ଫାଲଗୁନ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁ ଚାଚେରୀ ବେଶ

0 84

ପୁରୀ : ଗତକାଲି ମଙ୍ଗଳବାର ଶ୍ରୀମନ୍ଦିରରେ ଫଗୁ ଦଶମୀ ଅନୁଷ୍ଠିତ ହୋଇଥିଲା । ତେବେ ଆଜି ଫାଲଗୁନ ଶୁକ୍ଳ ଏକାଦଶୀ ତିଥି । ଏହି ଅବସରରେ ମହାପ୍ରଭୁ ଚାଚେରୀ ବେଶ ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁ ଚାଚେରୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ସେପଟେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ । ସେଠାରେ ଠାକୁରଙ୍କ ଝିମିରି ଫଗୁ, ଚନ୍ଦନ ଓ ପ୍ରସାଦ ଲାଗି ହୋଇ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା ।
ଆଜି ଫାଲଗୁନ ଶୁକ୍ଳ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ । ମଧ୍ୟାହ୍ନ ଧୂପ ବଢ଼ିବା ପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସେବାୟତ ମାନେ ମହାପ୍ରଭୁଙ୍କୁ ବିଭୂଷିତ କରିଥିଲେ । ତିନି ବାଡ଼ରେ ଘଣ୍ଟ, ଛତା, ସର୍ବାଙ୍ଗ ସମ୍ପନ୍ନ ହେବା ପରେ କର୍ପୁର ଆଳତୀ ବଢିଥିଲା । ତିନି ବାଡ଼ରେ ଫଗୁ ଆଞ୍ଜୁଳି ଦେବା ପରେ ପାଳିଆ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସିଂହାସନ ଉପରକୁ ଉଠି ପ୍ରସାଦ ମଇଲମ କରିଥାନ୍ତି । ସେହିପରି ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବିଜେ କରି ଜଗନ୍ନାଥ ବଲ୍ଲଭ ମଠକୁ ଆସିଥିଲେ । ସେଠାରେ ଅବିର ଓ ଫଗୁ ଲାଗି କରାଯାଇଥିଲା ।
ତେବେ ଫାଲଗୁନ ଶୁକ୍ଳ ଦଶମୀ ଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଜି ସକାଳୁ ପ୍ରବଳ ବର୍ଷା ସତ୍ତେ୍ୱ ମହାପ୍ରଭୁଙ୍କ ଚାଚେରୀ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରି ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହୋଇଥିବାରୁ ଭାଗ୍ୟରେ ଥିଲେ ଏଭଳି ଦର୍ଶନର ସୁଯୋଗ ମିଳେ ବୋଲି ସେବାୟତ କହିଛନ୍ତି । ସେପଟେ ଆସନ୍ତା ୨୪ ତାରିଖରେ ମେଣ୍ଢା ପୋଡ଼ି ଓ ୨୫ ତାରିଖରେ ଦୋଳପୂର୍ଣ୍ଣମୀ ଅନୁଷ୍ଠିତ ହେବ । ଏହି ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳବେଦୀକୁ ଆସିବାର ପରମ୍ପରା ରହିଛି । ଦୋଳପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ମଧ୍ୟ ଅନୁଷ୍ଠିତ ହେବ । ତେଣୁ ମହାପ୍ରଭୁଙ୍କ ନୀତି କାନ୍ତି ଶୃଙ୍ଖଳିତ କରିବା ପାଇଁ ସମସ୍ତ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ସମନ୍ୱୟ ରଖିଥିବା ସେବାୟତ କହିଛନ୍ତି ।
ସେପଟେ ଦୋଳପୂର୍ଣ୍ଣିମା ଆଉ ମାତ୍ର ଖୁବ୍‌ କମ୍‌ ଦିନ ଥିବାବେଳେ ଦୋଳବେଦୀର ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଛି । ମହାପ୍ରଭୁଙ୍କ ସହ ଦୋଳପୂର୍ଣ୍ଣିମାରେ ଫଗୁ ଖେଳିବା ପାଇଁ ଭକ୍ତ ମାନେ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 2 =