ଟଙ୍କା ପାଇଁ ହୋଇଥିଲା ଅମ୍ରିତ୍‌ର ଅପହରଣ : ଏସ୍‌ପି

0 67

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ନିଖୋଜ ଘଟଣାର ଗୁମର ଖୋଲୁଛନ୍ତି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି । ଆଜି ଓଡ଼ଗାଁ ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ସମସ୍ତ ତଥ୍ୟ ଉପସ୍ଥାପନା କରିଛନ୍ତି । ପୁଲିସ ଗତକାଲି ଏହି ଅପହରଣ ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା । ଅମ୍ରିତ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନପ୍ରସାଦ ପଣ୍ଡା, ଭକ୍ତଦର୍ଶନ ପଣ୍ଡା ଓ ସୁନିଲ କୁମାର ପାଣିଗ୍ରାହିଙ୍କୁ ଗିରଫ କରିଥିଲା । ମଙ୍ଗଳବାର ସେମାନଙ୍କୁ ନେଇ କୁରାଳ ଗ୍ରାମରେ ସିନ୍‌ ରିକ୍ରିଏସନ କରିବା ସହିତ ସମସ୍ତ ତଥ୍ୟକୁ ଅପହରଣକାରି ମାନେ ମାନି ନେଇଥିଲେ ।ସୁଚନା ଥାଉକି ଅମ୍ରିତ ଟିୟୁସନରୁ ଫେରିଲା ପରେ ରାତ୍ରି ୭ ଘଟିକା ୪୦ ମିନିଟ ସମୟରେ ସୁନୀଲ ପାଣିଗ୍ରାହୀ ଓରଫ ସୋନୁ,ସ୍ୱପ୍ନପ୍ରସାଦ ପଣ୍ଡା ଓ ଭକୁଦର୍ଶନ ପଣ୍ଡା ଏକ ପିକଅପ ଭ୍ୟାନରେ ଅପହରଣ କରିଥିଲେ ।ସେ ଦିନ ସେମାନେ ଅମ୍ରିତକୁନେଇ କୋମଣ୍ଡ ପାଖରେ ପହଞ୍ଚିଥିଲେ । ପିକଅପ ଭ୍ୟାନ ଗାଡ଼ିରୁ ତେଲ ସରି ଯାଇଥିବାରୁ ଉକ୍ତ ଛକ ପାଖରେ ତେଲ ସଂଗ୍ରହ କରିଥିଲେ । ସେହିଦିନ ରାତ୍ରିରେ କୁରାଳର ବାଳିକା ଉଚ୍ଚ ବିଦ୍ୟାଳୟ ପାର୍ଶ୍ୱରେ ଥିବା ସୁଶାନ୍ତ କୁମାର ପଣ୍ଡାଙ୍କର ଗୋଟିଏ ପୁରୁଣା ଓଲଡିଙ୍ଗ ଦୋକାନରେ ଅମ୍ରିତକୁ ରଖିଥିଲେ । ଯେହେତୁ ସୁଶାନ୍ତ କୁମାର ପଣ୍ଡା ପଞ୍ଜାବରେ ରୁହନ୍ତି ଏହାର ଚାବି ସ୍ୱପ୍ନପ୍ରସାଦ ପଣ୍ଡାଙ୍କ ବାପା ସନ୍ତୋଷ କୁମାର ପଣ୍ଡା ଓରଫ ଟୁନୁଙ୍କ ପାଖରେ ରହୁଥିଲା । ଅପହରଣକାରୀମାନେ ଅମ୍ରିତକୁ ସେଠାରେ ରଖିବାକୁ ସୁବିଧା ହୋଇଥିଲା । ମାତ୍ର ସେହି ସ୍ଥାନଟି ସୁରକ୍ଷିତ ନଥିବାରୁ ସେମାନେ ଅମ୍ରିତକୁ କୁରାଳ ପଣ୍ଡିତ ସାହି ସୁଶାନ୍ତ ପଣ୍ଡାଙ୍କ ଘରକୁ ଆଣିଥିଲେ । ସେଠାରେ ଏକ ଆରି ସାହାଯ୍ୟରେ ତାଲାକୁ କାଟିଥିଲେ । ଅମ୍ରିତକୁ ଭ୍ରମିତ କରିବା ପାଇଁ ଅପହରଣକାରିମାନେ ସମସ୍ତେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ । ପୁଲିସ ଉକ୍ତ ଘରୁ ଅପହରଣରେ ବ୍ୟବହୃତ ଅନେକ ଜିନିଷ ମଧ୍ୟ ଜବତ କରିଛି । ଅପହରଣ କରିବା ପରେ ଭକ୍ତ ଦର୍ଶନଙ୍କର ବଡ଼ବାପା ସୁଶାନ୍ତ କୁମାର ପଣ୍ଡା ଓରଫ ଟୁକୁ (ପଞ୍ଜାବରେ ରୁହନ୍ତି) ଘରର ଏକ ନିବୁଜ କୋଠରୀ ମଧ୍ୟରେ ରଖି ବିସ୍କୁଟ ଓ ପକୁଡି ଖାଇବାକୁ ଦେଉଥିବା ଜଣାପଡିଛି । ମୁହଁରେ ପଟି ବାନ୍ଧିବା ସହ ମଝିରେ ମଝିରେ ଅମ୍ରିତକୁ ଧମକାଉଥିଲେ । ଅମ୍ରିତ କାଳେ ଖସିଯିବ ସେଥିପାଇଁ ଦୁଇଗୋଟି ଗାମୁଛା ଦ୍ୱାରା ଅମ୍ରିତକୁ ବାନ୍ଧି ରଖୁଥିଲେ । ପୁଲିସ ଦୁଇ ଗୋଟି ଗାମୁଛା, ଏକ ପଲିଥିନ ଜରି ଓ ଆରିକୁ ଜବତ କରିଛି ।
ଅମ୍ରିତକୁ ଅପହରଣ କରି ଭକ୍ତଦର୍ଶନ ବଡ଼ବାପା ସୁଶାନ୍ତ ପଣ୍ଡାଙ୍କ ରୋଷେଇ ଘର ପାଖ ନିକଟ ନିବୁଜ ଘର ମଧ୍ୟରେ ଦୁଇ ଗୋଟି ଗାମୁଛା ମାଧ୍ୟମରେ ହାତ ଗୋଡ଼କୁ ବାନ୍ଧି ରଖିଥିଲେ ଅଭିଯୁକ୍ତ । ଅନ୍ୟପକ୍ଷେ ଏହି ଘଟଣା ସମସ୍ତ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଉକ୍ତ ଘଟଣାକୁ ଗୁରୁତର ଭାବେ ନେଇଥିଲା ପୁଲିସ । ବିଶେଷ କରି ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ଗଠନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଦିନ କୁରାଳକୁ ଘନ ଘନ ପୁଲିସ ଗସ୍ତ କରିଥିଲା ଓ ତଥ୍ୟ ସଂଗ୍ରହ କରିଥିଲା । ପୁଲିସ ଘଟଣାର ଛାନ୍‌ ଭିନ୍‌ କରିବାକୁ ଯାଇ ସାଧା ପୋଷାକରେ ସାହି ସାହିରେ ବୁଲୁଥିଲା । ଏପଟେ ପୁଲିସର ଏକ ସ୍ପେଶାଲ ଟିମ୍‌ ଗଂଜାମ, କନ୍ଧମାଳ ଏବଂ ବିଭିନ୍ନ ଜିଲ୍ଲା ଗ୍ରସ୍ତ କରି ଅପହରଣକାରୀଙ୍କ ଉପରେ ନଜର ରଖିଥିଲା । ସାଧା ପୋଷାକରେ ବୁଲୁଥିବା ପୁଲିସ ଘର ଘର ଯାଞ୍ଚ କରାଯିବ ବୋଲି ଗାଁରେ କହି ବୁଲୁଥିଲେ ଏବଂ ଦରକାର ପଡିଲେ ସିବିଆଇ ଏହି ଘଟଣାରତଦନ୍ତ କରିବ ବୋଲି କହିଥିଲେ । ଏସବୁ ଘଟଣା ଅପହରଣକାରୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବାବେଳେ ପୁଲିସର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ ଅପହରଣକାରୀ । ମଙ୍ଗଳବାର ଅଭିଯୁକ୍ତ ସ୍ୱପ୍ନପ୍ରସାଦ ଓ ସୁନୀଲ ପୁଲିସକୁ ଅପହରଣର ସମ୍ପୂର୍ଣ୍ଣ ଡେମୋ ଦେଖାଇଥିଲା । ଏହି ସମୟରେ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ସୁଶାନ୍ତ ପଣ୍ଡାଙ୍କର ପୁରୁଣା ଓଲଡିଙ୍ଗ ଦୋକାନ ମଧ୍ୟରୁ ଅଭିଯୁକ୍ତ ଭକ୍ତଦର୍ଶନର ଶୀତକାଳୀନ ବସ୍ତ୍ର ଓ ଭକ୍ତଦର୍ଶନର ବାରିପଟ କୁଅ ମଧ୍ୟରୁ ଅମ୍ରିତର ଟିୟୁସନ ବ୍ୟାଗ ମଧ୍ୟ ମିଳିଥିଲା । ଅପହରଣରେ ବ୍ୟବହୃତ ପିକଅପ ଭ୍ୟାନ ସମେତ ଛୁରୀ , ଆରି ପାତିଆ, ଦୁଇ ଗାମୁଛା ଓ ଅମ୍ରିତ ଅପହରଣରେ ବ୍ୟବହୃତ ବୋଲେରୋ ପିକଅପ ଓଡ଼ି ୦୨ ବିଏକ୍ସ ୯୨୧୨ ଗାଡି ସମେତ ସୁଶାନ୍ତ ପଣ୍ଡାଙ୍କର ଘର ତାଲା କାଟିବାରେ ବ୍ୟବହାର ହୋଇଥିବା ଆରି, ତାଲା, ଛୁରୀ ଓ ଦୁଇ ଗାମୁଛାକୁ ଜବତ କରିଛି । ତାଲା କାଟିବାରେ ବ୍ୟବହାର ହୋଇଥିବା ଆରିକୁ ସେମାନେ କୁରାଳ ଗ୍ରାମର ନାରାୟଣ ଜାନୀ ଠାରୁ ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ଦେଖାଇ ଆଣିଥିବା କହିଛନ୍ତି । ମଙ୍ଗଳବାର ରାତି ସମୟରେ ଘରକୁ ଫେରିଛି ଅମ୍ରିତ । ଘରକୁ ଫେରିବା ପରେ କୁରାଳ ଗ୍ରାମବାସୀଙ୍କ ସମେତ ପରିବାରବର୍ଗଙ୍କ ମଧ୍ୟରେ ଖୁସି କହିଲେ ନ ସରେ । ଅପହରଣ ପରେ ସୁସ୍ଥ ଓ ଅକ୍ଷତ ଅବସ୍ଥାରେ ଅମ୍ରିତ ଘରେ ପହଞ୍ଚିଥିବାରୁ ବୁଧବାର ଆଦର୍ଶ ଥାନା ପରିସରରେ ଗଣମାଧ୍ୟମ ପ୍ରତିନିଧ , ପୁଲିସ ଓ ପ୍ରଶାସନର ଉପସ୍ଥିତିରେ କେକ କାଟି ଖୁସି ମନାଇଛନ୍ତି ପିତାମାତା । ମା ହରପ୍ରିୟାଙ୍କ କହିବା ଅନୁଯାୟୀ ପୁଅ ନୂଆ ଜନ୍ମ ପାଇଛି । ଅମ୍ରିତ ଉଦ୍ଧାର ନିମନ୍ତେ ସହଯୋଗ କରିଥିବା ପୁଲିସ, ସାମ୍ବାଦିକ ବନ୍ଧୁଗଣ ଓ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

7 + 4 =