ବଜାରରେ ଖୁଲମ୍‌ଖୁଲା ବିକ୍ରି ହେଉଛି ଜଙ୍ଗଲୀ ମାଂସ

0 448

ଦଶପଲ୍ଲା : ଏବେ ଧାନ ବାହାରିବା ସମୟ । ଦଶପଲ୍ଲା ପଶ୍ଚିମାଞ୍ଚଳର ପାହାଡି ଅଂଚଳରେ ଥିବା ଧାନ କ୍ଷେତରେ ଏବେ ଜଂଗଲି ଜନ୍ତୁଙ୍କୁ ଅବାଧ ପ୍ରବେଶ । ଏହାର ସୁଯୋଗ ନେଇ ବନ୍ୟଜନ୍ତୁ ଶିକାରୀ ଓ ମାଫିଆ ମାନେ ସକ୍ରୀୟ । ପ୍ରତିଦିନ ଶିକାରୀଙ୍କ ବମ୍‌, ଗୁଳି, ଫାସ ଓ ଉଚ୍ଚଶକ୍ତି ସଂପର୍ଣ୍ଣ ବିଦ୍ୟୁତ ସଂଯୋଗ ଯୋଗୁଁ ଅନେକ ବନ୍ୟପ୍ରାଣୀଙ୍କର ମୃତ୍ୟୁ ଘଟିବା ସହିତ ଗରିବ ଚାଷୀଟି କ୍ଷତିଗ୍ରସ୍ତ ହେଉଥିବାବେଳେ ଦଶପଲ୍ଲା ବନାଂଚଳର ବନ କର୍ମଚାରୀମାନେ କିନ୍ତୁ ବିଟ୍‌ ହାଉସ୍‌ରେ ନ ରହି ଦଶପଲ୍ଲା ସହରରେ ଆରାମରେ ରହୁଛନ୍ତି । ଏ ବିଷୟରେ ଜଣେ ବନ କର୍ମଚାରୀଙ୍କୁ ପଚାରିବାରୁ ସେ କହିଲେ ମୁଁ ଏକୁଟିଆ ଦଶପଲ୍ଲାରେ ରହୁନି, ମୋ ଭଳି ବହୁ ବନ କର୍ମଚାରୀ ଦଶପଲ୍ଲାରେ ରହୁଛନ୍ତି । ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ଜଣେ ବନରକ୍ଷୀଙ୍କ ବୟାନ ପରେ ଅନେକ ବନ କର୍ମଚାରୀଙ୍କ ଗୁମର ଏବେ ସାମ୍ନାକୁ ଆସିଛି । ଦଶପଲ୍ଲା ବନାଞ୍ଚଳରେ କାର୍ଯ୍ୟରତ ଅଧିକାଂଶ ବନପାଳ ଓ ବନରକ୍ଷୀ ରାତି ହେଲେ ନିଜ ନିଜ ସେକ୍ସନ କାର୍ଯ୍ୟାଳୟ ଓ ବିଟ୍‌ ହାଉସରେ ରହୁ ନାହାନ୍ତି । କିଏ ଦଶପଲ୍ଲା ସହରରେ ଘରଭଡ଼ା ନେଇ ରହୁଛି ତ ପୁଣି କିଏ ସଞ୍ଜ ନଇଁଲେ ଗାଁକୁ ଚାଲିଯାଉଛି । ଫଳରେ ରାତିରେ ପାଟ୍ରୋଲିଂ ଡ୍ୟୁଟିରେ ରହୁଥିବା ବନ୍ୟପ୍ରାଣୀ ବିଭାଗର କର୍ମଚାରୀଙ୍କୁ ଛାଡ଼ିଦେଲେ ଅଧିକାଂଶ ସେକ୍ସନ କାର୍ଯ୍ୟାଳୟ ଖାଁଖାଁ ପାଲଟୁଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବନାଞ୍ଚଳ ଅଧିକାରୀଙ୍କ କଥାକୁ କିଛି କର୍ମଚାରୀ ଖାତିର କରୁନଥିବା ବେଳେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏଥିପ୍ରତି କୌଣସି ବି ତଦନ୍ତ ବା ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଜିଲ୍ଲାର ସର୍ବବୃହତ୍‌ ଦଶପଲ୍ଲା ବନାଞ୍ଚଳରେ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସ୍ୱାଭାବିକ ହୋଇପଡ଼ିଛି । ଗୋଟିଏ ପାର୍ଶ୍ୱରେ ଦେଖିବାକୁ ଗଲେ ଜଣେ ବନରକ୍ଷୀ ଦୁଇ ଦୁଇଟି ବିଟ୍‌ ହାଉସ ଦାୟିତ୍ୱରେ ରହୁଥିବା ବେଳେ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ଦିନେ ହେଲେ ନିଜ ବିଟ୍‌ ହାଉସରେ ରାତିରେ ରହିନଥିବା କୁହାଯାଉଛି । ଯାହାକି ଏହି ବିଟ୍‌ ହାଉସ ଅଧୀନରେ ଅନେକ ସମୟରେ ମାଫିଆ ଓ ଶିକାରୀଙ୍କ ପ୍ରାଦୁର୍ଭାବ ରହି ଆସୁଥିବା ବେଳେ ଏହା ସେମାନଙ୍କୁ ବେଶ୍‌ ଖୋରାକ ଯୋଗାଉଛି । କିଛି ବନକର୍ମଚାରୀ ବଡବଡିଆ ଅଧିକାରୀଙ୍କ ଛତ୍ରଛାୟାରେ ବଳିଆନ ହୋଇ କାହାରିକୁ ଖାତିର୍‌ କରୁନଥିବା କୁହାଯାଉଛି । ଫଳରେ ବିଭିନ୍ନ ବାହାନା ଦେଖାଇ ନିଯୁକ୍ତି ହୋଇଥିବା ବିଟ୍‌ ହାଉସରେ ନ ରହିବାକୁ ଜିଦ୍‌ରେ ଅଟଳ ଥିବା କୁହାଯାଉଛି । ଖାଲି ସେତିକି ନୁହେଁ ବିଭିନ୍ନ ବିଟ୍‌ ହାଉସ ଦାୟିତ୍ୱରେ ଥିବା ବନରକ୍ଷୀ ଦୀର୍ଘ ବର୍ଷ ଧରି ରହି ଆସୁଥିବା ବେଳେ ତାଙ୍କର ଅନ୍ୟତ୍ର ବଦଳି ହେଉନଥିବା ଯୋଗୁଁ ଜଂଗଲ ବିଭାଗର ଏହି ଜଂଗଲୀ ରାଜ୍‌ , ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

hiranchal ad1
Leave A Reply

Your email address will not be published.

four × two =