ଶ୍ରାନିକେତା ଅଞ୍ଚଳରେ ଜଳ କଷ୍ଟ : ନଳକୂପ ଅଚଳ, ଚୁଆ ପାଣି ଭରସାରେ ଗ୍ରାମବାସୀ

0 54

ବାଲିଗୁଡ଼ା : ରାଜ୍ୟ ସରକାର ଗାଁ ଗାଁରେ ବସୁଧା ଯୋଜନାରେ ଘରକୁ ଘର ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇବା ବ୍ୟବସ୍ଥା କରିଛନ୍ତି, ହେଲେ ଆଜିବି ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠି ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ଗାଁ ଗହଳିରେ ପାନୀୟଜଳ ସମସ୍ୟା ଦେଖାଯାଉଥିବା ବେଳେ ସେଗୁଡ଼ିକର ସମାଧାନ କରିବାରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ବିଫଳ ହେଉଥିବାର ଦେଖାଯାଉଛି । ଦୀର୍ଘଦିନ ହେଲା ଗ୍ରାମରେ ଥିବା ଏକମାତ୍ର ନଳକୂପ ଅଚଳ ଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍‌ ଅନ୍ତର୍ଗତ ଶ୍ରାନିକେତା ଗ୍ରାମପଞ୍ଚାୟତର ଇର୍ପିସରୁ ଗ୍ରାମବାସୀଙ୍କ ପାଇଁ ଏବେ ଚୁଆ ପାଣି ଭରସା ପାଲଟିଛି । ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତର ୧୭ନମ୍ବର ୱାର୍ଡରେ ଥିବା ଇର୍ପିସରୁ ଗ୍ରାମରେ ପ୍ରାୟ ୪୦ଟି ପରିବାରର ୨ଶହରୁ ଅଧିକ ଲୋକେ ବସବାସ କରନ୍ତି । ଏହି ଗ୍ରାମରେ ଲୋକଙ୍କ ପାନୀୟ ଜଳ ବ୍ୟବହାର ପାଇଁ ଗ୍ରାମରେ ନଳକୂଅ ସ୍ଥାପନ ହୋଇଥିଲା ମାତ୍ର ଦୀର୍ଘ ଦିନ ହେବ ଏହି ନଳକୂପ ଅଚଳ ହୋଇ ପଡିଥିବା ବେଳେ କିଛି ଦିନ ତଳେ ତାହାକୁ ମରାମତି କରାଯାଇଥିଲା । ଯାହା ବର୍ତ୍ତମାନ ପୁଣି ଅଚଳ ହୋଇ ପଡ଼ିଛି । ଘଣ୍ଟା ଘଣ୍ଟା ଧରି ପାଣି ମାରିବା ସତ୍ତେ୍ୱ୍ୱ ନଳକୂପରୁ ପାଣି ଟୋପାଏ ବାହାରୁନଥିବାରୁ ଗ୍ରାମବାସୀ ମାନେ ଗାଁ ପାଖରେ ଥିବା ଏକ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ସେହି ଚୁଆ ପାଖକୁ ଯିବାପାଇଁ ମଧ୍ୟ ଭଲ ରାସ୍ତାଟିଏ ନାହିଁ । ବିଲ ଭିତର ଦେଇ ଯିବାକୁ ପଡେ ସେହି ଚୁଆକୁ ।

hiring

ଅନେକ ସମୟରେ ଅନେକ ମହିଳା ପାଣି ଆଣିବା ବେଳେ ବିଲ ରାସ୍ତାରେ ପଡି ଆହତ ହୋଇଥିବା ଗ୍ରାମର ମହିଳା ମାନେ ପ୍ରକାଶ କରିଛନ୍ତି । ପୂର୍ବରୁ ଗାଁ ରେ ଗୋଟିଏ କୂଅ ମଧ୍ୟ ଥିଲା, କିନ୍ତୁ କିଛି ମାସ ପୂର୍ବରୁ କୂଅ ଭିତରେ ଗୋଟିଏ ମଇଁଷି ପଡି ମୃତ୍ୟ ବରଣ କରିଥିଲା ଯାହା ଦ୍ୱାରା ସେହି ପାଣିରୁ ଦୁର୍ଗନ୍ଧ ବାହାରୁଥିବାରୁ ବର୍ତ୍ତମାନ ସେହି ପାଣି ବ୍ୟବହାର ଉପଯୋଗୀ ହେଉନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି । ରାତି ପାହିଲେ ଗ୍ରାମର ମହିଳାମାନେ ଟୋପାଏ ପାଣି ପାଇଁ ଚିନ୍ତାରେ ବସନ୍ତି । ବାଧ୍ୟ ହୋଇ ବିଲ ଭିତରେ ଲାଇନରେ ଯାଇ ଏହି ଚୁଆ ପାଣିକୁ ସ୍ନାନ ଶୌଚ ପାଇଁ ଯିବା ସହ ପିଇବା ଓ ରୋଷେଇ ପାଇଁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ବର୍ଷା ହେଲେ ଚୁଆକୁ ଯିବାକୁ ରାସ୍ତା କଦର୍ଯ୍ୟ ହୋଇଯାଏ ଯାହା ଫଳରେ ଲୋକେ ଦିନେ ଦିନେ ସ୍ନାନ କରି ପାରୁନଥିବା ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଅନ୍ୟ ପକ୍ଷରେ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ରାଜ୍ୟ ସରକାରଙ୍କ ମେଗା ପ୍ରକଳ୍ପ ଯୋଜନା ବସୁଧାରେ ପାଇପ ଯୋଗେ ପାଣି ଅପହଞ୍ଚ ରହିଛି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୧କିଲୋମିଟର ଦୂରରେ ଥିବା ଏହି ଗାଁ ର ଅବସ୍ଥା ଏଭଳି ଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଶ୍ରାନିକେତା ପଞ୍ଚାୟତ ଜି.ଉଦୟଗିରି ବିଧାୟକଙ୍କ ନିଜ ପଞ୍ଚାୟତ ହୋଇଥିବା ବେଳେ ଅଞ୍ଚଳର ଯଦି ଏଭଳି ଅବସ୍ଥା ତେବେ ଅନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ କଣ ଥିବ ବ୍ୟବସ୍ଥା ଏଥିରୁ ସ୍ପଷ୍ଟ ଅନୁମେୟ । ଅନ୍ୟପଟେ ବିଶୁଦ୍ଧ ପାନୀୟ ଜଳଯୋଗାଣରୁ ବଞ୍ଚିତ ରହୁଥିବା ନେଇ ଦୁଃଖ ପ୍ରକାଶ କରି ତୁରନ୍ତ ନଳକୂପ ମରାମତି କରିବା ପାଇଁ ଗ୍ରାମର ସୁଜିତ କୁମାର ନାୟକ , ଉସାରାଣୀ ପ୍ରଧାନ, ଲକ୍ଷ୍ମୀ ନାୟକ, କୁଞ୍ଜଲତା ସାହୁଙ୍କ ସମେତ ଗ୍ରାମବାସୀ ମାନେ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

hiranchal ad1
Leave A Reply

Your email address will not be published.

two × 2 =