ସୋନପୁର ରାମେଶ୍ୱର ଘାଟରେ ଆୟୋଜିତ ହେବ ହକି ବିଶ୍ୱକପ୍‌ ଉଦଘାଟନ ମ୍ୟାଚର ସିଧା ପ୍ରସାରଣ

0 135

ସୁବର୍ଣ୍ଣପୁର: ଚଳିତ ପୁରୁଷ ହକି ବିଶ୍ୱକପ ମହାକୁମ୍ଭ ଆସନ୍ତା ୧୩ ତାରିଖରୁ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାଠାରେ ଆୟୋଜିତ ହେବାକୁ ଯାଉଛି । ଚଳିତ ହକି ବିଶ୍ୱକପ ଖେଳର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବା ସାଙ୍ଗକୁ ରାଜ୍ୟର ସମସ୍ତ ବର୍ଗର ଜନସାଧାରଣଙ୍କୁ ଉଦଘାଟନ ସମାରୋହରେ ସାମିଲ କରିବା ସହିତ ବହୁ ପ୍ରତିକ୍ଷୀତ ଏହି ବିଶେଷ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ଉପଲବ୍ଧ କରାଇବା ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ହେଡ଼କ୍ୱାଟର ଓ ପଞ୍ଚାୟତଗୁଡିକରେ ବିଶେଷ ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଆସନ୍ତା ୧୧ତାରିଖ ଅପରାହ୍ନ ୫.୩୦ ମିନିଟ ସମୟରେ ସୋନପୁର ସହର ସ୍ଥିତ ପବିତ୍ର ରାମେଶ୍ୱର ପୀଠ ଠାରେ ସଙ୍ଗମ ଆରତୀ, ଆତସ ବାଜି ସହ ଜିଲ୍ଲା ସ୍ତରୀୟ ହକି ବିଶ୍ୱକପର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ । ଏଥିରେ ସ୍ୱନାମଧନ୍ୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏବଂ ସାଥୀ ନୃତ୍ୟ ପରିବେଷଣ କରିବେ ଓ ଏହାସହିତ ଜିଲ୍ଲାର ବିଭିନ୍ନ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା କ୍ରୀଡାବିତ୍‌ ମାନଙ୍କୁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମ ରହିଛି । ତତ୍‌ ସହିତ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଏହି ବିଶେଷ ସମାରୋହରେ ସାମିଲ ସହ କାର୍ଯ୍ୟକ୍ରମକୁ ଉପଲବ୍ଧ କରାଇବା ନିମନ୍ତେ ଜିଲ୍ଲାର ପ୍ରତି ବ୍ଲକ ହେଡ଼କ୍ୱାଟର ସହ ପଞ୍ଚାୟତ ସ୍ତରରେ ମଧ୍ୟ କାର୍ଯ୍ୟକ୍ରମର ପ୍ରସାରଣ ପ୍ରୋଜେକ୍ଟର /ଟିଭି /ଏଲଇଡି ମାଧ୍ୟମରେ ଉପଲବ୍ଧ କରାଯିବ । ଜିଲ୍ଲା ସଦରମହକୁମାରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଜି ଅପରାହ୍ନରେ ଜିଲାପାଳ ଅବୋଲି ସୁନିଲ ନରୱଣେ ରାମେଶ୍ୱର ସଙ୍ଗମ ସ୍ଥଳ ପରିଦର୍ଶନ କରି ଅଧିକାରୀ ଏବଂ କର୍ମକର୍ତ୍ତା ମାନଙ୍କୁ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିଥିଲେ । ଜିଲ୍ଲାର ସମସ୍ତ ବର୍ଗର ଜନସାଧାରଣ, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଏହି କ୍ରୀଡା ମହାକୁମ୍ଭର ବିଶେଷ ଉଦଘାଟନ ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ତଥା ବ୍ଲକ ଓ ପଞ୍ଚାୟତ ସ୍ତରୀୟ ବିଶେଷ ଉଦଘାଟନୀ ସମାରୋହରେ ଯୋଗଦାନ ପୂର୍ବକ ସାଫଲ୍ୟ କରିବାକୁ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଏହି ପ୍ରସ୍ତୁତି ସମୀକ୍ଷାରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସୋନପୁର ଉପ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ,ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ପୌର ପରିଷଦ ନିର୍ବାହୀ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ କ୍ରୀଡା, ସ୍ୱେଚ୍ଛାସେବୀ, ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା, ସ୍ୱଚ୍ଛ ଭାରତ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

five × 5 =