ରାହୁଲ ଉପସଭାପତି ହେବା ପରେ ସବୁ ନଷ୍ଟ କରିଦେଲେ : ଗୁଲାମ ନବୀ

0 75

ନୂଆଦିଲ୍ଲୀ: କଂଗ୍ରେସକୁ ଝଟ୍‌କା । ହାତ ଛାଡିଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଆଜି ଗୁଲାମ ନବୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ସମେତ ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୪ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି । ଏହାପୂର୍ବରୁ କିଛି ଦିନ ତଳେ ଗୁଲାମ ନବୀ ଜମ୍ମୁ-କଶ୍ମୀର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ସେବେଠୁ ସେ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହାକି ଏବେ ସତ ପ୍ରମାଣିତ ହୋଇଛି ।
ତେବେ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଇସ୍ତଫାପତ୍ରରେ ଗୁଲାମନବୀ ବର୍ଷିଛନ୍ତି । ସବୁଠୁ ବଡ଼ କଥା ହେଲା ଯେ ଇସ୍ତଫାପତ୍ରରେ ସେ ରାହୁଲ ଗାନ୍ଧୀଙ୍କୁ ଏମିତି ଟାର୍ଗେଟ କରି କଟୁ ଭାଷାରେ ସମାଲୋଚନା କରିଛନ୍ତି । ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପ୍ରବେଶ ପରେ କଂଗ୍ରେସରେ ଗଡ଼ବଡ଼ି ଆରମ୍ଭ ହେଲା । ୨୦୧୩ରେ ରାହୁଲ ଉପସଭାପତି ହେବା ପରେ ସବୁ ନଷ୍ଟ କରିଦେଲେ । କଂଗ୍ରେସରେ ରହିଆସିଥିବା ମତବିନିମୟ ବ୍ୟବସ୍ଥାକୁ ସେ ଶେଷ କରିଦେଲେ । ସମସ୍ତ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ କୋଣଠେସା କରିଦିଆଗଲା । ବରିଷ୍ଠଙ୍କୁ କୋଣଠେସା କରି ନିର୍ଦ୍ଧିଷ୍ଟ କୋଟେରୀ ଦ୍ୱାରା ସବୁ ଚାଲିଲା । ରାହୁଲଙ୍କ ପିଲାଳିଆମୀ ଅନେକ ସମୟରେ ଅଡ଼ୁଆରେ ପକାଉଥିଲା । ଏହାର ସବୁଠାରୁ ବଡ଼ ଉଦାହରଣ ରାହୁଲ ଅଧ୍ୟାଦେଶ ଚିରିବା । ରାଷ୍ଟ୍ରପତିଙ୍କ ଦ୍ୱାରା ପାସ ହୋଇଥିବା ଅଧ୍ୟାଦେଶକୁ ରାହୁଲ ଚିରିଦେଇଥିଲେ । ରାହୁଲଙ୍କ ପିଲାଳିଆମୀ ପାଇଁ ପ୍ରଧାନମନ୍ତ୍ରୀ ପଦ ଓ ସରକାର ବିକୃତ ହୋଇଥିଲା ।

hiring

ସେହିପରି ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ କଂଗ୍ରେସରେ କିଛି ଠିକ ଚାଲିନି । ସୋନିଆ ସଭାପତି ଥିଲେ ବି ରାହୁଲ ସର୍ବେସର୍ବା । ଏମିତିକି ରାହୁଲଙ୍କ ପିଏ ଓ ସୁରକ୍ଷା କର୍ମୀ ବି ନିଷ୍ପତ୍ତି ନେଉଛନ୍ତି । ରିମୋଟ କଣ୍ଟ୍ରୋଲ ମଡେଲ ୟୁପିଏ ସରକାରର ସଂହତି ନଷ୍ଟ କରିଦେଲା । ଏବେ ସେହି ରିମୋଟ କଣ୍ଟ୍ରୋଲ ମଡେଲ କଂଗ୍ରେସରେ ପ୍ରୟୋଗ ଚାଲିଛି । ସୋନିଆ ଗାନ୍ଧୀ କେବଳ ନାମକୁମାତ୍ର ଦଳ ମୁଖ୍ୟ । ରାହୁଲ ସର୍ବେସର୍ବା । ପାର୍ଟିର ବଡ଼ ବଡ଼ ନିଷ୍ପତ୍ତି ରାହୁଲ ଗାନ୍ଧୀ ହିଁ ନେଉଛନ୍ତି । ରାହୁଲଙ୍କ ପିଏ ଓ ସୁରକ୍ଷା କର୍ମୀ ବି ଦଳ ସମ୍ପର୍କିତ ନିଷ୍ପତ୍ତି ନେଉଛନ୍ତି ବୋଲି ଗୁଲାମନବୀ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।
ପ୍ରକାଶ ଯେ ୧୯୭୦ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଗୁଲାମ ନବୀ ଆଜାଦ । କଂଗ୍ରେସ କ୍ଷମତାରେ ଥିବା ସମୟରେ ଗୁଲାମ ନବୀ କେନ୍ଦ୍ରମନ୍ତ୍ରୀ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ । ଦଳର ଏ-୨୩ ଗୋଷ୍ଠୀର ସେ ଅନ୍ୟତମ ସଦସ୍ୟ ଥିଲେ । ଏ-୨୩ ଅସନ୍ତୁଷ୍ଟ ନେତା ଭାବେ ସେ ଆଗରେ ରହିଥିଲେ । କିଛି ଦିନ ହେଲା ସେ ଦଳୀୟ କାର୍ଯ୍ୟଶୈଳୀ ଓ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଦୀର୍ଘ ଦିନର ଅସନ୍ତୋଷ ପରେ ଶେଷରେ କଂଗ୍ରେସ ସହ ସମ୍ପର୍କ ତୁଟାଇଛନ୍ତି ଏହି ବରିଷ୍ଠ ନେତା ।

hiranchal ad1
Leave A Reply

Your email address will not be published.

4 × 5 =