କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0 85

ଫୁଲବାଣୀ: ସମ୍ପ୍ରତି ସମଗ୍ର ବିଶ୍ୱରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବା ସହ କୋକୁଆ ଭୟ ସୃଷ୍ଟି କରିଛି । ଏହାର ମୁକାବିଲା ପାଇଁ ଅଧିକାଂଶରେ ତାଲାବନ୍ଦ ହେବା ସହ ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ହାତଧୁଆ ଓ ମାସ୍କ ପିନ୍ଧା, ଅଯଥା ଗହଳି ନକରିବାକୁ ଗୁରୁତ୍ୱ ଦିଆଯାଉଛି । ସମସ୍ତ ଜନସାଧାରଣଙ୍କୁ ଏହି ସମସ୍ତ ନିୟମ ମାନିବା ସହ କରୋନାକୁ ମୁକାବିଲା କରିବାକୁ ଅନୁରୋଧ କରାଯାଇଛି । ତେବେ ଏହି ସମୟ ଭିତରେ ବହୁ କର୍ମଚାରୀ, ସ୍ୱେଚ୍ଛାସେବୀ ନିଜ ପ୍ରତି ଥିବା ସଂକ୍ରମଣକୁ ଖାତିର ନ କରି ଜନସାଧାରଣଙ୍କୁ ଏହି କରୋନାରୁ ରକ୍ଷା କରିବା କରିବା ପାଇଁ ଅହରହ ନିଜ କାର୍ଯ୍ୟ ଜାରି ରଖିଛନ୍ତି । ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସ୍ ପ୍ରଶାସନ, ଆଶା, ଅଙ୍ଗନୱାଡ଼ି, ଶିକ୍ଷକ, ସ୍ୱେଚ୍ଛାସେବୀ ପରି ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ କି କରୋନାକୁ ମୁକାବିଲା କରିବା ପାଇଁ ପ୍ରଶାସନଠାରୁ ଆରମ୍ଭ କରି ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସହଯୋଗ କରି ଚାଲିଛନ୍ତି । ବର୍ତ୍ତମାନ ପ୍ରତ୍ୟେକ ସ୍ତରରୁ ଏହି କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା ଦେବା ମଧ୍ୟ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମଧ୍ୟ ହାତକୁ ନେଇଛନ୍ତି କନ୍ଧମାଳରେ କାର୍ଯ୍ୟ କରୁଥିବା ସ୍ୱାତୀ-ଓସ୍କାସ୍ ଟିମ୍ । ବର୍ତ୍ତମାନ କନ୍ଧମାଳର ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡ଼ା, ଟିକାବାଲି, ଜି.ଉଦୟଗିରି ପ୍ରଭୃତି ଅଂଚଳରେ କାର୍ଯ୍ୟରତ କର୍ମଚାରୀମାନେ ଫୁଲ ଓ ପୁଷ୍ପଗୁଚ୍ଛ ଦେଇ ଏହି କୋରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରୁଥିବା ଦେଖିବାକୁ ମିଳୁଛି । ଏମାନେ ଡାକ୍ତର, ନର୍ସ, ଅଙ୍ଗନୱାଡ଼ି କର୍ମୀ, ଆଶା, ପୋଲିସ୍ ପ୍ରଶାସନ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ ଭଳି କରୋନା ଯୋଦ୍ଧାମାନଙ୍କୁ ସମ୍ମାନୀତ କରୁଛନ୍ତି । ଏମାନଙ୍କ ମତରେ କେବଳ ଏହି କରୋନା ଯୋଦ୍ଧାଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଅଂଚଳ କରୋନାମୁକ୍ତ ହୋଇପାରିଛି ଓ ଏମାନଙ୍କ କାର୍ଯ୍ୟକଳାପ ଯୋଗୁଁ ଆଗାମୀ ଦିନରେ ମଧ୍ୟ ଏହି ଅଂଚଳ କରୋନା ମୁକ୍ତ ହୋଇପାରିବ ବୋଲି ବିଶ୍ୱାସ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + two =