ଜଳାଭାବ ଜନିତ ସମସ୍ୟା ଦୂର କରିବାକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ନେଇ ବୈଠକ

0 41

ଫୁଲବାଣୀ :- ଚଳିତ ୨୦୨୩ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ଜଳକଷ୍ଟ ଦୂର କରିବା ଉଦ୍ଦେଶ୍ୟରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, କନ୍ଧମାଳ, ଫୁଲବାଣୀ ଦ୍ୱାରା ଏକ ପ୍ରସ୍ତୁତି ବୈଠକ ଭର୍ଚୁଆଲ ମୋଡ୍‌ରେ ଆଜି ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ଜନ ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନୱାଡ଼ି କର୍ମୀ ମାନଙ୍କ ମାଧ୍ୟମରେ ଅଂଶୁଘାତଜନିତ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ କରଣୀୟ ଓ ଅକରଣୀୟ ତଥ୍ୟ ସମ୍ବଳିତ ପ୍ରଚାର ପତ୍ର ଜନସାଧାରଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ବିହିତ ପଦକ୍ଷେପ ନେବା ସହିତ ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଓ.ଆର୍‌.ଏସ୍‌., ସାଲାଇନ୍‌, ଜୀବନ ରକ୍ଷାକାରୀ ଔଷଧ ମହଜୁଦ୍‌ ରଖିବା ପାଇଁ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଥିଲା । ସେହିପରି, ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ରଗୁଡ଼ିକରେ ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଔଷଧ ମହଜୁଦ କରିବା ସହିତ କଣ୍ଟ୍ରୋଲ୍‌ ରୁମ ଖୋଲିବାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଥିଲା ।
ଜଳାଭାବ ଜନିତ ସମସ୍ୟା ଦୂର କରିବାକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏତଦ୍‌ବ୍ୟତିତ, ଜନଗହଳି ସ୍ଥାନ, ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡି କେନ୍ଦ୍ର ପରିସର ମଧ୍ୟରେ କିମ୍ବା ନିକଟରେ ଅଚଳ ଥିବା ନଳକୂପ କିମ୍ବା ପାଇପ୍‌ ଯୋଗେ ଜଳ ଯୋଗାଣ ବ୍ୟବସ୍ଥାର ତୁରନ୍ତ ମରାମତି କରିବା ସହିତ ଆବଶ୍ୟକ ସ୍ଥଳେ ନୂତନ ନଳକୂପ ଖୋଳିବା ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ମଧ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଏବଂ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କୁହାଯାଇଥିଲା ।
ପାନୀୟ ଜଳ ସୁବିଧା ନଥିବା ସ୍ଥାନ ମାନଙ୍କୁ କିମ୍ବା ତ୍ୱରିତ ମରାମତି ହୋଇପାରୁ ନଥିବା ସ୍ଥାନଗୁଡ଼ିକୁ ଟ୍ୟାଙ୍କର ସାହାଯ୍ୟରେ ପାନୀୟ ଜଳ ଯୋଗାଇବା , ଜଳଛତ୍ର ସ୍ଥାପନ କରିବା, ଷ୍ଟାଣ୍ଡ ପୋଷ୍ଟଗୁଡ଼ିକର ଆବଶ୍ୟକୀୟ ମରାମତି କରିବା, ଜନସ୍ୱାସ୍ଥ୍ୟ ବିଭାଗୀୟ ଉପଖଣ୍ଡ ଅଧିକାରୀ ଏବଂ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ କୁହାଯାଇଥିଲା । ନିର୍ମାଣ ଶ୍ରମିକ କିମ୍ବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଶ୍ରମିକମାନଙ୍କୁ ଟାଣ ଖରାରେ ଶାରିରୀକ ପରିଶ୍ରମ ନକରିବାକୁ ପରାମର୍ଶ ଦେବା, ଯାତ୍ରୀବାହି ବସ୍‌ରେ ଓ କାର୍ଯ୍ୟକ୍ଷେତ୍ରରେ ବିଶଦ୍ଧ ପାନୀୟ ଜଳ, ଓ. ଆର୍‌. ଏସ୍‌. ପ୍ୟାକେଟ୍‌ ଏବଂ ଆଶୁ ଚିକିତ୍ସାପାଇଁ ଔଷଧ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କୁହାଯାଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କନ୍ଧମାଳ ବିଶ୍ୱରଞ୍ଜନ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ପଦାଧିକାରୀମାନେ ଯୋଗଦେଇ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସେମାନଙ୍କ ବିଭାଗଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଆପଦକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ ବୈଠକକୁ ପରିଚାଳନା କରିବା ସହିତ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 3 =