ଶ୍ରୀଜଗନ୍ନାଥ ହେଉଛନ୍ତି ବୈଦିକ ଠାକୁର : ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ

0 46

ପୁରୀ:ଶ୍ରୀଜଗନ୍ନାଥ ହେଉଛନ୍ତି ବୈଦିକ ଠାକୁର । କାହିଁ କେଉଁ କାଳରୁ ସେ ଶ୍ରୀକ୍ଷେତ୍ରରେ ବିରାଜମାନ । ସର୍ବ ଧର୍ମ ସମନ୍ୱୟର ପ୍ରତୀକ ହେଉଛନ୍ତି ସେ । ସାମଗ୍ରିକ ଭାବେ ବିକାଶ, ରାଜନୀତି ଓ ପରିବେଶର ବିକାଶ ହୋଇପାରିଲେ ଆଧ୍ୟାତ୍ମିକ ଚେତନା ବିକଶିତ ହୋଇପାରିବ ବୋଲି କହିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧିଶ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ । ପୁରୀ ଟାଉନ ହଲରେ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ ୱାଡ ପକ୍ଷରୁ ଆୟୋଜିତ ବିଶ୍ୱ ଆଧ୍ୟାତ୍ମିକ ସମାବେଶରେ ଯୋଗଦେଇ ଶଙ୍କରାଚାର୍ଯ୍ୟ ଏହା କହିଛନ୍ତି ।
ପୁରୀରେ ତ୍ରିଦିବସୀୟ ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ ଗୋବର୍ଦ୍ଧନ ପୀଠର ପୀଠାଧିଶ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଉଦଘାଟିତ ହୋଇଛି । ସମାବେଶରେ ବିଶ୍ୱର ୨୫ ଟି ଦେଶର ପ୍ରତିନିଧି ଉପସ୍ଥିତ ଅଛନ୍ତି । ଆଧ୍ୟାତ୍ମିକ ଚେତନାର ଜାଗରଣ ସମାବେଶନର ବିଭିନ୍ନ ସେଶନରେ ଆଲୋଚନା ହେବ । ବହୁ ବିଦ୍ୱାନ ,ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ , ସାଧୁସନ୍ଥ ଏହି ସମାବେଶରେ ଯୋଗଦେଇଛନ୍ତି । କାର୍ଯ୍ୟକ୍ରମ ଉଦଘାଟନ କରି ଶଙ୍କରାଚାର୍ଯ୍ୟ କହିଥିଲେ ବିକଶିତ ରାଷ୍ଟ୍ର ଚୀନ,ଆମେରିକା ଆଦି ରାଷ୍ଟ୍ର ଆଜି କରୋନା ଦ୍ୱାରା କବଳିତ । ପୁନର୍ଜନ୍ମ ଉପରେ ବିଜୟ ଲାଭ କରିବା ପାଇଁ ମଣିଷ ଜନ୍ମ ଲାଭ କରିଥାଏ । ଋକ ବେଦ ଆଧାରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବୈଦିକ ଠାକୁର । ବିଭିନ୍ନ ଶାସ୍ତ୍ର,ପୁରାଣ ,ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଆଧାରରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିନ୍ତା,ଚେତନା ସମ୍ପର୍କରେ ବୁଝାଇଥିଲେ । ଏଥିସହ ଗୋମାତା ସମ୍ପର୍କରେ ଟିପ୍ପଣୀ ଦେଇଥିବା କୋର୍ଟ ତୁରନ୍ତ କ୍ଷମାପ୍ରାର୍ଥନା କରିବାକୁ ସେ ତାଗିଦ୍‌ କରିଥିଲେ । ଗୋହତ୍ୟା ଓ ଧର୍ମାନ୍ତିକରଣକୁ ପ୍ରୋତ୍ସାହନ ଦେଉଥିବା ଶାସନତନ୍ତ୍ର ଶାସନଗାଦିରେ ବସିବା ଯୋଗ୍ୟ ନୁହେଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ପ୍ରଥମେ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ବିଶ୍ୱବ୍ୟାପୀ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସମାବେଶରେ ସୂଚନା ଦିଆଯାଇଥିଲା । ଡଃ ହରେକୃଷ୍ଣ ଶତପଥୀ ଓ ସ୍ୱାମୀ ସମର୍ପଣାନନ୍ଦ ଗିରି ଆଧ୍ୟାତ୍ମିକ ଚେତନାର ଜାଗରଣ ସମ୍ପର୍କରେ ବୁଝାଇଥିଲେ । ରାମାୟଣ ଓ ମହାଭାରତ କେବଳ କାବ୍ୟ ନୁହେଁ ବରଂ ପୁରାଣ ଓ ଇତିହାସ ଆଧାରିତ ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ । ଏଥିସହ ହିନ୍ଦୁ ଓ ସନାତନ ଧର୍ମରେ କୌଣସି ତଫାତ୍‌ ନାହିଁ, ଜୀବ ଓ ପରତ୍ମାତ୍ମା ମଧ୍ୟରେ ଥିବା ସଂପର୍କ , ଯୁବପିଢିଙ୍କୁ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ବୁଝାଇବା ସମ୍ପର୍କରେ ମଧ୍ୟ କହିଥିଲେ । ଆଜିର ରକେଟ, କମ୍ପ୍ୟୁଟର ଓ ଆଣବିକ ବୋମା ଯୁଗରେ ସାଧୁ,ସନ୍ଥ ଓ ଅଭିଭାବକ ଶାସ୍ତ୍ର ,ପୁରାଣ ସମ୍ପର୍କରେ ଜ୍ଞାନ ଆହରଣ କରିପାରିଲେ ସମଗ୍ର ବିଶ୍ୱରେ ଭାରତ ଆଧ୍ୟାତ୍ମିକ ଗୁରୁ ହେବା ସହ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇପାରିବ ବୋଲି ଶଙ୍କରାଚାର୍ଯ୍ୟ ଉପଦେଶ ଦେଇଛନ୍ତି ।
ଏହି ସମାବେଶରେ ଟୋକିଓ, କାଲିଫର୍ଣ୍ଣଆ, କାନାଡା, ୟୁଏସଏ, ୟୁକେ , ଆୟରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ସାଉଥ କୋରିଆ, ନାଇଜେରିଆ ଆଦି ଦେଶରେ ଥିବା ପ୍ରବାସୀ ଭାରତୀୟ ଯୋଗଦେଇଛନ୍ତି । ଏଭଳି ବିଶ୍ୱ ଆଧ୍ୟାତ୍ମିକ ସମାବେଶ ପ୍ରଥମ ଥର ପାଇଁ ପୁରୀରେ ଆୟୋଜିତ ହୋଇଛି । ଆଗକୁ ନିରନ୍ତର ଭାବେ ଏହା ଆୟୋଜନ କରାଯିବ । ସମ୍ମିଳିତ ଉଦ୍ୟମ ଦ୍ୱାରା ସମଗ୍ର ବିଶ୍ୱରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇପାରିବ ବୋଲି ସଂଗଠନ ଆଶା ରଖିଛି ।

hiranchal ad1
Leave A Reply

Your email address will not be published.

9 + 19 =