ଯୁଧିଷ୍ଠିରଙ୍କୁ ଆବାସ ଘର ସାତସପନ; ବିଧବା ବୋହୂକୁ ବି ମିଲୁନି ଭତ୍ତା, ସରକାରୀ ସହାୟତା ଅପେକ୍ଷାରେ ପରିବାର

0 52

ନୂଆପଡ଼ା : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ନିରୀହ ଲୋକଙ୍କ ପାଇଁ ଅନେକ ସରକାରୀ ଯୋଜନା କରି ସହାୟତା ପ୍ରଦାନ କରୁଛନ୍ତି । ହେଲେ ସ୍ଥାନୀୟ ବିଭାଗୀୟ ଅଧିକାରୀ ମାନଙ୍କ ବେପରୁଆ ନୀତି ଯୋଗୁଁ ପ୍ରକୃତ ହିତାଧିକାରୀ ମାନେ ଯୋଜନା ରୁ ବଞ୍ଚିତ ରହୁଛନ୍ତି । ଏମିତି ଏକ ଗରିବ ପରିବାର ଯାହାଙ୍କ ପାଇଁ ଭଲରେ ଦୁଇଓଳି ଖାଇବାକୁ ଦୁଇମୁଠା ମିଲୁନଥିବା ବେଳେ ଆବାସ ଘର ସାତ ସପନ ହୋଇଛି । ପୁଣି ପୁଅର ମୃତ୍ୟୁ ହେଲାପରେ ମଧ୍ୟ ଏ ଯାଏଁ ବୋହୂକୁ ବିଧବା ଭତ୍ତା ମିଳି ନଥିବା ଯୋଗୁଁ ପରିବାର ଚଳିବା କଷ୍ଟକର ହେଉଥିବା ଜଣାପଡିଛି । ପରିବାର ବସବାସ କରିବାକୁ ଘର ଖଣ୍ଡିଏ ନଥିବା ବେଳେ ଏକ ସରକାରୀ ସ୍ଥାନରେ ପଲିଥିନ ଓ ଟିଣ ଢାଙ୍କି ବହୁତ ଦୁଃଖରେ ଦିନରାତି କାଟୁଥିବା ଜଣାପଡିଛି । ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା କଲୋନୀ ପଡାରେ ଯୁଧିଷ୍ଠିର ଭୋଇଙ୍କ ପରିବାର ବସବାସ କରୁଛନ୍ତି । ପରିବାର କହିଲେ ତାଙ୍କ ସ୍ତ୍ରୀ ପାଟ ଭୋଇ, ବିଧବା ବୋହୂ କୁମେ ଭୋଇ , ନାତି ଝଙ୍କାର ଭୋଇ (୪) ଓ ସବ୍ୟ ଭୋଇ (୨) ମିଶି ୫ଜଣ ସଦସ୍ୟ ରହୁଛନ୍ତି । ହେଲେ ଯୁଧିଷ୍ଠିର ଭୂମିହୀନ ହୋଇଥିବା ବେଳେ ଏକ ସରକାରୀ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ପଲିଥିନ ଓ ଟିଣ ଢାଙ୍କି ବହୁତ ଦୁଃଖରେ ପରିବାରକୁ ନେଇ ଦିନରାତି କାଟୁଛନ୍ତି । ବର୍ଷା ପବନ ସାଙ୍ଗକୁ ସାପ ବେଙ୍ଗ ଭଳି ଅନେକ ପ୍ରକାରର ବିଷାକ୍ତ ଜୀବ ପ୍ରତି ସବୁବେଳେ ଭୟ ରହୁଛି । ତାଙ୍କୁ ଆଜି ଯାଏଁ ସରକାରୀ ଯୋଜନା ତରଫରୁ ଆବାସ ଘର ଖଣ୍ଡିଏ ମିଳିନାହିଁ । ଯାହା ଫଳରେ ପରିବାରକୁ ନେଇ ଯାଯାବର ଭଳି ଦିନରାତି କାଟୁଛନ୍ତି । ଯୁଧିଷ୍ଠିରଙ୍କୁ ଏକ ଅଜଣା ରୋଗ ହୋଇଥିବା ବେଳେ ତାଙ୍କ ହାତ ଗୋଡର ଆଙ୍ଗୁଠି ଗୁଡିକ ମୋଡି ମୋଡି ହୋଇଯାଉଛି । ଯାହା ଫଳରେ କାମଧନ୍ଦା କରି ଚଲିବା ତାଙ୍କ ପାଇଁ ଅଭିଶାପ ସାଜିଥିବା ବେଳେ ତାଙ୍କ ଶରୀର ଅସୁସ୍ଥତା ଦେଖି ଲୋକେ କାମଧନ୍ଦା ପାଇଁ ଡାକୁ ନଥିବା ଜଣାପଡିଛି । ଯାହା ଫଳରେ ସେ ଦୁଇପଇସା ରୋଜଗାର କରିବାରେ ମଧ୍ୟ ସକ୍ଷମ ହେଉନାହାଁନ୍ତି । ତାଙ୍କ ଏଭଳି ଅସୁବିଧା ଯୋଗୁ ପରିବାର ଚଳାଇବା କଷ୍ଟ ହୋଇଯାଇଛି । ତାଙ୍କ ଗୋଟିଏ ବୋଲି ପୁଅ କିଶୋର ଭୋଇ ଏକ ଅଜଣା ରୋଗରେ ପଡି ମୃତ୍ୟୁ ହୋଇଥିବା ବେଳେ ବୋହୂ କୁମେ ଭୋଇଙ୍କୁ ଏଯାଏଁ ବିଧବା ଭତ୍ତା ମିଳିନାହିଁ । ତାଙ୍କ ଦୁଇ ନାତି ରହିଥିବା ବେଳେ ବର୍ତ୍ତମାନ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇଯାଇଛି ।କେତେବେଳେ କେମିତି କାମଟିଏ ମିଳିଗଲେ ସ୍ତ୍ରୀ ଓ ବୋହୂ କାମକରି ଦୁଇପଇସା ଆଣିଲେ ପରିବାର ଚଳୁଛି । ଏଣୁକରି ଯୁଧିଷ୍ଠିରଙ୍କ ଉତ୍ତମ ଚିକିତ୍ସା, ଆବାସ ଘର, ବିଧବା ଭତ୍ତା ଜରୁରୀ ହୋଇ ପଡିଥିବା ବେଳେ ସରକାରୀ ସହାୟତା ପାଇଁ ପରିବାର ଲୋକେ ସରକାରଙ୍କୁ ଦୁଃଖଭରା ଲୁହ, କୋହଭରା କଣ୍ଠରେ ସରକାରଙ୍କୁ ନିବେଦନ କରୁଛନ୍ତି । ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟିଦେଇ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଛି ।

hiranchal ad1
Leave A Reply

Your email address will not be published.

five × two =