ଦନ୍ତାହାତୀ ମାରିବା ଅଭିଯୋଗରେ ତିନି ଜଣ ଅଟକ, ତଦନ୍ତ ଜାରି

0 39

ସମ୍ବଲପୁର: ବନରେ ବିଜୁଳି ତାର ବିଛାଇ ହାତୀ ମାରିବା ଅଭିଯୋଗରେ ବନ ବିଭାଗ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଅବ୍ୟାହତ ରଖିଛି । ଏବିଷୟରେ ସମ୍ବଲପୁର ବନଖଣ୍ଡ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯୁଯୁମୁରା ବ୍ଲକ ଅନ୍ତର୍ଗତ ଭୀମଖୋଜ ନିକଟସ୍ଥ ରଘୁଡେରା ଗାଁ ପାଖ ବଣରେ ବରାହ ମାରିବା ପାଇଁ ବିଜୁଳି ତାର ବିଛା ଯାଇଥିଲା ଓ ଦୁର୍ଭାଗ୍ୟକୁ ସେହି ବିଜୁଳି ତାରରେ ଫସି ଏକ ଦନ୍ତାହାତୀ ପ୍ରାଣ ହରାଇଥିଲା । ଏହା ଗତ ଶନିବାର ରାତିରେ ଘଟିଥିଲା ଓ ରବିବାର ଦିନ ସକାଳୁ ଏହି ଖବର ସବୁ ଆଡେ ବ୍ୟାପି ଯାଇଥିଲା । ଏହି ଖବର ପାଇ ସମ୍ବଲପୁର ବନଖଣ୍ଡରୁ ଏକ ଅଧିକାରୀ ଦଳ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଦେଇଥିଲେ । ଏ ବିଷୟରେ ବନ ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସନ୍ଦର୍ଭରେ ତିନି ଜଣଙ୍କୁ ଅଟକ ରଖାଯାଇ ଆଗକୁ ତଦନ୍ତ ଅବ୍ୟାହତ ରହିଛି । ସେମାନଙ୍କ ଚିହ୍ନଟ ପ୍ରଶାନ୍ତ ମିର୍ଦ୍ଧା (୩୦), ଦିଲିପ ମିର୍ଦ୍ଧା (୩୪) ଓ ବିଦେଶୀ ମିର୍ଦ୍ଧା (୪୫) ରୂପେ କରାଯାଇଛି । ସେମାନେ ତିନିହେଁ ରଘୁପଡା (ଖଇରମାଲ) ନିବାସୀ ବୋଲି କୁହାଯାଉଛି । ବନ ବିଭାଗ ପକ୍ଷରୁ ଉକ୍ତ ତିନିଜଣଙ୍କ ବିରୁଦ୍ଧରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଓ ବିଦ୍ୟୁତ ଦୁର୍ବ୍ୟବହାର ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ବିଭାଗୀୟ ଉଚ୍ଚାଧିକାରୀଙ୍କ ଉପସ୍ଥିତିରେ ହାତୀଶବର ପୋଷ୍ଟମର୍ଟମ କରାଯାଇଛି ଓ ଏହାର ରିପୋର୍ଟକୁ ପ୍ରମାଣ ଆକାରରେ ବ୍ୟବହାର କରାଯିବ ବୋଲି କୁହାଯାଇଛି । ସ୍ଥାନୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସେଠାରେ ପ୍ରାୟତଃ ବରହା ଶିକାର କରିବା ପାଇଁ ଏଭଳି ବିଜୁଳି ତାର ବିଛାଯାଇଥାଏ, ଦୁର୍ଭାଗ୍ୟକୁ ସେଦିନ ଦନ୍ତାହାତୀ ଟିଏ ସେଥିରେ ପଡ଼ି ପ୍ରାଣ ହରାଇଥିଲା । ଉକ୍ତ ଅଞ୍ଚଳରେ ବହରା ମାଂସ ବହୁତ ଲୋକପ୍ରିୟ ଓ ଇତିମଧ୍ୟରେ ପୁଷପୁନୀ ପାଇଁ ତାହାର ଚାହିଦା ବହୁତ ଅଧିକ କିନ୍ତୁ ଦୁର୍ଭାଗ୍ୟକୁ ସେଦିନ ବରହା ବଦଳରେ ହାତୀ ସେ ହାବୁଡରେ ପଡ଼ି ପ୍ରାଣ ହରାଇ ଥିଲା ।

hiranchal ad1
Leave A Reply

Your email address will not be published.

nineteen + ten =