ମାସ୍କ୍ ବାଣ୍ଟିବା ସହିତ ସଚେତନତା କଲେ ଅନନ୍ୟା ବାଳିକା ସଙ୍ଘ

0 96

ଫୁଲବାଣୀ : ସମ୍ପ୍ରତି କରୋନା ମହାମାରୀର ମୁକାବିଲା କରିବା ପାଇଁ ଏକମାତ୍ର ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବା । ଏହି ପରିପ୍ରେକ୍ଷୀରେ ନିଜ ଅଂଚଳରେ ସଚେତନତାର ବାର୍ତା ବାଂଟିବା ପାଇଁ ଆଗେଇ ଆସିଛି କ.ନୂଆଗାଁ ବ୍ଲକ୍‌ର ଅନନ୍ୟା ବାଳିକା ମହାସଂଘ । ମହାସଂଘର ସଦସ୍ୟା ମାନେ କ.ନୂଆଗାଁ ବ୍ଲକ୍‌ର ବିଭିନ୍ନ ଅଚଂଳରେ ଜନସାଧାରଣ ବିଶେଷ କରି ଶିଶୁ ଓ ବରିଷ୍ଠ ନାଗରିକ ମାନଙ୍କୁ କରୋନା ସମ୍ପର୍କରେ ସୂଚନା ଦେବା ସହିତ ଏହା କବଳରୁ ରକ୍ଷା ପାଇବା ପାଇଁ ସଚେତନତା କରୁଛନ୍ତି । ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବା, ସାବୁନରେ ହାତ ଧୋଇବାର ପ୍ରଣାଳୀ, ନିଜଘରେ ସୁରକ୍ଷିତ ରହିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହିତ ବାହାରକୁ ବାହାରିଲେ ମୁହଁ ଓ ନାକକୁ ଘୋଡ଼େଇ ରଖିବା ପାଇଁ ମାସ୍କ୍ ବ୍ୟବହାର କରିବା ପାଇଁ ମଧ୍ୟ ସଚେତନ କରୁଛନ୍ତି । ତତ୍‌ସହିତ ନିଜେ ମାସ୍କ ତିଆରି କରି ମାଗଣାରେ ନିଜ ନିଜ ଅଂଚଳରେ ଶିଶୁ ଓ ବରିଷ୍ଠ ନାଗରିକ ମାନଙ୍କୁ ମାଗଣାରେ ବାଂଟୁଛନ୍ତି । କିଶୋରୀ ବାଳିକା ମାନଙ୍କ ଦ୍ୱାରା ନିଆଯାଇଥିବା ଏହିଭଳି ସଚେତନତା ମୂଳକ ପଦକ୍ଷେପକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯିବା ସହିତ ଅଂଚଳର ଅନ୍ୟ କିଶୋରୀମାନେ ମଧ୍ୟ ଏହି ଅଭିଯାନରେ ନିଜକୁ ସାମିଲ୍ କରିଛନ୍ତି । ପୂର୍ବରୁ ଏହି ମହାସଂଘ ଦ୍ୱାରା ବାଲ୍ୟ ବିବାହ ବନ୍ଦ, କିଶୋରୀ ବାଳିକା ଶିକ୍ଷା, ଯୈାନ ପ୍ରଜନନ ସ୍ୱାସ୍ଥ୍ୟ ଶିକ୍ଷା, ଶିଶୁ ଅଧିକାର ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଶିଶୁ ମାନଙ୍କର ହିତ ପାଇଁ କାର୍ଯ୍ୟ କରାଯାଇଛି । ବର୍ତମାନ ପରିସ୍ଥିତିରେ ସମସ୍ତଙ୍କ ପାଇଁ ମାସ୍କର ଆବଶ୍ୟକତା ରହିଛି ଏଣୁ ନିଜର ସାମର୍ଥ ଅନୁଯାୟୀ ସେମାନେ ନିଜ ନିଜ ଅଂଚଳରେ ମାସ୍କ ବାଂଟୁଛନ୍ତି । ସମସ୍ତଙ୍କ ପାଇଁ ମାସ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ମଧ୍ୟ ସେମାନଙ୍କୁ ସହଯୋଗର ହାତ ବଢେଇଛି । ତତ୍ ସହିତ ଶିଶୁ ତଥା ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ମାଗଣାରେ ମାସ୍କ ବଂଟନ କରିବା ପାଇଁ ମହାସଂଘର ସଦସ୍ୟା ମାନେ ସରକାରଙ୍କ ନିକଟରେ ଦାବି କରୁଛନ୍ତି ।

hiranchal ad1
Leave A Reply

Your email address will not be published.

17 − four =