ରାୟଗଡାରେ ଜନନୀ ଏକ୍ସପ୍ରେସ ବଦଳରେ ଚାଲିଛି ଖଟିଆ ଏକ୍ସପ୍ରେସ୍‌ : ବିଜେପି ମହିଳା ମୋର୍ଚ୍ଚା

0 41

ରାୟଗଡ: ରାୟଗଡ ଜିଲ୍ଳା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ସ୍ଥାନୀୟ ହୋଟେଲ ତେଜସ୍ୱୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଯୋଗୁଁ ମହିଳା ଓ ଶିଶୁ ଅଧିକ ପ୍ରଭାବିତ ହେଉଥିବା ଅଭିଯୋଗ ନେଇ ରାଜ୍ୟ ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ତଥା ରାୟଗଡା ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଶ୍ରୀମତି ବବିତା ପାତ୍ର ରାଜ୍ୟ ସରକାରଙ୍କ ୨୨ବର୍ଷର ଅପାରଗ ଶାସନ ଯୋଗୁଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବ୍ୟବସ୍ଥା ଜାରି ରହିଛି ବୋଲି ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି । କରୋନାର ତୃତୀୟ ଲହରରେ ବିଶେଷ କରି ଶିଶୁମାନଙ୍କ କ୍ଷେତ୍ରରେ ଏହାର ଅଧିକ ପ୍ରଭାବ ରହିବ ବୋଲି ଖୋଦ୍‌ ରାଜ୍ୟ ସରକାର ପ୍ରଚାର କରୁଥିବା ବେଳେ ରାୟଗଡ ଜିଲ୍ଳାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଯୋଗୁଁ ଏଠାକାର ମହିଳା ଓ ଶିଶୁମାନେ ବିପଦପୂର୍ଣ୍ଣ ଭାବେ ଜୀବନ ଅତିବାହିତ କରୁଛନ୍ତି । ଜିଲ୍ଳାରେ ପ୍ରାୟ ୨ଲକ୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ୧୦ଜଣ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସ୍ଥାନରେ କେବଳ ୨ଜଣ ଡାକ୍ତର ରହିଥିବା ବେଳେ ୪ଲକ୍ଷ ମହିଳାଙ୍କ ପାଇଁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୮ଜଣଙ୍କ ବଦଳରେ ମାତ୍ର ୩ଜଣ ଡାକ୍ତର ରହିଛନ୍ତି ଯାହାକି ଦୁର୍ଭାଗ୍ୟଜନକ ବିଷୟ ବୋଲି ଶ୍ରୀମତି ପାତ୍ର କହିଛନ୍ତି । ସେହିପରି ଜିଲ୍ଳାରେ ୧୭୦ଟି ଗ୍ରାମ ବର୍ଷା ଦିନରେ ବିଚ୍ଛିନାଞ୍ଚଳ ଭାବେ ରହୁଥିବା ବେଳେ ସେଠାରେ କୌଣସି ସ୍ୱାସ୍ଥ୍ୟସେବା ପଂହଚି ପାରୁ ନ ଥିବା ଅଭିଯୋଗ କରିଛନ୍ତି । ଅନେକ ମହିଳା ବିପଦସଙ୍କୁଳ ଭାବେ ଘରେ ପ୍ରସବ କରୁଥିବା ବେଳେ ଆନୁଷ୍ଠାନିକ ପ୍ରସବ କରିବାରୁ ବଂଚିତ ହେଉଛନ୍ତି ଏବଂ ସେଠାରେ କୌଣସି ସ୍ୱାସ୍ଥ୍ୟ ସେବା ପଂହଚିବା ତ ଦୂରର କଥା କୌଣସି ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପଂହଚି ପାରୁନି ବୋଲି କହିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଗତ ୨୦୧୬-୧୭ବର୍ଷରୁ ପ୍ରତି ହଜାରରେ ୩୫ ଶିଶୁ ମୃତ ହେଉଥିବା ବେଳେ ୨୦୨୦-୨୧ବର୍ଷରେ ୪୦ଶିଶୁ ମୃତ୍ୟୁ ହେଉଥିବାରୁ ଜିଲ୍ଲାରେ ଶିଶୁ ମୃତ୍ୟୁହାର ଦିନକୁ ଦିନ ବୃଦ୍ଧି ହେଉଥିବା ଅଭିଯୋଗ କରିଛନ୍ତି । ୨୨ବର୍ଷ ଧରି ରାଜ୍ୟରେ କୁଶାସନ କରୁଥିବା ବିଜେଡି ଅପାରଗ ସରକାର ଲୋକଙ୍କ ଜୀବନରେଖା ବୋଲାଉଥିବା ସ୍ୱାସ୍ଥ୍ୟସେବାକୁ ଯୋଗାଇବାରେ ବିଫଳ ହୋଇଥିବା ଶ୍ରୀମତି ପାତ୍ର ପ୍ରକାଶ କରିଛନ୍ତି । ଜିଲ୍ଳାରେ ଆଜି ମଧ୍ୟ ମହିଳାମାନେ ଖଟରେ, କୋକେଇରେ ବୁହା ହୋଇ ତଥା ରାସ୍ତାକଡରେ ପିଲାଜନ୍ମ କରୁଛନ୍ତି,ଫଳରେ ଏଠାରେ ଜନନୀ ଏକ୍ସପ୍ରେସ ବଦଳରେ ଖଟିଆ ଏକ୍ସପ୍ରେସ୍‌ ଚାଲିଛି ବୋଲି ଶ୍ରୀମତି ପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟ ସରକାର ରାୟଗଡା ଜିଲ୍ଳାର ସ୍ୱାସ୍ଥ୍ୟସେବା ପ୍ରତି ଅଣଦେଖା କରୁଥିବାରୁ ଏଠାକାର ଲୋକେ ପଡୋଶୀ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି ତେଣୁ ସରକାରଙ୍କ ଏପରି ସ୍ୱାସ୍ଥ୍ୟସେବା ଯୋଗାଇବାଥିବାରୁ ମହିଳା ମୋର୍ଚ୍ଚା ଘୋର ବିରୋଧ କରୁଛି ବୋଲି କହିଛନ୍ତି । ତେଣୁ ଜିଲ୍ଳାରେ ଆଗାମୀ ଦିନରେ ଆବଶ୍ୟକୀୟ ଡାକ୍ତରୀ ପଦବୀ ପୂରଣ କରିବା ସହ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଯନ୍ତ୍ରପାତି ଯୋଗାଇ ଦିଆ ନ ଗଲେ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଳାଇ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଉଛି ବୋଲି ଶ୍ରୀମତି ପାତ୍ର ପ୍ରକାଶ କରିଥିଲେ । ସେହିପରି ଜିଲ୍ଳାରେ ୫୦ପ୍ରତିଶତ ମହିଳା ରକ୍ତ ଓ ପୁଷ୍ଟିହୀନତାର ଶିକାର ହୋଇଥିବା ବେଳେ ରାଜ୍ୟ ସରକାର ମହିଳା ସଶକ୍ତିକରଣକୁ କିପରି ସଫଳ କରାଉଛନ୍ତି ତାହାର ଜବାବ ମୁଖ୍ୟମନ୍ତ୍ରୀ ରଖିବେ କି ବୋଲି ଶ୍ରୀମତି ପାତ୍ର ପ୍ରକାଶ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ଜିଲ୍ଳା ଉପସଭାପତି ଧର୍ମିଷ୍ଠା ସାମନ୍ତ ଓ ସାଧାରଣ ସଂପାଦିକା ପିଙ୍କି ମହାପାତ୍ର ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

8 + fourteen =