କିଟ୍‍ ରେ ନୂତନ ଶିକ୍ଷାନୀତି ଉପରେ ଆନ୍ତର୍ଜାତିକ ୱେବିନାର

0 103

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷାନୀତି-୨୦୨୦ ଉପରେ ତିନି ଦିନିଆ ଆନ୍ତର୍ଜାତିକ ୱେବିନାର ରବିବାର ଉଦ୍‍ଯାପିତ ହୋଇଯାଇଛି । ୨୮ ତାରିଖରେ ଏହି ଆନ୍ତର୍ଜାତିକ ୱେବିନାର୍‍କୁ ଉଦ୍‍ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ୍‍ ନିଶଙ୍କ କହିଲେ, ଶିକ୍ଷାନୀତି ୨୦୨୦ ହେଉଛି ଛାତ୍ର କୈନ୍ଦ୍ରୀକ ନୀତି ଏବଂ ଏହା ଲୋକଙ୍କ ଆଶା ଓ ଆକାଙ୍‍କ୍ଷାର ପ୍ରତିଫଳନ । ତଳସ୍ତରରୁ ଉପର ପର୍ଯ୍ୟନ୍ତ ବ୍ୟାପକ ଆଲୋଚନା ପରେ ନୂତନ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି । ଏହି ଶିକ୍ଷାନୀତିରେ ପ୍ରାକ୍‍ ଶୈଶବ ଶିକ୍ଷା ବ୍ୟବସ୍ଥା ରହିଥିବା ବେଳେ ଏଥିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଇଛି । ଏହା ଛଡ଼ା ନୂତନ ଶିକ୍ଷାନୀତିରେ ଦକ୍ଷତା, କ୍ରେଡ଼ିଟ୍‍ ବ୍ୟାଙ୍କ, ବହୁମୁଖୀ ପ୍ରବେଶ ଓ ପ୍ରସ୍ଥାନ ଆଦି ଅନେକ ଛାତ୍ର କୈନ୍ଦ୍ରୀକ ବ୍ୟବସ୍ଥା ରଖାଯିବା ସହ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ୱେବିନାରରେ ଅଂଶଗ୍ରହଣ କରି ନୀତି ଆୟୋଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଲେ, ନୂତନ ଶିକ୍ଷାନୀତି ଆମକୁ ଦକ୍ଷତାର ସୁଫଳ ପାଇବାରେ ସହାୟକ ହେବା ସହ ଶତତ ବିକାଶ ଲକ୍ଷ୍ୟ ହାସଲରେ ସହାୟକ ହେବ । ଶିକ୍ଷାନୀତି ଉପରେ ଆଲୋକପାତ କରି ୟୁଜିସି ଅଧ୍ୟକ୍ଷ ପ୍ରଫେସର ଡି. ପି. ସିଂହ କହିଲେ, ଛାତ୍ରଛାତ୍ରୀଙ୍କୁ ଭାରତର ଇତିହାସ ଓ ସଂସ୍କୃତି ସହ ଜଡ଼ିତ ରଖି ନୂତନ ଶିକ୍ଷାନୀତି ସେମାନଙ୍କୁ ବିଶ୍ୱ ନାଗରିକରେ ପରିଣତ କରିପାରିବ । ଲୋକଙ୍କ ସମସ୍ୟା ସମାଧାନରେ ସମନ୍ୱିତ ସାମଗ୍ରିକ ଗବେଷଣାକୁ ନୂତନ ଶିକ୍ଷାନୀତି ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନୂତନ ଶିକ୍ଷାନୀତିର କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍‍ ଡି. ସହସ୍ରବୁଦେ୍ଧ ନୂତନ ଶିକ୍ଷାନୀତିକୁ ଗେମ୍‍ ଚେଞ୍ଜିଂ ନୀତି ଭାବେ ଅଭିହିତ କରିଥିଲେ । ଶିକ୍ଷାନୁଷ୍ଠାନଗୁଡ଼ିକ ନିୟନ୍ତ୍ରଣ, ସ୍ୱୀକୃତି ପାଇଁ ଏକକ ଡାଟା ସିଷ୍ଟମ ବ୍ୟବସ୍ଥା ନେଇ ସେ ପରାମର୍ଶ ଦେଇଥିଲେ । ହାଇଦ୍ରାବାଦ୍‍ସ୍ଥିତ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି. ଭି. କଟ୍ଟିମଣୀ ନୂତନ ଶିକ୍ଷାନୀତିରେ ମାତୃଭାଷା ଓ ଦକ୍ଷତା ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ ନୂତନ ଶିକ୍ଷାନୀତି ଧନ୍ଦାମୂଳକ ଶିକ୍ଷାକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ । ନୂତନ ଶିକ୍ଷାନୀତିକୁ ଏକ ଗଣତାନ୍ତ୍ରିକ, ଛାତ୍ର କୈନ୍ଦ୍ରୀକ ଏବଂ ଦୂରଦୃଷ୍ଟି ସଂପନ୍ନ ନୀତି ଭାବେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ମହାସଚିବ ଡ. ପଙ୍କଜ ମିତ୍ତଲ ଅଭିହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ହର ପ୍ରସାଦ ଦାସ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କିଟ୍‍ କ୍ୱାଲିଟି ଆସୁରାନ୍‍ସ ନିର୍ଦ୍ଦେଶକ ପ୍ରଫେସର ଜୟନ୍ତ ପରିଡ଼ା ପ୍ରମୁଖ ଯୋଗ ଦେଇ ନୂତନ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ତିନିଦିନ ବ୍ୟାପୀ ଚାଲିଥିବା ଏହି ଆନ୍ତର୍ଜାତିକ େଓବିନାରରେ ଶିକ୍ଷାନୀତି-୨୦୨୦ର ବିଭିନ୍ନ ଦିଗ ଉପରେ ପ୍ୟାନେଲ୍‍ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱର ୫୦ଟି ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ନୀତି ନିର୍ଦ୍ଧାରକ, ପ୍ରଶାସକ, ବୁଦ୍ଧିଜୀବିଙ୍କ ସମେତ ୩୦ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four + twelve =