ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ

0 48

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତ ମାନେ ବେଶ୍‌ ନିଷ୍ଠାର ସହ ଏହି ବେଶ ତିଆରି କରିଛନ୍ତି । ଆଜି ରାତିରେ ବଡସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ ।
ଗତ ପଣ୍ଡୁ ପୁର୍ଣ୍ଣିମା ଠାରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ପ୍ରସ୍ତୁତ ଆରମ୍ଭ ହୋଇଥିଲା । ସୋଲ, ଜରି, ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଛି । ଏହି ବେଶ ନିର୍ମାଣ କାର୍ଯ୍ୟରେ ଦରଜି ଓ ଚିତ୍ରକର ସେବକ ମଧ୍ୟ ନିୟୋଜିତ ହୋଇଥାନ୍ତି । ଆବଶ୍ୟକ ସୋଲ ସଂଗ୍ରହ କରାଯାଇ ତାକୁ କଟାଯିବା ପରେ ପରସ୍ତ ପରସ୍ତ କରି ଯୋଡାଯାଇ ଶ୍ରୀମୁଖ ପଦ୍ମ ଆକୃତିର ପ୍ରସ୍ତୁତ କରାଯାଏ । ଆଜି ସନ୍ଧ୍ୟାରେ ଏହି ବେଶକୁ ଶ୍ରୀମନ୍ଦିରକୁ ନିଆଯିବ । ରାତିରେ ବଡସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ସଜ୍ଜିତ ହେବେ । ଆସନ୍ତାକାଲି ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ।
କିମ୍ବଦନ୍ତୀ ଅନୁଯାୟୀ, ଉତ୍କଳ ଠାରୁ ଶହ ଶହ ମାଇଲ ଦୂରରେ ଥିଲେ ଜଣେ ହିନ୍ଦୀ ଭାଷୀ ସାଧୁ । ତାଙ୍କର ନାମ ଥିଲା ମନୋହର ଦାସ । ଏକଦା ମହାତ୍ମା ମନୋହର ଦାସ ଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ତାଙ୍କର ପ୍ରବଳ ଆକାଂକ୍ଷା ଥିଲା ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡା ସତ୍ତେ୍ୱ ସେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି । ପଥ ମଧ୍ୟରେ ରାତ୍ରି ହୋଇଗଲେ କୈଣସି ମନ୍ଦିର, ମଠ, ଆଶ୍ରମ କିମ୍ବା ବୃକ୍ଷ ତଳେ ବିଶ୍ରାମ ନିଅନ୍ତି । ପଦବ୍ରଜରେ ଯାଉଥିବା ବେଳେ ସାଧୁଙ୍କୁ ଥରେ ଭୀଷଣ ଶୋଷ ହେଲା । ପାଖରେ କୌଣସି ଗ୍ରାମ କିମ୍ବା ଜଳାଶୟ ନଥିଲା । କିଛି ପଥ ଅତିକ୍ରମ କରିବା ପରେ ହଠାତ ତାଙ୍କର ଦୃଷ୍ଟି ଗୋଚର ହେଲା ଗୋଟିଏ ପୁଷ୍କରିଣୀ ମଧ୍ୟେ ଅନେକ ପଦ୍ମ ଫୁଲ ଫୁଟିଛି । ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶୀତଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ । ସେ ମନେ ମନେ ଜଗନ୍ନାଥଙ୍କୁ ସୁମରଣା କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ପୁଷ୍ପକୁ ତୋଳି ନିକଟରେ ଥିବା ଏକ ମଇଳା ଗାମୁଛାରେ ନେଇଥିଲେ । ମାଘ ମାସ ଅମାବାସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମଫୁଲ ଗୁଡ଼ିକ ଶ୍ରୀଜୀଉମାନଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ । ମଇଳା ଗାମୁଛାରେ ଥିବା ଶୁଷ୍କ ପଦ୍ମ ଫୁଲକୁ ଦେଖି ପଣ୍ଡା ଏହା ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ତିରସ୍କାର କଲେ । ଏ ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡ଼ିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡ଼ିଲେ । ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଲେ: ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ । ପଦ୍ମ ଚାଉଳରେ ଖିରି ଭୋଗକରି ସେହି ସାଧୁଙ୍କୁ ସେବନ କରାଇ ତାଙ୍କର ଜୀବନ ରକ୍ଷା କର ।
ଭକ୍ତ ପ୍ରବର ସାଧୁ ମନୋହର ଦାସଙ୍କ ଶ୍ରୀଜଗନ୍ନାଥଙ୍କୁ ପଦ୍ମ ପୁଷ୍ପ ପ୍ରଦାନର କିମ୍ବଦନ୍ତୀ ମୂଳକ ଆଖ୍ୟାନ ଅନୁକ୍ରମେ ମାଘମାସରେ ଏହି ବେଶରେ ଜଗନ୍ନାଥ ମହାପ୍ରଭୁ ସୋଲରେ ନିର୍ମିତ ପଦ୍ମ ପୁଷ୍ପ ପରିହିତ ହୋଇଥାନ୍ତି ।

hiranchal ad1
Leave A Reply

Your email address will not be published.

12 + 6 =