ଦିଲ୍ଲୀରେ ସ୍କଚ୍‌ ଆୱାର୍ଡ଼ ଗ୍ରହଣ କଲେ ଜିଲ୍ଲାପାଳ

0 94

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆଜି ନୂଆଦିଲ୍ଲୀର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ଠାରେ ସ୍କଚ୍‌ ଆୱାର୍ଡ଼ ଦ୍ୱାରା ସମ୍ମାନିତ ହୋଇଛି । ଯାହାଦ୍ୱାରା କି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାପାଇଁ ଏହି ଆୱାର୍ଡକୁ ସ୍କଚ୍‌ ଗ୍ରୁପ୍‌ର ଅଧ୍ୟକ୍ଷଙ୍କ ଠାରୁ ଗ୍ରହଣ କରିଥିଲେ ।
ପ୍ରକାଶ ଥାଉକି ଯେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଭିନବ ପଦକ୍ଷେପ ସ୍ୱରୁପ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧିନରେ ଜିଲ୍ଲାରେ ଥିବା ୫୦ଟି ବିଦ୍ୟାଳୟରେ ପାଠାଗାର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନ ବଢ଼ାଇବା ସହ ଅଧାରୁ ପାଠ ଛାଡ଼ିଦେଉଥିବା ଛାତ୍ରଛାତ୍ରୀମାନଙ୍କର ସମସ୍ୟାକୁ ଦୂର କରିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହିସବୁ ବିଦ୍ୟାଳୟରେ ଲାଇବ୍ରେରୀକୁ ସୁଦୃଢ ଓ ଅଧିକ ଛାତ୍ରଛାତ୍ରୀ ଉପଯୋଗୀ କରାଯିବା ଫଳରେ ଦଶ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ଜଣାପଡ଼ିଛି ।
ଏହି କାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟାର୍ଥୀମାନେ ସେମାନଙ୍କର ମନପସନ୍ଦର ପୁସ୍ତକକୁ ସହଜରେ ପାଇପାରିବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କାହାଣି ଶୁଣିବା ଓ ଶୁଣାଇବା, ସୃଜନାତ୍ମକ ଲେଖା ଓ କାର୍ଯ୍ୟକଳାପ ଦିଗରେ ପ୍ରୋତ୍ସାହିତ ହୋଇପାରିଛନ୍ତି । ପଢ଼ିବା ଦ୍ୱାରା ଚରିତ୍ର ଗଠନ ହେବା ସହିତ ଦୃଷ୍ଟିକୋଣର ପ୍ରସାରିତ ହୋଇଥାଏ । ସେହିପରି ଲେଖିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇବା ସହିତ ଚିନ୍ତାଶକ୍ତି ଓ ଶବ୍ଦ ଭଣ୍ଡାରକୁ ବୃଦ୍ଧି କରିଥାଏ । କହିବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇବ ସହିତ ସମାଲୋଚନା ମୂଳକ ଚିନ୍ତାଧାରା ଏବଂ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଥାଏ ।
ଗଜପତି ଜିଲ୍ଲାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପରୋକ୍ତ ବିଦ୍ୟାଳୟ ମାନଙ୍କରେ ରହୁଥିବା ଯୋଗୁଁ ସେମାନଙ୍କର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ନିର୍ଦ୍ଧିଷ୍ଟ ଭାବେ କୋଭିଡ଼ ପରେ ପିଲାମାନେ କିପରି ବିଦ୍ୟାଳୟକୁ ଫେରିବେ ଏବଂ ଶିକ୍ଷା ପ୍ରତି ସେମାନଙ୍କର କିପରି ଆଗ୍ରହ ବଢ଼ିବ ଏହା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ ।
ଏଥି ନିମନ୍ତେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପାଣ୍ଠି ସଂଗ୍ରହ କରିଥିଲେ । ଏହି ପାଣ୍ଠିରେ ଛାତ୍ରଛାତ୍ରୀଙ୍କ ପାଇଁ ଶିଶୁ ଅନୁକୂଳ ପାଠାଗାର ଓ ବିଦ୍ୟାଳୟ ଗୁଡ଼ିକରେ ସମାନ ପାଠାଗାର ପ୍ରସାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିଲା ଏବଂ ଏହାକୁ କାର୍ଯ୍ୟକାରୀ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଏକ ନୋଡ଼ାଲ୍‌ ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିଲା ଓ ଏଥିପାଇଁ ନିଯୁକ୍ତ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର କାର୍ଯ୍ୟଧାରାକୁ ତଦାରଖ କରିବା ନିମନ୍ତେ ଜିଲ୍ଲାସ୍ତରରେ ଏବଂ ପଞ୍ଚାୟତ ସମିତି ସ୍ତରରେ ଟିମ୍‌ ଗଠନ କରାଯାଇଛି ।
ଏହି କାର୍ଯ୍ୟଧାରାର ସୂଚନା, ପ୍ରଦର୍ଶନ ଓ ସମର୍ଥନ ନିମନ୍ତେ ଏକ ଜିଲ୍ଲା ସମ୍ବଳ ଗୋଷ୍ଠୀ ଗଠିତ ହୋଇଛି । ଏହି ଗୋଷ୍ଠି ପକ୍ଷରୁ ପାଠାଗାର ବିକାଶ କାର୍ଯ୍ୟଧାରା ପ୍ରକ୍ରିୟାର ଗବେଷଣାତ୍ମକ ଦିଗ ହିତାଧିକାରୀଙ୍କ ମତଗ୍ରହଣ, ମୂଲ୍ୟାୟନ ଓ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ଏହା ଏକ ସମ୍ବଳକେନ୍ଦ୍ର ଭାବେ କାର୍ଯ୍ୟ କରୁଛି ।
ପାଠାଗାର କାର୍ଯ୍ୟକ୍ରମରେ ମଞ୍ଚ, ପୋପେଟ୍‌ ସୋ, ଶୁଖିଲା କାଗଜ ଶିଳ୍ପ, ଉଚ୍ଚ କଣ୍ଠରେ ପଢ଼ିବା, କାହାଣୀ କହିବା, ସୃଜନଶୀଳ ଲେଖନ, ଗ୍ରୀଷ୍ମକାଳୀନ ପଠନ ପ୍ରତିଯୋଗିତା ଆଦି ଅନ୍ତର୍ଭୁକ୍ତ । ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସ୍ଥାନୀୟ ଜନଜାତି ଭାଷାରେ ପାଠାଗାର କାର୍ଯ୍ୟକ୍ରମ ନିମନ୍ତେ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି ।
ଏହିସବୁ ଉପରୋକ୍ତ କାର୍ଯ୍ୟକ୍ରମ ହାତକୁ ନେଲାପରେ ବିଦ୍ୟାଳୟ ଗୁଡ଼ିକରେ ଶତକଡ଼ା ୯୯ ଭାଗ ଛାତ୍ରଛାତ୍ରୀ ଉପସ୍ଥିତ ରହୁଥିବା ଦେଖିବାକୁ ମିଳିଛି ଏବଂ ଛାତ୍ରଛାତ୍ରୀ ମାନେ କିଛି ସମୟ ପାଠାଗାରରେ ଅତିବାହିତ କରୁଥିବା ଦେଖିବାକୁ ମିଳିଛି ।
ଏହାର ସଫଳତା ଯୋଗୁଁ ଆଗାମୀ ଦିନରେ ଦ୍ୱିତୀୟ ପର୍ଯ୍ୟାୟରେ ସଂପୃକ୍ତ ବିଭାଗର ଅନ୍ୟ ବିଦ୍ୟାଳୟ ମାନଙ୍କରେ ଏବଂ ଗଣଶିକ୍ଷା ବିଭାଗର କିଛି ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।
ଏହି କାର୍ଯ୍ୟପାଇଁ ଭାରତବର୍ଷରେ କେବଳ ଗଜପତି ଜିଲ୍ଲା ଗତକାଲି ରୌପ୍ୟ ସ୍କଚ୍‌ ଆୱାର୍ଡ଼ ଦ୍ୱାରା ପୁରସ୍କୃତ ହୋଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 − 10 =