ଆଜି ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

0 47

ପୁରୀ : ଚୈତ୍ର ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହେଉଛି । ଦକ୍ଷିଣ ଘର ଭୋଗ ଶେଷ ପରେ ରାମକୃଷ୍ଣଙ୍କୁ ସିଂହାସନକୁ ବିଜେ କରାଯାଇ ଆଜ୍ଞା ମାଳ ପ୍ରଦାନ କରାଯାଇଥିଲା । ଗତଦିନ ଅଧିବାସ ହୋଇଥିବା କନ୍ଦର୍ପ ପଟିକୁ ମହାଜନେ ବିଜେ କରାଇ ଘଣ୍ଟା, ଛତା, କାହାଳୀ ସହ ବଟଗଛ ମୂଳରେ ପାଲିଙ୍କି ଆଗରେ ଦଣ୍ଡାୟମାନ ଥିଲେ । ରାମକୃଷ୍ଣ ସ୍ଥାନକୁ ଆସି ପାଲିଙ୍କିରେ ବିଜେ ହୁଅନ୍ତି । ବିମାନବଡୁମାନେ ଘଣ୍ଟ, ଛତା, କାହାଳୀ ସଙ୍ଗରେ କନ୍ଦର୍ପ ପଟି ଆଗରେ ଥାଇ ରାମକୃଷ୍ଣଙ୍କୁ ପାଲିରେ ନେଇ ଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି । ସେଠାରେ ମହାଜନମାନେ ରାମକୃଷ୍ଣଙ୍କୁ ଖଟ ଉପରେ ବିଜେ କରାନ୍ତି । କନ୍ଦର୍ପ ପଟି ଦିଅଁଙ୍କ ଆଗରେ ବିଜେ କରାଯାଏ । ଏଠାରେ ବିଧିପୂର୍ବକ ହୋମ, ଭୋଗ ଓ ବନ୍ଦାପନା ହୁଏ । ରାମ ଓ କୃଷ୍ଣ ନିଃଶବ୍ଦରେ ଉଦ୍ୟାନକୁ ଯାଇ ଦୟଣାଚୋରି କରନ୍ତି । ଭିତରଛୁ ମହାପାତ୍ର ରାମକୃଷ୍ଣଙ୍କ ଶ୍ରୀହସ୍ତରେ ଦୁଇଗଛ ଦୟଣାଲାଗି କରନ୍ତି । ବାକି ଚାରିଗଛି ଦୟଣାପତି ନୂଆ ତାଡ଼ରେ ରଖି ଖଣ୍ଡୁଆ ଘୋଡାଇ ରାମକୃଷ୍ଣଙ୍କ ସହିତ ପାଲିଙ୍କିକୁ ଆସନ୍ତି । ବାହୁଡ଼ା ବିଜେ ପରେ ଶ୍ରୀମନ୍ଦିର ବଟମୂଳେ ପାଲିଙ୍କି ରଖାଯାଏ । ପୁର୍ବରୁ ଭୋଗମଣ୍ଡପ ଘରେ ଧୋପଖାଳ ହୋଇ ଚାନ୍ଦୁଆ ଟଣା ହୋଇଥାଏ । ଚାନ୍ଦୁଆ ତଳେ ବାଲିବନ୍ଧ ଉପରେ ଦୟଣା, ମରୁଆ ସୁବାସଗଛମାନ ଲଗାଯାଇଥାଏ । ଗରୁଡ଼ ଦ୍ୱାରଠାରେ ମହାଜନେ ରାମ ଓ କୃଷ୍ଣଙ୍କ ଶ୍ରୀହସ୍ତରେ ଲାଗି ହୋଇ ରହିଥିବା ଦୟଣାଗଛ ମଇଲମ କରନ୍ତି ଓ ଦୟଣାପତ୍ରି ଉକ୍ତ ଗଛମାନଙ୍କୁ ତାଡ଼ରେ ରଖନ୍ତି । ବଡ଼ସିଂହାର ଭୋଗ ପରେ ମଦନମୋହନ ଠାକୁର ଭିତରକୁ ବିଜେ କରନ୍ତି । ଶ୍ରୀଦେବୀ, ଭୂଦେବୀ ଓ ମଦନ ମୋହନ ଆଜ୍ଞାମାଳ ପାଇଲା ପରେ ଭୋଗମଣ୍ଡପ ଘରେ ପଡ଼ିଥିବା ଶେଯ ଉପରେ ବିଜେ କରନ୍ତି । ବିଜେ ପରେ ମହାଜନେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କ ହାତରେ ତିନିଟି ଦୟଣା ଗଛ ବାନ୍ଧି ଦିଅନ୍ତି । ସେମାନଙ୍କ ଆଗରେ ଆଉ ତିନିଟି ଗଛକୁ ତିନିଟି ଚାଙ୍ଗୁଡ଼ିରେ ରଖାଯାଏ । ପୂଜାପଣ୍ଡା ମେଡ଼ି ପତନି ଫୁଲଚନ୍ଦନ ଦେଇ ମଣ୍ଡଳ ଉପରେ ତିନିଟି ଚାଙ୍ଗୁଡ଼ି ରଖନ୍ତି । ଏହାପରେ ପାଣିପଡ଼ି, ଶୀତଳ ଭୋଗ ବଢ଼ାଯାଇ ପଞ୍ଚ ଉପଚାରରେ ମଣୋହି ହୁଏ । ଭୋଗମଣ୍ଡପ ଘର ଦ୍ୱାରମାନଙ୍କୁ ତଡ଼ଉକରଣ ମୁଦ ଦିଅନ୍ତି । ଏହାପରେ ଭିତର ବଡସିଂହାର ଭୋଗ ହୁଏ ଓ ପହୁଡ଼ ଆଳତି ହୁଏ ।

hiranchal ad1
Leave A Reply

Your email address will not be published.

one × 3 =