ବର୍ଷା ଉଭାନ, ଚିନ୍ତାରେ ଚାଷୀ ; ଗଜା ମରୁଡି ଆଶଙ୍କା

0 55

ନୂଆପଡ଼ା : ରାଜ୍ୟରେ ଚଳିତ ବର୍ଷ ୧୦ ଦିନ ବିଳମ୍ବରେ ମୌସୁମୀ ଛୁଇଁଥିଲା । ଗତ କିଛି ଦିନ ରାଜ୍ୟର ସମସ୍ତ ଜିଲ୍ଲାରେ ମୌସୁମୀ ବର୍ଷା ହୋଇଥିଲା । ମୌସୁମୀ ବର୍ଷା ହେବା ପରେ ଚାଷୀକୂଳ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଦିନ କେଇଟା ଯାଇନି ବର୍ଷା ପୁଣି ଉଭାନ ହୋଇଛି । ଏହାକୁ ନେଇ ରାଜ୍ୟର ଚାଷୀକୂଳ ତଥା ଖଡିଆଳ ଅଞ୍ଚଳର ଚାଷୀ ଘୋର ଚିନ୍ତାରେ ଥିବା ଜଣାପଡିଛି । ଶ୍ରାବଣ ମାସରେ ଚାଷୀ ଧାନ ବୁଣିବା ସହ ତଳି ପକାଇବା ଦେଖାଯାଉଛି । ଅଧିକାଂଶ ଚାଷୀ ଏବେ ଧାନ ରୁଆ ଅପେକ୍ଷା ବୁଣିବାକୁ ପସନ୍ଦ କରୁଛନ୍ତି । ଖଡ଼ିଆଳ ବ୍ଲକରେ ପନ୍ଦର ହଜାରରୁ ଅଧିକ ଜମିରେ ଧାନ ଚାଷ କରାଯାଏ । ଖଡ଼ିଆଳ ବ୍ଲକ ତିଖାଲି ସ୍ଥିତ ଲୋୟର ଇନ୍ଦ୍ର ପ୍ରକଳ୍ପ ତିଖାଲି ଡ୍ୟାମରୁ ଜଳସେଚନ ବ୍ୟବସ୍ଥା ହେଉଥିଲେ ମଧ୍ୟ ଅଧିକାଂଶ ଜମି ଏବେ ମଧ୍ୟ ଅଣ ଜଳସେଚିତ ହୋଇ ରହିଛି । ଚାଷୀଙ୍କ ଭରସା ବର୍ଷା ପାଣି ଉପରେ ଥିବା ବେଳେ ପ୍ରତିବର୍ଷ ମରୁଡିର ଶିକାର ହେଉଛନ୍ତି ଚାଷୀ । ଏବର୍ଷ ଭଲ ବର୍ଷା ହେବାର ଆଶା ରଖିଛନ୍ତି କିନ୍ତୁ କିଛିଦିନ ହେଲା ବର୍ଷାର ଦେଖା ନାହିଁ । ପ୍ରବଳ ଖରା ହେଉଛି । ଟାଇଁ ଟାଇଁ ଖରାରେ ଲୋକେ ବାହାରିବା ମୁସ୍କିଲ ହୋଇ ପଡୁଛି । ଏମିତି ଖରା ଜାରି ରହିଲେ ଧାନ ଗଛ ମରିଯିବ ଓ ଗଜା ମରୁଡି ଦେଖାଦେବ ବୋଲି ଚାଷୀମାନେ ଚିନ୍ତିତ ଅଛନ୍ତି । ଯେଉଁମାନେ ଧାନ ବୁଣି ପାରି ନାହାନ୍ତି ଆକାଶକୁ ଅନାଇ ଦିନ ସାରୁଛନ୍ତି । ଧାନ ସହ ମକା, ମାଣ୍ଡିଆ, କପା ଚାଷରେ ମଧ୍ୟ ଅନିୟମିତତା ଦେଖାଦେଇଛି । ଏନେଇ ଖଡ଼ିଆଳ ବ୍ଲକ କୃଷି ଅଧିକାରୀ ସଞ୍ଜୟ ପାତ୍ରଙ୍କୁ ପଚାରିବାରୁ ବର୍ଷାଭାବକୁ ସ୍ୱୀକାର କରି କିଛିଦିନ ମଧ୍ୟରେ ବର୍ଷା ନହେଲେ ଗଜା ମରୁଡିର ସମ୍ଭାବନା ଅଛି ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

12 − six =