ପରିବାର ଉପରେ ବୋଝ ହୋଇଛନ୍ତି ଏ ଯୁଗର ଶ୍ରବଣ କୁମାର: ୫ ଶହ ଟଙ୍କା ଭତ୍ତା ପାଇଁ ୨୫୦ ଟଙ୍କା ଅଟୋ ଭଡା

0 348

ଦଶପଲ୍ଲା : ପୁରାଣ ବର୍ଣ୍ଣିତ ଶ୍ରବଣ କୁମାର ପିତାମାତାଙ୍କୁ କାନ୍ଧରେ ବୋହି ତିର୍ଥାଟନ କରାଇଥିବାବେଳେ ଏ ଯୁଗରେ କିନ୍ତୁ ବୃଦ୍ଧ ପିତାମାତାଙ୍କ ଉପରେ ବୋଝ ହୋଇଛନ୍ତି ଶ୍ରବଣ । ୩ ଝିଅରେ ଗୋଟିଏ ବୋଲି ପୁଅ । ଯେଉଁ ବୟସରେ ଖେଳିବୁଲି ପାଠପଢିବା କଥା ସେହି ବୟସରେ ଦାଉ ସାଜିଲା ରୋଗ । ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସମୟରେ ଏବେ ପରିବାର ଉପରେ ବୋଝ ସାଜିବାକୁ ପଡିଛି । ବଡକଥା ହେଉଛି ପରିବାରରେ ଦୁଇଦୁଇ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଥିବା ବେଳେ ମୁଣ୍ଡଗୁଂଜି ରହିବା ପାଇଁ ଘର ଖଣ୍ଡେ ମିଳୁନି । ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଲୁରୁକୁମ୍ପା ପଂଚାୟତର ପଥରଗଣ୍ଡ ଗ୍ରାମର ଏଭଳି ଏକ ଘଟଣା ସରକାରୀ ଯୋଜନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାମର ବଳରାମ ବେହେରାଙ୍କ ପରିବାର କହିଲେ ପତ୍ନୀ ଅଞ୍ଜଳି, ପୁଅ ଶ୍ରବଣ(୨୫) ଏବଂ ୩ଟି ଝିଅ । ଶ୍ରବଣ ୭ମ ଶ୍ରେଣୀରେ ପଢୁଥିବା ସମୟରେ ଗୋଡରେ ଏକ ଘା’ ହୋଇଥିଲା । ଧିରେଧିରେ ଏହା ସଂକ୍ରମିତ ହୋଇ ଗୁରୁତର ହେଲା । ଚାଲିବୁଲି ନପାରିବାରୁ ପାଠପଢାରେ ଡୋରୀ ବନ୍ଧା ହେଲା । ଧାର କରଜ କରି ବାପା, ମା’ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଲେ । ଶେଷରେ ଅର୍ଥାଭାବରୁ ଅଧିକ ଚିକିତ୍ସା କରିବା ସମ୍ଭବ ହେଲାନାହିଁ । ସେହିଭଳି ଅଞ୍ଜଳିଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ଗୋଡ ଖରାପ ହେତୁ ସେ ମଧ୍ୟ ସଳଖି ଚାଲି ପାରୁନାହାଁନ୍ତି । ୩ ଝିଅଙ୍କ ବିବାହ କାର୍ଯ୍ୟ ଶେଷ ହୋଇଛି । ଏପଟେ ମା’ ଓ ପୁଅ ଦୀର୍ଘଦିନ ଧରି ରୋଗଶର୍ଯ୍ୟାରେ ପଡି ରହିଥିବା ବେଳେ ଗତ ୨ ବର୍ଷ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା । ଉଭୟଙ୍କୁ ଚିକିତ୍ସା ପାଇଁ ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଗଲା । ଶେଷରେ ଉନ୍ନତମାନର ଚିକିତ୍ସା ନ ମିଳିବାରୁ ଦୀର୍ଘଦିନ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବା ପରେ ଘରକୁ ଚାଲି ଆସିଲେ । ଏବେ ଶ୍ରବଣ ଅକର୍ମଣ୍ୟ ହୋଇ ପଡିଛନ୍ତି । ଠିଆ ହେବାକୁ ହେଲେ ମା’ ଓ ବାପା ଦୁଇ ହାତଧରିବା ସହ ଦୁଇଖଣ୍ଡ ବାଡି ସାହାର୍ଯ୍ୟରେ ସେ ଠିଆ ହେଉଛନ୍ତି । ସରକାରୀ ସହାୟତା କହିଲେ ଶ୍ରବଣଙ୍କୁ ୫ ଶହ ଟଙ୍କା ଭତ୍ତା ମିଳୁଛି । ହେଲେ ପଂଚାୟତ କାର୍ଯ୍ୟାଳୟକୁ ନଗଲେ ଭତ୍ତା ମିଳିବ ନାହିଁ କହିବାରୁ ଏଥିପାଇଁ ପ୍ରତି ମାସରେ ଅଟୋ ବାବଦକୁ ୨ ଶହ ୫୦ ଟଙ୍କା ଭଡା ଦେବାକୁ ପଡୁଛି । ନିଜସ୍ୱ ଜାଗା ନଥିବା ହେତୁ ଘର ଖଣ୍ଡେ ମିଳୁନି । ବହୁ ଅଭିଯୋଗ ପରେ ଗତ ୨ ବର୍ଷ ହେଲା ବସୁନ୍ଧରା ଯୋଜନାରେ ୪ ଡେସିମେଲ୍‌ ଜାଗା ମିଳିଛି । ହେଲେ ଏଯାଏଁ ଏହି ଜାଗାକୁ ଚିହ୍ନଟ କରାଯାଇନଥିବା ବଳରାମ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାସହ ଉନ୍ନତମାନର ଚିକିତ୍ସା ସେବା ମିଳିପାରିଲେ ଶ୍ରବଣ ଆରୋଗ୍ୟ ହୋଇ ପାରନ୍ତା ବୋଲି ପରିବାର ଲୋକ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

19 − 17 =