ଧର୍ମଶାଳା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନ ପର୍ବ

0 228

ଧର୍ମଶାଳା: ଗଣତନ୍ତ୍ର ର 3ଟି ସ୍ତମ୍ଭ ବ୍ୟବସ୍ତପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା।ଏହି 3ଟି ସ୍ତମ୍ଭ ପରେ ଯଦି ଅନ୍ୟ ଏକ ସ୍ତମ୍ଭ ବିଚାରକୁ ଆସେ ତାହା ହେଉଛି ପ୍ରେସ ଓ ମିଡ଼ିଆ। 4ର୍ଥ ସ୍ତମ୍ଭ ଭାବେ ପ୍ରେସ ଓ ମିଡ଼ିଆ କୁ ଲିଖିତ ସାମ୍ବିଧାନିକ ପ୍ରତିଶ୍ରୁତି ମିଳି ନଥିଲେ ମଧ୍ୟ ସାଧାରଣ ଲୋକଙ୍କ କଥା କହୁଥିବା ପ୍ରେସ ଓ ମିଡ଼ିଆ କୁ ସାଧାରଣ ଲୋକ 4ର୍ଥ ସ୍ତମ୍ଭ ବୋଲି ଧରି ନେଇଛନ୍ତି ।ସମାଜ ର ଅବହେଳିତ,ନିଷ୍ପେସିତ ଲୋକ ଙ୍କ ସ୍ୱର ହେଉଛି ଗଣମାଧ୍ୟମ । କୁହାଯାଏ 3ଟି ସ୍ତମ୍ଭ କୁ ସମାଜ ରେ ଦର୍ପଣ ଦେଖାଉଥିବା ସ୍ତମ୍ଭଟି ହେଉଛି 4ର୍ଥ ସ୍ତମ୍ଭ ଅର୍ଥାତ୍ ଗଣ ମାଧ୍ୟମ।ଅର୍ଥାତ୍ 3ଟି ସ୍ତମ୍ଭ ଯଦି କେବେ ବାଟ ହୁଡ଼ି ଯାଏ ତାକୁ ଉଚିତ୍ ରାସ୍ତା ଦେଖାଇବାର କାମ ହେଉଛି 4ର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଅର୍ଥାତ୍ ପ୍ରେସ ଓ ମିଡ଼ିଆର ।
ଧର୍ମଶାଳା ପ୍ରେସ କ୍ଲବର ୨୧ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନ ପର୍ବ ଜାରକା ସ୍ଥିତ କଳ୍ପତରୁ ଦାସ ଇଣ୍ଡୋର ଷ୍ଟାଡିୟମ୍ ସଭା ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପ୍ରେସକ୍ଲବର ସଭାପତି ରମାକାନ୍ତ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଲବନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରି ଥିଲେ। ସମାଜରେ ରହୁଥିବା ଲୋକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଗଣମାଧ୍ୟମର ଭୂମିକା । ଗଣମାଧ୍ୟମ ଲୋକ ଓ ସରକାର ମଧ୍ୟରେ ସେତୁ ସଦୃଶ। ଆମ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଧର୍ମଶାଳା ରାଜ୍ୟରେ ପ୍ରଥମ ହୋଇଛି। ଏହି ବ୍ଲକ ୧୬୦ଟି ପ୍ରକଳ୍ପ ବହୁ କମ ଦିନ ମଧ୍ୟରେ ଶେଷ କରି ପାରିଛି। ସେହିପରି ନୂଆ ଓ କାର୍ଯ୍ୟକ୍ରମରେ ସର୍ବାଧିକ ପଞ୍ଜିକରଣ କ୍ଷେତ୍ରରେ ଧର୍ମଶାଳା ଆଗରେ ରହିଛି। ଭଲ ଖବରକୁ ପ୍ରକାଶ କରନ୍ତୁ। ଧର୍ମଶାଳା ପ୍ରେସ କ୍ଲବ ଜିଲ୍ଲାରେ ସ୍ଵତନ୍ତ୍ର। ଧର୍ମଶାଳା ନିର୍ବାଚନ ମଣ୍ଡଳୀକୁ ଏକ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ଭାବରେ ଗଢି ତୋଳିବା ପାଇଁ ଆମେ ସମସ୍ତେ ପ୍ରୟାସ କରିବା ବୋଲି ସଭାରେ ସାମ୍ବାଦିକ ଓ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କୁ ଆହ୍ବାନ କରିଥିଲେ।
ଅତିଥି ଭାବରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଯୋଗଦେଇ ନ୍ୟସ୍ତ ସ୍ବାର୍ଥରୁ ଉର୍ଦ୍ଧରେ ରହି ସମ୍ବାଦ ପରିବେଶ ହେବା ଉଚିତ। ନିରପେକ୍ଷତାର ସହ ସତ୍ୟତାକୁ ପ୍ରକାଶ କରାଯାଇପାରେ। ସମାଜର ଶେଷ ଧାଡ଼ିରେ ରହୁଥିବା ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ। ସମସ୍ତେ ମିଶି ସମାଜ ପରିବର୍ତ୍ତନ ଓ ରୂପାନ୍ତରଣରେ ସାମିଲ ହେବା। ଭଲ କାମକୁ ସମସ୍ତେ ପ୍ରୋତ୍ସାହନ କରିବା ଉଚିତ। ସାମ୍ବାଦିକ ମାନେ ଯେତେ ଶକ୍ତିଶାଳୀ ହେବେ ଗଣତନ୍ତ୍ର ସେତେ ସୃଦୁଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଯୋଗଦେଇ ପ୍ରେସ ସ୍ଵାଧୀନତା ଗୁରୁତର ଭାବରେ କ୍ଷୁର୍ଣ୍ଣ ହେଉଛି। ବିଶ୍ବର ୧୮୦ଟି ଦେଶରେ ଗଣମାଧ୍ୟମର ସ୍ଵାଧୀନତା ହେଉଥିବା ପ୍ରେସ ଫ୍ରିଡମ୍ ଇଣ୍ଡେକ୍ଟ ଭାରତ ୨୦୧୪ରେ ୧୪୦ତମ ସ୍ଥାନରେ ରହିଥିବା ବେଳେ ସଂପ୍ରତି ଏହାର ସ୍ଥାନ ୧୬୧କୁ ଖସି ଆସିଛି। ସେ ସମୟରେ ସାମ୍ବାଦିକତାର ମୂଲ୍ୟବୋଧକୁ ଶାଣିତ କରିବାକୁ ହେଲେ ସାମ୍ବାଦିକମାନେ ସଂଘବଦ୍ଧ ହେବା ଆବଶ୍ୟକ
ବୋଲି ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରେସ କ୍ଲବର ମୁଖପତ୍ର ପ୍ରହରୀକୁ ଅତିଥିମାନେ ଉନ୍ମୋଚନ କରିବା ସହିତ ସାମ୍ବାଦିକ ମାନସ ଜେନାଙ୍କ ମାସିକ ପତ୍ରିକା ଆଜିର ଆହ୍ବାନକୁ ଉନ୍ମୋଚନ କରିଥିଲେ । ଏଥ୍‌ସହ ଅତିଥିମାନଙ୍କ ଦ୍ବାରା ବଡଚଣା ଅଂଚଳର ବରିଷ୍ଠ ସାମ୍ବାଦିକ ଭକ୍ତ ଚରଣ ସାହୁଙ୍କୁ ନରହରି ମହାନ୍ତି ସ୍ମୃତି ସମ୍ମାନ, ବରିଷ୍ଠ ଶିଶୁ ସାହିତ୍ୟ ସ୍ରଷ୍ଟା ବଟକୃଷ୍ଣ ଓଝାଙ୍କୁ ସାରସ୍ଵତ ସାଧକ ସମ୍ମାନ, ବାସନ୍ତୀ ରଣାଙ୍କୁ ସଫଳ ଉଦ୍ୟୋଗୀ ସମ୍ମାନ ଓ ଖବରକାଗଜ ବିତରକ ବସନ୍ତ କୁମାର ବାରିକଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରେସ କ୍ଲବର ପ୍ରତିଷ୍ଠାତା ସଭ୍ୟ ପ୍ରେମଲତା ଜେନା, ସଭ୍ୟ ଅଭିମନ୍ୟୁ ପଣ୍ଡା ଓ ନାରାୟଣ ଜେନାଙ୍କୁ ସମ୍ମାନିତ କରାଯିବା ସହ ଅତିଥିମାନଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଦେଷ୍ଟା ବଟକୃଷ୍ଣ ପରିଡା, ଇନ୍ଦ୍ରମଣି ନାୟକ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀ ପ୍ରମୁଖ ଯୋଗଦେଇ ସୂଚନା ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଅବିନେଶ୍ବର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଅଖିଳ କୁମାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜାରକା ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାର ବନ୍ଦେ ଉତ୍କଳ ଜନନୀ ଓ ସ୍ଵାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ସାମ୍ବାଦିକ ଗୁଲାମ ଗସ, ସୀତାକାନ୍ତ ସାମଲ, କପିଳେନ୍ଦ୍ର ରାଉତ, ବିକ୍ରମ କେଶରୀ ମହାନ୍ତି, ଅକ୍ଷୟ କୁମାର ରାଉତ, ବିବେକାନନ୍ଦ ରାୟ, ପ୍ରଶାନ୍ତ କୁମାର ଗନ୍ତାୟତ, କ୍ଷିରୋଦ ଚନ୍ଦ୍ର ମୁଦୁଲି, ବିନୋଦ ପରିଡା, ଅନିଲ କୁମାର ନାୟକ, ରଶ୍ମୀ ରଞ୍ଜନ ରାୟ, ଗିରିଧାରୀ ବେହେରା, ସୁବ୍ରତ କୁମାର ଜେନା, କିଶୋର ଚନ୍ଦ୍ର ରାଉତ, ବିନୋଦ ବିହାରୀ ସାହୁ ଓ ସହଯୋଗୀ ରାମଚନ୍ଦ୍ର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସାମ୍ବାଦିକ ମାନସ ରଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ । ବିଭିନ୍ନ ପ୍ରେସ କ୍ଲବ ଓ ଅନୁଷ୍ଠାନର ଶତାଧିକ ନିମନ୍ତ୍ରିତ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ।

hiranchal ad1
Leave A Reply

Your email address will not be published.

11 − three =