ଯାଜପୁର ଲୋକସଭା ଆସନ : ଶର୍ମିଷ୍ଠା-ରବୀନ୍ଦ୍ରଙ୍କ ମଧ୍ୟରେ ହେବ ମହାଲଢେଇ

0 128

ରସୁଲପୁର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶନିବାର ଯାଜପୁର ସଂରକ୍ଷିତ ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି । ପୁରୁଣା ନେତାଙ୍କୁ ନ ଦୋହରାଇ ନୂଆ ମୁହଁ ଭାବେ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହାପୂର୍ବରୁ ଏହି ଆସନ ପାଇଁ ବିଜେଡି ଶର୍ମିଷ୍ଠା ସେଠୀଙ୍କ ଉପରେ ପୁଣିଥରେ ବିଶ୍ୱାସ ରଖି ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଉଭୟ ରବୀନ୍ଦ୍ର ଏବଂ ଶର୍ମିଷ୍ଠା ରସୁଲପୁର ବ୍ଲକ ଅଞ୍ଚଳ ସହ ଜଡ଼ିତ ଥିବାବେଳେ ଦୁଇଜଣ ଯାକ ପେସାରେ ସରକାରୀ ଉଚ୍ଚ ପଦାଧିକାରୀ ରହିଛନ୍ତି । ରବୀନ୍ଦ୍ର ସୂଚନା ବିଜ୍ଞାନ କ୍ଷେତ୍ରରେ ଜଣେ ବୈଜ୍ଞାନିକ ମଧ୍ୟ । ସେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବାବେଳେ ଶର୍ମିଷ୍ଠା ରାଜ୍ୟ ପ୍ରଶାସନିକ ସେବା ଅଧିକାରିଣୀ ଭାବେ କାର୍ଯ୍ୟ କରିଛନ୍ତି । ଏଥର ଯାଜପୁର ଲୋକ ସଭା ଆସନରେ ଲଢେଇ ହେବା ଏକପ୍ରକାର ଥୟ ହୋଇଯାଇଛି । ଯଦିବା କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ, ତେବେ ଦଳରୁ ଯିଏ ବି ପ୍ରାର୍ଥୀ ହେଉନା କାହିଁକି ଜିଲାରେ ଦଳର ସ୍ଥିତିକୁ ପରଖିଲେ ଏଠାରେ ଭାଜପା ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି ।
ରବୀନ୍ଦ୍ର ନାରାୟଣ ବେହେରାଙ୍କ ଘର ରସୁଲପୁର ବ୍ଲକ ତଥା ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତରେ । ସେ ଚାକିରିରୁ ଅବସର ନେବା ପରେ ୨୦୧୯ରେ ଭାଜପାରେ ଯୋଗଦେଇଥିଲେ । ସେବେଠାରୁ ସେ ଦଳର ସଂଗଠନ ସହ ଜଡ଼ିତ ହୋଇଆସୁଥିଲେ । ସେ ରାଜ୍ୟ ଭାଜପା ଏସ୍‌. ସି. ମୋର୍ଚ୍ଚାର ସଭାପତି ଦାୟିତ୍ୱ ତୁଲାଇଥିଲେ । ୨୦୧୯ରେ ମଧ୍ୟ ସେ ପ୍ରାର୍ଥୀ ଦୌଡ଼ରେ ରହିଥିଲେ । ଏଥର ଭାଜପା ଦଳ ପୂର୍ବଥରର ପ୍ରାର୍ଥୀ ଅମୀୟ ମଲ୍ଲିକଙ୍କୁ ବାଦ୍‌ ଦେଇ ରବୀନ୍ଦ୍ରଙ୍କ ଉପରେ ଭରସା ଜୁଟାଇଛି । ସେହିପରି ଶର୍ମିଷ୍ଠା ସେଠୀଙ୍କ ଶାଶୁ ଘର ରସୁଲପୁର ବ୍ଲକ ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତରେ । ଉଭୟ ପ୍ରାର୍ଥୀ ବରୀ ନିର୍ବାଚନମଣ୍ଡଳୀର ହୋଇଥିବା ବେଳେ ଜିଲାର ଅନ୍ୟ ୬ଗୋଟି ନିର୍ବାଚନମଣ୍ଡଳୀର ଭୋଟରମାନଙ୍କ ପାଇଁ ଆସ୍ଥାଭାଜନ ଲାଗି ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଯଦିବା ଶର୍ମିଷ୍ଠା ୫ବର୍ଷ ଧରି ସାଂସଦ ଭାବରେ ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ଲୋକଙ୍କ ସହ ପରିଚିତ ଅଛନ୍ତି । ତେଣେ ୨୦୧୯ରୁ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ରବୀନ୍ଦ୍ର ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ଅଭିଜ୍ଞତା ଅର୍ଜନ କରିଛନ୍ତି । ତେବେ ରବୀନ୍ଦ୍ରଙ୍କ ମତରେ ସେ ଯାଜପୁର ଜିଲାକୁ ବିକାଶଯୁକ୍ତ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଲଢେଇ କରିବେ । ବିଶେଷକରି ଭାଜପା କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଥିବାରୁ ସେ ଏଠାରୁ ନିର୍ବାଚିତ ହେଲେ ଯାଜପୁରକୁ ଏକ ଅଗ୍ରଣୀ ଜିଲା ଭାବରେ ଗଢ଼ିତୋଳିବାରେ ସହାୟକ ହୋଇପାରିବେ ବୋଲି ରବୀନ୍ଦ୍ର ମତ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − 3 =