ସାମ୍ବାଦିକଙ୍କୁ ପୋଲିସ ଆକ୍ରମଣ ଘଟଣା; ଓଜେୟୁ, କଂଗ୍ରେସ ଓ ବିଜେପିର ପ୍ରତିବାଦ

0 195

ନବରଙ୍ଗପୁର: ପାପଡାହାଣ୍ଡି ଥାନା ଥାନା ଠାରେ ଗତ ୧୪ ସେପ୍ଟେମ୍ବରରେ ଏକ ପ୍ରେମ ଜନିତ ମାମଲାକୁ କେନ୍ଦ୍ର କରି ନବରଙ୍ଗପୁର ପୋଲିସ ଏଏସପି ମହିଳାମାନଙ୍କୁ ଅସମ୍ମାନ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସାମ୍ବାଦିକ ମାନେ ଥାନାରେ ଏଏସପି ଜୟକୃଷ୍ଣ ବେହେରାଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ବିଳମ୍ୱିତ ରାତିରେ ଜିଲ୍ଲା ଏଡିଏମ ଭାସ୍କର ରଇତ ଥାନାରେ ପହଞ୍ଚି ସାମ୍ବାଦିକଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ଆସନ୍ତା ୨୧ ତାରିଖରେ ଏସପି ଛୁଟିରୁ ଫେରିବା ପରେ ଏହି ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ପରେ ସାମ୍ୱାଦିକ ମାନେ ଧାରଣାରୁ ଉଠିଥିଲେ ।
ଏହି ଘଟଣାକୁ କେନ୍ଦ୍ର କରି ନବରଙ୍ଗପୁର ଜିଲ୍ଲା ଓଡ଼ିଶା ସାମ୍ୱାଦିକ ସଂଘ (ଓଜେୟୁ) ତରଫରୁ ଏକ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀଙ୍କ ନେତୃତ୍ୱରେ ସମ୍ପାଦକ ଜାନକୀ କାନ୍ତ ବିଷୋୟୀ, ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା, ଉପସଭାପତି ରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସମ୍ପାଦକ କେ. ବେଣୁ ଗୋପାଳ ରାଓ, ଉପଦେଷ୍ଟା ଭାଗିରଥୀ ମଲ୍ଲିକ, ଶିବ ଶଙ୍କର ବିଷୋୟୀ, ରାମ ପ୍ରାସାଦ ବିଷୋୟୀ, ଦେବୀ ମହାପାତ୍ର ସବ୍ୟସାଚୀ ଭତରା, ପପୁ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଘଟଣାର ନିନ୍ଦା କରିବା ସହ ଶୀଘ୍ର ତଦନ୍ତ କରି ଅଭିଯୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଥିଲେ ।
ଆପରପକ୍ଷେ କଂଗ୍ରେସ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାରେ ମାଆ ମାନଙ୍କୁ ଅସମ୍ମାନ ଓ କାର୍ଯ୍ୟରତ ସାମ୍ୱାଦିକ ମାନଙ୍କୁ ଆକ୍ରମଣକାରୀ ଏଏସପିଙ୍କ ବିରୁଦ୍ଧରେ ସାତ ଦିନ ମଧ୍ୟରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏଏସପି ବେହେରା ନାରୀ ଶରୀରର ସମ୍ବେଦନଶୀଳ ଅଂଶକୁ ଜାଣି ଶୁଣି ଛୁଇଁଥିବା ଅଭିଯୋଗ କରି ଶୀଘ୍ର ତାଙ୍କୁ ଚାକିରିରୁ ବହିଷ୍କୃତ କରିବା ପାଇଁ ଦାବି କରିଥିଲେ । ଯଦି ଆଗମୀ ସାତ ଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆ ନ ଗଲେ କଂଗ୍ରେସ ଦଳ ତୀବ୍ର ଆନ୍ଦୋଳନ କରିବ ବୋଲି କହିଥିଲେ ।
ସେହିପରି ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଜିଲ୍ଲା ମହିଳା ବିଜେପି ସଭାପତି ଶର୍ମିଷ୍ଠା ଦେଓଙ୍କ ଦ୍ୱାରା ସାମ୍ୱାଦିକ ସମ୍ମିଳନୀରେ ଏଏସପି ବେହେରାଙ୍କ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଥଲେ । ବର୍ତ୍ତମାନ ଜିଲ୍ଲା ପୋଲିସ ନାରୀମାନଙ୍କୁ ସୁରକ୍ଷା ଦେବା ବଦଳରେ ଅସମ୍ମାନ କରୁଛି ଓ ସାମ୍ବାଦିମାନଙ୍କୁ ମାରିବା ଭଳି ବର୍ବରତା କରୁଛି ବୋଲି କହିଥିଲେ । ଏହି ମାମଲାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।
ପ୍ରକାଶ ଥାଉ କି ବରଗଡ଼ ଅଞ୍ଚଳର ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ପାପଡାହାଣ୍ଡିର ଜଣେ ଯୁବକଙ୍କ ସହ ପ୍ରେମ ସମର୍କ ରଖି ଗତ ଦୁଇମାସ ତଳେ ଯୁବକଙ୍କ ଘରେ ରହି ଆସୁଥିଲେ । ଉକ୍ତ ମହିଳାଙ୍କ ବାପା ଘର ଲୋକେ ଗତ ବୁଧବାର ଦିନ ପାପଡ଼ାହାଣ୍ଡି ଆସି ଜବରଦସ୍ତ ନେଇ ଯିବା ପାଇଁ ପ୍ରାୟାସ କରିଥଲେ । ଏ ସଂପର୍କରେ ମହିଳା ଓ ଯୁବକ ଜଣକ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଉକ୍ତ ମହିଳାଙ୍କୁ ତାଙ୍କ ବାପା ଘର ଲୋକଙ୍କ ସହ ଜବରଦସ୍ତ ପଠାଇ ଦେବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ଜିଲ୍ଲା ପୋଲିସ ଏଏସପି ପହଞ୍ଚି ସେଠାରେ ଥିବା ମହିଳା ମାନଙ୍କୁ ଠେଲା ଠେଲି ଓ କାର୍ଯ୍ୟରତ ସାମ୍ୱାଦିକ ମାନଙ୍କୁ ଆକ୍ରମଣ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − nine =