ଖର୍ଚ୍ଚ ହେଲାଣି ୧୫ ଲକ୍ଷ, ତଥାପି ଜହ୍ନାପଙ୍କ ଗ୍ରାମବାସୀ ତୃଷାର୍ତ୍ତ

0 138

ଜହ୍ନାପଙ୍କ : ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ପାନୀୟ ଜଳ ପ୍ରକଳ୍ପ କାଗଜକଲମରେ ଠିକ୍‌ଠାକ୍ ଚାଲିଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥବବା ସାଧାରଣରେ ଅଭିଯୋଗ ହେଉଛି । ଏଭଳି ଏକ ପ୍ରକଳ୍ପ ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମରେ ଦେଖିବାକୁ ମିଳିଛି । ସୂଚନାମତେ ଜହ୍ନାପଙ୍କ ଗ୍ରାମରେ ପାନୀୟ ଜଳର ସୁବିଧା ନଥିବାରୁ ୨୦୦୪ରେ ସ୍ୱଜଳ ଧାରା ଯୋଜନାରେ ଏକ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଗ୍ରାମ୍ୟ ଜଳ ଯୋଗାଣ ଓ କନିଷ୍ଠ ଯନ୍ତ୍ରୀଙ୍କ ବୁଝାମଣା ଅଭାବରୁ ଏହି ପ୍ରକଳ୍ପ କେବଳ ଏକ ବୋରୱେଲ୍ ଖୋଳାଯାଇ ପଡି ରହିଥିଲା । ଗ୍ରାମବାସୀଙ୍କ ଉଦ୍ୟମରେ ସ୍ୱେଚ୍ଛାସେବୀ ସ୍ୱାଧୀନ କୁମାର ପ୍ରଧାନ ଓ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରଚେଷ୍ଟାରେ ଏହି ପ୍ରକଳ୍ପ ୨୦୧୧ ମସିହାରେ ସଂପୂର୍ଣ୍ଣ ହୋଇ ଉଦ୍‌ଘାଟନ ହୋଇ ପାନୀୟ ଜଳ ଯୋଗାଣ ୮ଟି ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ହେଲା । ନିମ୍ନମାନର ପାଇପ୍ ଯୋଗୁଁ ବାରମ୍ବାର ଫାଟୁଥିବାରୁ ୨୦୧୬ ମସିହାରେ ଏମ୍‌ଆଇଏସ୍ ପାଇପ୍ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେଲା ଏବଂ ଆଉ ୫ଟି ଜଳସ୍ତର ନିର୍ମାଣ କରାଗଲା । କାର୍ଯ୍ୟ ଶେଷ ପରେ ବୋରୱେଲରେ ପର୍ଯ୍ୟାପ୍ତ ପାଣି ନହେବାରୁ ଏହା ବନ୍ଦ ହେଲା । ପୁଣି ୨୦୧୮ରେ ୫ ଲକ୍ଷ ଟଙ୍କାର ଟେଣ୍ଡର ହେଲା । ଯାହାକି ନୂତନ ବୋରୱେଲ ସହିତ ୫୦୦ ମିଟର ଏମ୍‌ଆଇଏସ୍ ପାଇପ୍ ସହିତ ପମ୍ପ୍ ହାଉସ୍ ଓ ୬ଟି ଜଳସ୍ତର ନିର୍ମାଣର ଲକ୍ଷ୍ୟ ଥିଲା । ଆଶ୍ଚର୍ଯ୍ୟର ବିଷୟ ଏହି କାର୍ଯ୍ୟ ଗ୍ରାମ୍ୟ ଜଳ ଯୋଗାଣ କମିଟିର ସଂପୂର୍ଣ୍ଣ ଅଗୋଚରରେ ହୋଇଥିଲା । ଏ ନେଇ ଗ୍ରାମ୍ୟ ଜଳ ଯୋଗାଣର କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ସଭାପତି ଫୋନ୍ କରିଥିଲେ ମଧ୍ୟ କଷ୍ଟଲାଭ ହୋଇନଥିଲା । ସଂପୃକ୍ତ ଠିକାଦାର ତରବରିଆ ଭାବେ କାମ କରିଦେଇ ଛୁ ମାରିଥିବା ବେଳେ ବର୍ତ୍ତମାନ ଏହି ପାଇପର ସଂଯୋଗସ୍ଥଳଗୁଡ଼ିକରୁ ପାଣି ଲିକ୍ ଯୋଗୁଁ ସବୁ ଷ୍ଟାଣ୍ଡପୋଷ୍ଟରେ ପାଣି ବାହାରୁ ନାହିଁ । ଏପରିକି ପୂର୍ବରୁ ପଡ଼ିଥିବା ପାଇପକୁ ସଂଯୋଗ ହୋଇଥିଲେ ମଧ୍ୟ ପାଇପ୍ ଫାଟିଥିବା ଯୋଗୁଁ ପାଣି ନଷ୍ଟ ହେଉଛି । ପାଇପ୍ ଫାଟିଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଏହାର ମରାମତି ଦିଗରେ ଆଦୌ ଧ୍ୟାନ ଦେଉନଥିବା ପରିତାପର ବିଷୟ । ଅନ୍ୟପକ୍ଷରେ ଜହ୍ନାପଙ୍କ ଗ୍ରାମରେ ପ୍ରାୟ ୧୬୦୦ ଲୋକ ବସବାସ କରନ୍ତି । ସକାଳ ପାହିଲେ ଲୋକମାନେ ଗରା, ବାଲ୍‌ତି ଧରି ପ୍ରାୟ ୧ କିମି ଦୂରରୁ ସାଇକେଲ୍ କିମ୍ବା ଚାଲିଚାଲି ଯାଇ ପାଣି ଆଣିଥାନ୍ତି । ଗୋଟିଏ ପ୍ରକଳ୍ପରେ ବାରମ୍ବାର ମରାମତି ନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କନିଷ୍ଠ ଯନ୍ତ୍ରୀଙ୍କର କିିଛି ସ୍ୱାର୍ଥ ନାହିଁ ତ? ତୁରନ୍ତ ଏହାର ସମାଧାନ ନହେଲେ ଜହ୍ନାପଙ୍କ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

14 + seventeen =