ନଗରପାଳଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ବିଜେପିର ୧୨ ଘଣ୍ଟିଆ ବନ୍ଦ

0 57

ନବରଙ୍ଗପୁର:- ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶଙ୍କ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରି ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି ।
ବନ୍ଦ ପାଳନ ବେଳେ ସହରର ବିଭିନ୍ନ ସ୍ଥାନ ଓ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଜିଲ୍ଲା ବିଜେପିର କର୍ଯ୍ୟକର୍ତ୍ତା । ଯାହାଫଳରେ ସହର ଭିତର ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ଏହାସହ ସହର ମଧ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦ ପାଳନ ସମୟରେ ଜରୁରୀ ସେବାକୁ ବାଦ୍‌ ଦିଆଯାଇଛି ।
ଗତ ୧ତାରିଖ ନବ ବର୍ଷ ଦିନ ହକି ବିଶ୍ୱକପ ଟ୍ରଫିର ସ୍ୱାଗତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶ ନବରଙ୍ଗପୁର ନଗରପାଳଙ୍କୁ “ହୁ ଆର ୟୁ” ଏବଂ “ତୁମେ ପ୍ରୋଟୋକଲ ଜାଣି ନାହିଁକି ?” ବୋଲି କହି, ଚୌକିରୁ ଉଠେଇ ଦେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଯାହାର ପ୍ରତିବାଦରେ ଗତକାଲି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମୁଖ୍ୟ ଫାଟକ ତାଲା ଦେଇ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଆସି ନଗରପାଳଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ପୋଲିସ ରାସ୍ତା ଅବରୋଧ କାରୀ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉଠାଇ ନେଇଥିଲା ।
ପ୍ରତିବାଦରେ ଆଜି ନବରଙ୍ଗପୁର ମୁନୁସିପାଲିଟି ଅଞ୍ଚଳ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ଜଣେ ଆଇଏସ ଅଧିକାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କୁ ଏଭଳି ଆଚରଣ ପ୍ରଦର୍ଶନ କରିବା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହଁ ଏବଂ ଅଧିକାରୀ ଜଣକ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଛି ବିଜେପି ।
ଅପର ପକ୍ଷରେ ଆଜି ମଧ୍ୟାହ୍ନରେ ନବରଙ୍ଗପୁର ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ବିଜେପିର ଏହି ବନ୍ଦ ଡାକରାକୁ ତୀବ୍ର ସମାଲୋଚନା କରିଛନ୍ତି । ଯଦି ଏହାର ସତ୍ୟା ସତ୍ୟ ପ୍ରମାଣିତ ହୁଏ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସ୍ୱୀକାର କରିଛନ୍ତି । ଘଟଣାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ବିଧାୟକ ଘଟଣାର ସତ୍ୟତା ବିଷୟରେ ଅବଗତ ନ ଥିବା ପ୍ରତିତ ହୋଇଥିଲା ।
ଅପରାହ୍ନରେ ମାମଲାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଘଟଣାର ତଦନ୍ତ କରି ସତ୍ୟତା ବିଷୟରେ ଜାଣିପାରି ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶଙ୍କୁ ଅନ୍ୟତ୍ର ବଦଳି ପ୍ରତିଶୃତି ଦେଇଛନ୍ତି । ଯଦି ୧୫ ଦିନ ମଧ୍ୟରେ ବଦଳି କରା ନ ଗଲେ ବିଜେପି ପକ୍ଷରୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

14 + nineteen =