ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଓଡିଶା ଭାଜପା ବିଧାୟକଗଣ

0 40

ସମ୍ବଲପୁର: ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଯାଇଥିଲେ ଓଡିଶାର ବିଧାୟକଗଣ । ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମ ପରେ ଓଡିଶାର ଭାଜପା ବିଧାୟକମାନେ ନିଜନିଜ ଅଞ୍ଚଳର ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟ୍ରୀୟ ନେତୃମଣ୍ଡଳୀଙ୍କୁ ସାକ୍ଷାତ କରିଥିଲେ । ଏହି ମର୍ମରେ ପୂର୍ବତନ ମନ୍ତ୍ରୀ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶାର ବିଧାୟକଗଣ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଥିଲେ । ବହୁ ସମୟ ଧରି ହୋଇଥିବା ଏହି ଆଲୋଚନାରେ ସମସ୍ତ ବିଧାୟକମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଦାବୀ ସଂପର୍କରେ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା ଆଲୋଚନା କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ନିମ୍ନ ଦାବୀସବୁ ଉପସ୍ଥାପନ କରିଥିଲେ ବୋଲି ଭାଜପା କ୍ଷେତ୍ରୀୟ ଗଣ ମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ଚିର ଅବହେଳା ଯୋଗୁଁ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ପଶ୍ଚିମାଞ୍ଚଳର ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା ବହୁ ବିପର୍ଯ୍ୟୟ ଅବସ୍ଥାରେ ରହିଛି । ଏଣୁ, ପଶ୍ଚିମାଞ୍ଚଳବାସୀ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଅଧିକାଂଶ ରୂପେ ଭୁବନେଶ୍ୱର କିମ୍ୱା ବିଶାଖାପାଟଣା ଉପରେ ନିର୍ଭର କରିଥାନ୍ତି । ତେଣୁ, ସମ୍ବଲପୁରରୁ ବିଶାଖାପାଟଣାକୁ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ସହିତ ବିଶାଖା ପାଟଣା ଅମୃତସର ଏକ୍ସପ୍ରେସ, ଯାହା କି ସପ୍ତାହକ ତିନିଦିନ ଚାଲୁଛି ତାକୁ ଦୈନିକ ଟ୍ରେନ ଭାବରେ ଚଲେଇବା । ସମ୍ବଲପୁର ଜମ୍ମୁତାୱୀ ଏକ୍ସପ୍ରେସ ପ୍ରାରମ୍ଭରେ ଦୈନିକ ରୂପେ ଚାଲୁଥିଲା । କରୋନା ସଂକ୍ରମଣ ସମୟରେ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ ବନ୍ଦ ରହିଥିଲା । ପରେ ପରେ ଆଂଶିକ ଭାବେ କେତେକ ଟ୍ରେନ ଚାଲିବାକୁ ଆରମ୍ଭ କଲାଣି । ଏହିପରି ସମ୍ବଲପୁର ଜମ୍ମୁତାୱୀ ଏକ୍ସପ୍ରେସ ମଧ୍ୟ ପୁନଃ ଚାଲିଲା କିନ୍ତୁ ତାହା ସପ୍ତାହକ ତିନି ଦିନ ଚାଲୁଛି, ତାକୁ ଦୈନିକ ଚଲେଇବା ଅନୁରୋଧ କରିଛନ୍ତି ।
ସେହିପରି ଛତିଶଗଡର ରାୟଗଡ଼ରୁ ନୂଆଁଦିଲ୍ଲୀକୁ ଏକ ଏକ୍ସପ୍ରେସ ଟ୍ରେନ ଚାଲେ । ଯାହାର ନାମ ଗୋଣ୍ଡୱାନା ଏକ୍ସପ୍ରେସ ଓ ଯାହାକି ସପ୍ତାହରେ ୫ ଦିନ ପାଇଁ ଚାଳୁଛି । ଏହାକୁ ପ୍ରତି ସପ୍ତାହ ସାତ ଦିନ ପାଇଁ କରାଯିବା ଓ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଗଲେ ଅଞ୍ଚଳବାସୀ ବହୁ ଲାଭବାନ ହେବେ । ପୁରୀରୁ ଶିରିଡି ପର୍ଯ୍ୟନ୍ତ ଏକ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ଚାଲୁଥିଲା । ଯାହାକି କରୋନା ସମୟରୁ ବନ୍ଦ ରହିଛି । ଏହାକୁ ପୁନଃ ଚାଲୁ କରିବା ସଙ୍ଗେ ସଙ୍ଗେ ଏହାକୁ ସପ୍ତାହରେ ଅନ୍ୟୁନ ୩ ଦିନ ପାଇଁ ଚଲେଇ ପୁନେ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ । ରେଳ ମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ଶ୍ରୀମତୀ କୁସୁମ ଟେଟେ, ମୋହନ ମାଝୀ, ନାଉରି ନାଏକ, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ମୁକେଶ ମହଲିଙ୍ଗ, ବିଧାନ ମୁର୍ମୁ,ନବ ଚରଣ ମାଝୀ,ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ କୁମାର ଷଡଙ୍ଗୀ ଓ ପ୍ରକାଶ ସୋରେନ ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

six − five =