ରେଢାଖୋଲ ଜନସଭାରେ ଯୋଗଦେଲେ ରାଷ୍ଟ୍ରପତି, ଭୀମ ଭୋଇଙ୍କ ଦୃଷ୍ଟିରେ ସାନ-ବଡର ଭେଦଭାବ ନଥିଲା

0 122

ଭୁବନେଶ୍ୱର/ରେଢାଖୋଲ : ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।’ ସମ୍ବଲପୁର ଜିଲ୍ଲା ରେଢାଖୋଲ ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ସନ୍ଥକବି ଭୀମ ଭୋଇଙ୍କ ଏହି କବିତା ଆବୃତ୍ତି କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି, ସନ୍ଥକବି ଭୀମ ଭୋଇଙ୍କ ବାଣୀ ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ । ଯେଉଁଦିନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲି,ସେହିଦିନ ମଧ୍ୟ ମୁଁ ସନ୍ଥକବିଙ୍କୁ ମନେ ପକାଇଥିଲି । ଭୀମ ଭୋଇ ସାଧାରଣ ପରିବାରରେ ଜନ୍ମ ନେଇଥିଲେ ବି ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ପଲାଦିନରେ ସେ ବିଲବଣରେ ଗାଈ ଚରାଉଥିଲେ । ସେ ନିଜ ଲେଖନୀରେ ଏହା ଲେଖିଛନ୍ତି । ସେ ଗାଈ ଚରାଇଲା ବେଳେ ଝରଣା ପାଣି ପିଉଥିଲେ । ଚାରିଆଡେ ଗାଈମାନଙ୍କ ସହିତ ବୁଲୁଥିଲେ ।

hiring


ରାଷ୍ଟ୍ରପତି କହିଥିଲେ,ଆନୁଷ୍ଠାନିକ ଶିକ୍ଷା ବିନା ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରାଯାଇପାରେ ଏବଂ ତାହାରି ମାଧ୍ୟମରେ ଜଗତକୁ ଦିଗ୍‌ଦର୍ଶନ ଦିଆଯାଇପାରେ ବୋଲି ଭୀମ ଭୋଇ ପ୍ରମାଣିତ କରିଛନ୍ତି । ସେ କୌଣସି ଆନୁଷ୍ଠାନିକ ଶିକ୍ଷାଦୀକ୍ଷା ନେଇ ନଥିଲେ । କିନ୍ତୁ ଗୁରୁଙ୍କ କୃପାରୁ ସେ ଦିବ୍ୟଜ୍ୟୋତି ପ୍ରାପ୍ତ ହୋଇପାରିଥିଲେ । କୁହାଯାଇଥାଏ, ସେ ଜନ୍ମାନ୍ଧ ଥିଲେ । ଭୀମ ଭୋଇଙ୍କ ବାହ୍ୟ ଦୃଷ୍ଟି ସିନା ନଥିଲା । କିନ୍ତୁ ଅନ୍ତର୍ଦୃଷ୍ଟି ଥିଲା ପ୍ରଖର । ଏହି ଅନ୍ତଃ ଦୃଷ୍ଟି ବଳରେ ସେ ସବୁ ଦେଖିପାରୁଥିଲେ । ସେ ରଚନା କରିପାରିଥିଲେ ବହୁ କବିତା ଓ ଗ୍ରନ୍ଥ । ତାଙ୍କ ଦ୍ୱାରା ରଚିତ କବିତା ଓ ଗ୍ରନ୍ଥ ସ୍କୁଲ ଓ କଲେଜଗୁଡିକର ପାଠ୍ୟଖସଡାରେ ସାମିଲ କରାଯାଇଛି । ମହାମହିମ କହିଛନ୍ତି, ଭୀମ ଭୋଇଙ୍କ ଦୃଷ୍ଟିରେ ଈଶ୍ୱର ଅରୂପ । ତାଙ୍କର ଉଦ୍ୟମ ଯୋଗୁଁ ମହିମା ଧର୍ମ ଓଡିଶାର ଦୁରଦୂରାନ୍ତରକୁ ବ୍ୟାପିଛି । ଗୀତ ଓ କବିତା ମାଧ୍ୟମରେ ସେ ମହିମା ଧର୍ମକୁ ବ୍ୟାପିବାରେ ଉଦ୍ୟମ କରିଥିଲେ । ତାଙ୍କ ଦୃଷ୍ଟିରେ ସାନ-ବଡର ଭେଦଭାବ ନଥିଲା । କୀଟ-ପତଙ୍ଗଙ୍କୁ ମଧ୍ୟ ସେ ମନୁଷ୍ୟ ଭଳି ଦେଖୁ ଥିଲେ । ସମାଜରେ ସମାନତା ପ୍ରତିଷ୍ଠା କରିବା ଭୀମଭୋଇ ଉଦ୍ୟମ କରିଥିଲେ ।
ମହାପୁରୁଷଙ୍କ ଜନ୍ମମାଟିକୁ ଗଲେ ବହୁତ ଆନନ୍ଦ ଲାଗିଥାଏ । ମଧୁବାବୁ,ନେତାଜୀଙ୍କ ଜନ୍ମସ୍ଥଳୀକୁ ଯାଇଛି । ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମସ୍ଥଳୀକୁ ଯାଇଛି । ଭୀମ ଭୋଇଙ୍କ ଜୀବନୀ ଓ କୃତୀ ବିଭିନ୍ନ ଭାଷାରେ ସୀମିତ ହୋଇ ରହିବ ନାହିଁ । ତାଙ୍କର ଜୀବନୀ ଓ ସାହିତ୍ୟ ବିଭିନ୍ନ ଭାଷାରେ ଅନୁଦିତ ହୋଇଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି । ଏହା ପୂର୍ବରୁ ସେ କହିଥିଲେ, ଆଜି ମଧୁପୁର ଗାଁକୁ ଯାଇ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍କାଞ୍ଜଳି ଦେବାର ସୁଯୋଗ ପାଇପାରିଛି । ସନ୍ଥକବିଙ୍କ ଧ୍ୱନି ମଣ୍ଡପକୁ ଯାଇଥିଲି । କନ୍ଧରା ଗାଁକୁ ଯାଇ ଭୀମ ଭୋଇଙ୍କ ଦିବ୍ୟଜ୍ୟୋତି ଓ ଜ୍ଞାନପ୍ରାପ୍ତି ପୀଠ ଦର୍ଶନ କରିଛି । କଙ୍କଡାପଡାରେ ସନ୍ଥକବିଙ୍କ ମନ୍ଦିର ଦେଖିବାର ସୁଯୋଗ ପାଇପାରିଛି । ସନ୍ଥ କବି ଯେପରି ଚାରିଆଡେ଼ ବ୍ୟାପି ରହିଛନ୍ତି । ତାଙ୍କର ଉପସ୍ଥିତି ମୁଁ ଅନୁଭବ କରୁଛି । ତାଙ୍କର ଦାୟାଦ ଏଠାରେ ବହୁ ସଂଖ୍ୟାରେ ଅଛନ୍ତି ବୋଲି ସେ କହିଥିଲେ ।


ସେହିପରି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଥିଲେ ଯେ, ଦେଶର ସାଧୁସନ୍ଥମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନେ ଆଦର୍ଶରେ ବିଚାରଧାରା, ସଂସ୍କାରରେ ସମାଜ ଆଗେଇ ଚାଲିଛି । ଏହା ହିଁ ଆମ ପାଇଁ ଗୌରବର ବିଷୟ । ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ରୀତା ସାହୁଙ୍କ ସମେତ ବହୁ ସାଧୁସନ୍ଥ ଯୋଗଦେଇଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସାରା ରେଢାଖୋଲ ଅଂଚଳରେ ଖୁସିର ଲହରି ଖେଳିଯାଇଥିଲା ।

hiranchal ad1
Leave A Reply

Your email address will not be published.

20 − four =