ମୟୂରଭଞ୍ଜରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ

0 43

ଭୁବନେଶ୍ୱର: ମୟୂରଭଞ୍ଜରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସହିଦ ସ୍ମୃତିଭବନ ପରିସରରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାରେ ୬ଲକ୍ଷ ହିତାଧିକାରୀ ବିଏସକେୱାଇ ସ୍ମାର୍ଟକାର୍ଡର ଲାଭ ପାଇବେ । ସେହିପରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ୨ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ । ଏହି ଅବସରରେ ସେ ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି । ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶାର ଲକ୍ଷ୍ୟ ରଖି ଅଗଷ୍ଟ ୧୫ ତାରିଖରୁ ଏହି ଡିଜିଟାଲ କାର୍ଡର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମହିଳାମାନେ ୧୦ଲକ୍ଷ ଓ ପୁରୁଷମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପାଇବେ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ ।
ନିଜ ଉଦବୋଧନରେ ନବୀନ କହିଛନ୍ତି, ମୟୂରଭଞ୍ଜ ଲୋକଙ୍କ ହୃଦୟ ବହୁତ ବଡ଼ । ବିକାଶର ଦିଗରେ ମୟୂରଭଞ୍ଜର ବଡ଼ ଅବଦାନ ରହିଛି । ବିଏସ୍‌କେୱାଇ କାର୍ଡ ହେଉଛି ବିପଦ ସମୟରେ ପ୍ରକୃତ ବନ୍ଧୁ । ଏହି କାର୍ଡ ଆପଣଙ୍କୁ ଅସୁବିଧା ସମୟରେ ବହୁତ ସାହାଯ୍ୟ କରିବ । ପରିବାରର କେହି ଅସୁସ୍ଥ ହେଲେ ଟେନସନ ବଢ଼ିଯାଏ । ଚିକିତ୍ସା ପାଇଁ କିଏ ଜମି ତ କିଏ ଗହଣା ବିକି ଅର୍ଥ ଯୋଗାଡ଼ କରିଥାନ୍ତି । ଏପରିକି ପିଲାଙ୍କ ପାଠପଢ଼ାରେ ବି ଡୋରି ଲାଗିଯାଏ । ଯାହା ତାଙ୍କୁ ଖୁବ ଦୁଃଖ ଦିଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ଆଉ କାହାକୁ ଏପରି ଅସୁବିଧା ଭୋଗିବାକୁ ପଡ଼ିବନି ।ସ୍ମାର୍ଟ କାର୍ଡରେ ସୁବିଧାରେ ମିଳିବ ସମସ୍ତ ଚିକିତ୍ସା ସହାୟତା । କୋଭିଡ ଓ ଅଣକୋଭିଡ ଚିକିତ୍ସା ବିନା କାଗଜପତ୍ରରେ ଅବିଳମ୍ବେ ଏହି ସୁବିଧା ମିଳିବ । ତେଣୁ ସଂଚିତ ଅର୍ଥ ରୋଗ ପାଇଁ ଖର୍ଚ୍ଚ ନହୋଇ ପିଲାଙ୍କ ପଢ଼ାରେ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ପ୍ରତି ଜୀବନ ମୂଲ୍ୟବାନ ବୋଲି ନବୀନ କହିଥିବାବେଳେ ଗାଁ ହେଉ କି ସହର ସମସ୍ତେ ସୁସ୍ଥରେ ରୁହନ୍ତୁ ବୋଲି କହିଛନ୍ତି । ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ ବୋଲି ସେ କହିଛନ୍ତି । ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପରିବାରର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି କହିଛନ୍ତି ନବୀନ । ରାଜ୍ୟର ସରକାରୀ ଡାକ୍ତର ଖାନାରେ ସମସ୍ତ ପ୍ରକାରର ଚିକିତ୍ସା ହୋଇପାରୁଛି । ଲକ୍ଷ ଲକ୍ଷ ଲୋକ ଚିକିତ୍ସା ହେଉଛନ୍ତି । ସେ ଚାଷୀ ହେଉ ମୁଲିଆ ହେଉ କି ରିକ୍ସାବାଲ ହେଉ, ମୋ ପାଇଁ ସମସ୍ତ ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଟଙ୍କା ପାଇଁ କେହି ଅସୁବିଧାର ସାମ୍ନା ନକରନ୍ତୁ । ସମସ୍ତେ ସୁସ୍ଥ ରହି ନିଜ ପାଇଁ ଏବଂ ରାଜ୍ୟ ପାଇଁ କାମ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

13 + 7 =