ସୁପ୍ରିମକୋର୍ଟର କଡ଼ା ତାଗିଦ ସତ୍ତେ୍ୱ୍ୱ ଆନ୍ଦୋଳନ, ବନ୍ଦ ରହିଲା କୋର୍ଟ କଚେରୀ

0 44

ସମ୍ବଲପୁର : କୋର୍ଟ କଚେରୀ ବନ୍ଦ ଆନ୍ଦୋଳନରୁ ବିରତ ରହିବାକୁ ସୁପ୍ରିମକୋର୍ଟର କଡ଼ା ତାଗିଦ ସତ୍ତେ୍ୱ ସମ୍ବଲପୁରରେ ଆଜି ଓକିଲ ଓ ଜନସାଧାରଣଙ୍କ ପକ୍ଷରୁ ଆନ୍ଦୋଳନ ଅବ୍ୟାହତ ରହିଛି । ସବୁ ଦିନପରି ଜିଲ୍ଲା ଜଜ ନିଜ ସହଯୋଗୀ ମାନଙ୍କ ସହିତ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଆସି କଚେରୀ ଛକଠାରେ ଆନ୍ଦୋଳନର ସମ୍ମୁଖୀନ ହେଲେ ଓ ପ୍ରାୟ ଘଣ୍ଟାଏ ଯାଏଁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ଫେରି ଯିବାକୁ ବାଧ୍ୟ ହୋଇଥିଲେ । ଏହି ବିଷୟରେ ଏକ ମାମଲାର ଶୁଣାଣି ପରେ ସୁପ୍ରିମକୋର୍ଟ ଗତ ସୋମବାର ଦିନ ନିର୍ଦ୍ଦେଶ ଦେଇ ସ୍ପଷ୍ଟ ଶବ୍ଦରେ ଆନ୍ଦୋଳନକାରୀଙ୍କୁ ଏଥିରୁ ବିରତ ରହିବାକୁ କହିଛନ୍ତି । ଓକିଲଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଆଜି ଜିଲ୍ଲା ଓକିଲ ସଂଘ ଓ ସ୍ଥାନୀୟ ନାଗରିକ କ୍ରିୟାନୁଷ୍ଠାନ କମିଟିର ମିଳିତ ଉଦ୍ୟମରେ ରାସ୍ତାରୋକ ଆନ୍ଦୋଳନ ହୋଇଥିଲା । ଏହି ରାସ୍ତାରୋକ ସମୟରେ ଏଏସପି, ଡିଏସପି ଓ ପ୍ରାୟ ଦଶଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ବହୁସଂଖ୍ୟକ ପୁଲିସ ବଳ ମୁତୟନ କରାଯାଇଥିଲା । ଆରମ୍ଭରେ ପୁଲିସର ବଳ ପ୍ରୟୋଗ ଫଳରେ ଆଗଧାଡିର କିଛି ଯୁବା ଆନ୍ଦୋଳନକାରୀଙ୍କୁ ସାମାନ୍ୟ ଆଘାତ ପହଞ୍ଚି ଥିଲା ଓ ଉଭୟ ପକ୍ଷରୁ ତାତ୍କାଳିକ ମଧ୍ୟସ୍ଥତା ଯୋଗୁଁ ଏହା କୌଣସି ଉଗ୍ରରୂପ ନେଇ ପାରି ନଥିଲା । ଉପର ମହଲରୁ ଶାନ୍ତି ଶୃଙ୍ଖଳାର ସହିତ ଏହାର ସମାଧାନ ପାଇଁ ବୋଧହୁଏ ପୂର୍ବରୁ ନିର୍ଦ୍ଦେଶ ରହିଥିଲା । ଏଣୁ ଏବିଷୟରେ ପୁଲିସ ଆଉ ଅଧିକ ବଳ ପ୍ରୟୋଗ କରିବାକୁ ଆଗେଇ ନ ଥିଲା । ଆନ୍ଦୋଳନକାରୀଙ୍କ ଠାରୁ ସାମାନ୍ୟ ଦୂରରେ ଜିଲ୍ଲା ଜଜ ଓ ଜିଲ୍ଲା ସ୍ତରୀୟ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ପ୍ରାୟ ଘଣ୍ଟାଏ ଯାଏ ଠିଆ ହୋଇ ରହିଥିଲେ ଓ ଉଭୟଙ୍କ ମଝିରେ ସମାଧାନ ପାଇଁ ଏଏସପି ବାରମ୍ବାର କଥାବାର୍ତ୍ତା କଲାପରେ ସେଠାରୁ ସଦଳବଳ ଫେରିଯିବା ପାଇଁ ଜିଲ୍ଲା ଜଜ ନିଷ୍ପତ୍ତି ନେଇଥିଲେ । ଅବଶ୍ୟ ଏହା ପୂର୍ବରୁ ସେ ତାଙ୍କ ଉଚ୍ଚାଧିକାରୀଙ୍କ ସହିତ ମୋବାଇଲ ଫୋନ ଜରିଆରେ ପରାମର୍ଶ ନେଇଥିଲେ ।

hiranchal ad1
Leave A Reply

Your email address will not be published.

two × 5 =