ଭିଜିଲାନ୍ସ ଜାଲରେ ରାୟଗଡା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

0 34

ରାୟଗଡା: ବୁଲେଟ୍‌ ଚଢି ୫ଲକ୍ଷ ଟଙ୍କା ନେଇ ଯାଉଥିଲେ ସରକାରୀ ବାବୁ । ଆଉ ଧରାପଡିଗଲେ ଭିଜିଲାନ୍ସ ଟିମ୍‌ ହାତରେ । ଏହି ବାବୁ ଜଣଙ୍କ ହେଉଛନ୍ତି ରାୟଗଡା ଜିଲ୍ଳା ମୃତ୍ତିକା ସଂରକ୍ଷଣ ବିଭାଗରେ କାର୍ଯ୍ୟରତ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ । ଗତକାଲି ରାତିରେ ବୁଲେଟ୍‌ ଗାଡିରେ ଚଢି ବ୍ୟାଗରେ ଲାଂଚ ଆକାରରେ ସଂଗ୍ରହ କରିଥିବା ନଗଦ ୫ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ସହରର ଅରବିନ୍ଦ ସ୍କୁଲଠାରେ ମାଡି ବସିଲା ଓଡିଶା ଭିଜିଲାନ୍ସ ଟିମ୍‌ । ଆଉ ଲକ୍ଷାଧିକ ଟଙ୍କା କେଉଁଠୁ ପାଇଲ ବୋଲି ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ଟିମ୍‌ ତାଙ୍କୁ ଅଧିକ ପଚରାଉଚୁରା କରିବା ପାଇଁ ରାୟଗଡା ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରୁ କିଶୋର ଚନ୍ଦ୍ର ନାୟକ ରହୁଥିବା ରାୟଗଡା ସହରର ମା’ ମଙ୍ଗଳା ମନ୍ଦିର ନିକଟ ଭଡା ଘରେ ଚଢାଉ କରିଥିଲେ ଭିଜିଲାନ୍ସ ଟିମ୍‌ । ଘରେ ମଧ୍ୟ ବେଆଇନ ଭାବେ ଥିବା ୬ଲକ୍ଷ ୩୦ହଜାର ନଗଦ ଟଙ୍କା ଜବତ ହେଲା । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ସରକାରୀ ବାବୁ କିଶୋର ନାୟକଙ୍କ ପତ୍ନିଙ୍କ ଭୁବନେଶ୍ୱର ସ୍ଥିତ ପାତ୍ରପଡା ଘରେ ଏବଂ ତାଙ୍କ ପୈତୃକ ଘର ନବରଙ୍ଗପୁର ଜିଲ୍ଳା ମନ୍ତ୍ରୀଗୁଡା ଗ୍ରାମରେ ଏକାକାଳୀନ ଭିଜିଲାନ୍ସ ଚଢାଉ ହେଉଥିବା ନେଇ ରାୟଗଡା ଦୁର୍ନୀତି ନିବାରଣ ବିଭାଗ ଡିଏସପି ସୁରେନ୍ଦ୍ରନାଥ ରାଇଗୁରୁ ପ୍ରକାଶ କରିଥିବା ବେଳେ କିଶୋର ନାୟକଙ୍କ ଠାରୁ ରାୟଗଡାରୁ ମୋଟ ୧୧ଲକ୍ଷ ୩୪ହଜାର ୫୬୦ଟଙ୍କା ଜବତ କରାଯାଇଛି । ଏହି ଟଙ୍କା ସେ ରାୟଗଡା ଜିଲ୍ଳା କୋଲନରା ବ୍ଳକର ହିତାଧିକାରୀମାନଙ୍କ ଠାରୁ ଆଦାୟ କରୁଥିବା ପ୍ରକାଶ କରିଛନ୍ତି । ଭିଜିଲାନ୍ସ ହାତରେ ଧରାପଡିଥିବା ସରକାରୀ ବାବୁ କିଶୋର ନାୟକ ରାୟଗଡା ଜିଲ୍ଳାରେ ଦୀର୍ଘ ୪ବର୍ଷ ହେଲା କାର୍ଯ୍ୟରତ ଥିବା ବେଳେ ସେ କୋଲନରା ଓ କଲ୍ୟାଣସିଂହପୁର ବ୍ଳକ ଦାୟିତ୍ୱରେ ରହିଥିଲେ ।

hiranchal ad1
Leave A Reply

Your email address will not be published.

four + six =