ସମିଚୀନ ହେବ କି ହୀରାକୁଦ ଜଳଭଣ୍ଡାରରେ ସର୍ବୋଚ୍ଚ ଜଳସ୍ତର ସତ୍ତେ୍ୱଏଠାରେ ଜଳସଂକଟର ସ୍ଥିତି ରହିଛି । ଏହାର କାରଣ ହେଲା ଯେ ନିର୍ମାଣ ପରଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ଦୀର୍ଘ ୬୬ ବର୍ଷ ହେଲା ଏହି ଜଳଭଣ୍ଡାରରୁ ପଙ୍କୋଦ୍ଧାର ହୋଇ ନାହିଁ ଓ ନିରନ୍ତର ପଙ୍କ ଭରିଯିବାରୁ ଏହାର ଜଳଧାରଣ କ୍ଷମତା ଅଧାରୁ କମ ଅର୍ଥାତ୍‌ ମାତ୍ର ୪୦ ପ୍ରତିଶତ ରହିଯାଇଛି । ଏଠାରେ କହିବା ବାହୁଲ୍ୟ ଯେ ଏହି ଜଳଭଣ୍ଡାର ପରିପୂର୍ଣ୍ଣ ଦିଶୁଥିଲେ ସୁଦ୍ଧା ଏଥିରେ ଯେତିକି ପରିମାଣରେ ଜଳ ସଂରକ୍ଷିତ ହୋଇ ରହିବା କଥା ସେତିକି ପରିମାଣରେ ଜଳ ନାହିଁ, ଏଣୁ ଏହା ଆମର ଚାହିଦା ଅନୁଯାୟୀ ଜଳାପୂର୍ତ୍ତି କରିପାରିବ ନାହିଁ । ଆଜି ସେପ୍ଟେମ୍ବର ୩୦ ମଧ୍ୟାହ୍ନ ୧୨ଟା ସୁଦ୍ଧା ସଂକଳିତ ତଥ୍ୟ ଅନୁସାରେ ଏହାର ଜଳସ୍ତର ୬୩୦ ଫୁଟ ରହିଥିଲା ଓ ସେହି ସମୟରେ ଜଳଭଣ୍ଡାର ଭିତରକୁ ଉପରମୁଣ୍ଡରୁ ୭୪ ହଜାର ୭୮୧ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା । ଏହାର ଦୁଇଟି କବାଟ ଖୋଲି ସେହି ପରିମାଣରେ ଜଳରାଶି ନିଷ୍କାସିତ ହେଉଥିଲା । ଇତିମଧ୍ୟରେ ଉପରମୁଣ୍ଡରେ ଯଦି ହଠାତ ଭାରୀ ବର୍ଷା ହୁଏ ଓ ପରିମାଣ ସ୍ୱରୂପ ସେଠାରୁ ବହୁ ପରିମାଣରେ ବନ୍ୟା ଜଳ ନିଷ୍କାସିତ ହୁଏ, ତା’ହେଲେ ଏହାର ଜଳସ୍ତରକୁ ସୁରକ୍ଷିତ ରଖିବା ସହିତ ବନ୍ୟାଜଳ ପରିଚାଳନା ମୁସ୍କିଲ ହୋଇପାରେ ।

hiranchal ad1
Leave A Reply

Your email address will not be published.

4 × five =