ଶେଷ ମୁହୂର୍ତ୍ତରେ ବାତିଲ ହେଲା ରେଳରୋକୋ ଆନ୍ଦୋଳନ

0 157

ସମ୍ବଲପୁର : ବିଶ୍ୱ ମହାମାରୀ କରୋନାର ପ୍ରଥମ ଲହରରୁ ଗତ ୨୦୨୦ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ସର୍ବଭାରତୀୟ ସ୍ତରରେ ଲକଡାଉନ ଘୋଷଣା ହୋଇଥିଲା । ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଅନୁଷ୍ଠାନ ସହିତ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ହେବା ସଙ୍ଗେ ସଙ୍ଗେ ଯାତାୟାତର ସମସ୍ତ ମାଧ୍ୟମଗୁଡିକରେ ମଧ୍ୟ ଲାଗିଥିଲା ସମ୍ପୂର୍ଣ୍ଣ ବ୍ରେକ । ପରବର୍ତ୍ତୀ ସମୟ ରେ ଧିରେ ଧିରେ ପରିସ୍ଥିତି ସ୍ୱାଭାବିକ ହେବାକୁ ଆରମ୍ଭ ହେଲା ଓ ଯାତାୟାତର ବିଭିନ୍ନ ଉତ୍ସ ମଧ୍ୟ ଧୀରେ ଧୀରେ ଉଣା ଅଧିକେ ଗତିଶୀଳ ହେବାକୁ ଆରମ୍ଭ ହେଲା । ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଅଧିକ ଚର୍ଚ୍ଚା ରେ ରହିଥିଲା ଭାରତୀୟ ରେଳ ସେବା । ବର୍ତ୍ତମାନ ସମଗ୍ର ଦେଶରେ ରେଳସେବା ଆରମ୍ଭ ହୋଇଛି ସତ କିନ୍ତୁ ସମସ୍ତ ଟ୍ରେନ ଚାଲୁ ହୋଇ ନାହିଁ ଓ ଯେତିକି ମଧ୍ୟ ଚାଲୁଛି ସେଗୁଡିକର ପୂର୍ବସୂଚୀ ଅନୁସାରେ ଷ୍ଟେସନରେ ରହଣି ଆରମ୍ଭ ହୋଇ ନାହିଁ । ଏଣୁ କେତେବେଳେ କେଉଁ ଟ୍ରେନ ଚଳାଚଳକୁ ତ ପୁଣି କେତେବେଳେ କେଉଁ ଷ୍ଟେସନରେ ଟ୍ରେନ ରହଣିକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ସ୍ୱର ଉତ୍ତୋଳନ ହେବାକୁ ଆରମ୍ଭ ହେଲାଣି । ଏହି ମର୍ମରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଷ୍ଟେସନ ରେ ବିଭିନ୍ନ ଟ୍ରେନ ରହଣିର ଦାବୀ ଏକ ବିଶେଷ ଗୁରୁତ୍ୱ ବହନ କରିଛି । ସମ୍ବଲପୁର ଜଙ୍କଶନ ଓ ଝାରସୁଗୁଡା ଜଙ୍କଶନ ମାଧ୍ୟମରେ ଯାତାୟାତ କରୁଥୁବା ଟ୍ରେନ ଗୁଡିକ ପାଇଁ ରେଙ୍ଗାଲି ଷ୍ଟେସନ ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ । ଶିଳ୍ପ ବହୁଳ ଅଞ୍ଚଳ ରେଙ୍ଗାଲିରେ ଦେଶର କୋଣ ଅନୁକୋଣ ର ଲୋକେ ବସବାସ କରନ୍ତି ଓ ଯାତାୟାତ ପାଇଁ ରେଳ ସେବାକୁ ନିର୍ଭର କରିଥାନ୍ତି । ରେଳ ସେବା ସ୍ୱାଭାବିକ ହେଲା ପରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ରେଙ୍ଗାଲି ଷ୍ଟେସନରେ ରହୁ ନାହିଁ ଓ ଯାତ୍ରୀମାନଙ୍କୁ ସମ୍ବଲପୁର କିମ୍ବା ଝାରସୁଗୁଡା ଉପରେ ନିର୍ଭର କରିବାକୁ ପଡୁଥିଲା । ତେଣୁ, ଅଞ୍ଚଳବାସୀଙ୍କ ସୁବିଧା ପାଇଁ ବହୁ ଦିନରୁ ରେଙ୍ଗାଲି ବିଜେପି ପକ୍ଷରୁ ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣି ପାଇଁ ସ୍ୱର ଉତ୍ତୋଲନ କରିବା ଆରମ୍ଭ ହୋଇଥିଲା । ପ୍ରଥମେ ସେପ୍ଟେମ୍ବର ୧୯ରେ ଏହି ପ୍ରସଙ୍ଗରେ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ପୁଣି ଅକ୍ଟୋବର ୧ ରେ ପୁନଃ ଦାବିପତ୍ର ପ୍ରଦାନ କରିଥିଲା ରେଙ୍ଗାଲି ବିଜେପି । ଶେଷରେ ଗତ ଦୁଇ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର ୧୬ ତାରିଖରେ ରେଳ ମଣ୍ଡଳୀୟ ପ୍ରବନ୍ଧକଙ୍କୁ ସାକ୍ଷାତ କରି ଚେତାବନୀ ଦେଇଥିଲେ ଯେ ଦୁଇ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ୧୮ ତାରିଖ ସକାଳେ ଅନିର୍ଦ୍ଦିଷ୍ଟ କାଳପାଇଁ ରେଳରୋକୋ ଆନ୍ଦୋଳନ କରାଯିବ । ଅନ୍ୟ ପଟେ ରେଙ୍ଗାଲି ବିଧାୟକ ନାଉରି ନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସମ୍ପର୍କ ରକ୍ଷାକରି ଏଥିପାଇଁ ହସ୍ତକ୍ଷେପ ଲୋଡିଥିଲେ ଓ ରେଳ ବିଭାଗର ଅଧିକାରୀଙ୍କ ସହିତ କଥାବାର୍ତ୍ତା ମଧ୍ୟ ଜାରି ରଖିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ରେଙ୍ଗାଲି ବିଧାୟକ ନାଉରି ନାୟକଙ୍କ ନେତୃତ୍ୱରେ ଆନ୍ଦୋଳନ କରିବା ପାଇଁ ଲୋକେ ରେଙ୍ଗାଲି ରେଳ ଷ୍ଟେସନ ଠାରେ ପହଞ୍ଚିଥିଲେ । ସକାଳେ ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟିକୁ ଅଟକାଇବା କିଛି ସମୟ ପୂର୍ବରୁ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳୀୟ ବ୍ୟବସାୟୀକ ପ୍ରବନ୍ଧକ ବିଭାଗୀୟ ଅଧିକାରୀଙ୍କ ପ୍ରତିଶୃତି ପତ୍ରନେଇ ପହଞ୍ଚି ଥିଲେ । ଏହା ପରେ ଆଜିର ରେଳ ରୋକୋ ଆନ୍ଦୋଳନକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନିଆଗଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବ୍ଲକ ସାଂସଦ ପ୍ରତିନିଧି ଯୁଗଳ ଅଗ୍ରୱାଲ ଧନକଉଡା ବ୍ଲକ ସାଂସଦ ପ୍ରତିନିଧି ଆଶିଷ ହୋତା, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ତିରୋଜ ହେଡେଞ୍ଜା, ନବୀନ ପ୍ରଧାନ, ପ୍ରଶାନ୍ତ ବାରିକ, ବିଶିକେସନ ପଣ୍ଡା, ପଙ୍କଜିନି ରାଉତ, ରମେଶ ଅଗ୍ରୱାଲ, ପ୍ରକାଶ ପୃଷ୍ଟି, ଜଗନ୍ନାଥ ପାଣି, ଉମା ଶଙ୍କର ନାଥ, ଶମ୍ଭୁନାଥ ଅଗ୍ରୱାଲ, ଲୋଚନ କଠାର, ଜିତେନ ପ୍ରଧାନ, ସୁମନ୍ତ ପାଣିଗ୍ରାହୀ, ସୁଧୀର ଗୁପ୍ତା, ସଜ୍ଜନ ପୋଦାର ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

17 − ten =