କରୋନା କଟକଣା ଯୋଗୁଁ ପର୍ଯ୍ୟଟନ ସ୍ଥଳ ଜନଶୂନ୍ୟ ରୋଜଗାର ହରାଉଛନ୍ତି ସ୍ଥାନୀୟ ବ୍ୟବସାୟୀ, ପର୍ଯ୍ୟଟକ ନିରାଶ

0 136

ବାଲିଗୁଡ଼ା/ଦାରିଙ୍ଗିବାଡ଼ି,୩୦/୧୧: ସବୁ ସାରିଦେଲା ମହାମାରୀ କରୋନା । ନା ଖୋଲୁଛି ମନ୍ଦିର ନା ଖୋଲୁଛି ପର୍ଯ୍ୟଟନ ସ୍ଥଳ । ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ।
ଓଡ଼ିଶାର କାଶ୍ମୀର ଭାବେ ବେଶ୍‌ ପରିଚିତ କନ୍ଧମାଳର ଦାରିଙ୍ଗିବାଡ଼ି । ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ଦାରିଙ୍ଗବାଡ଼ିକୁ କିନ୍ତୁ ଚଳିତବର୍ଷ ଏଭଳି କିଛି ଦେଖିବାକୁ ମିଳୁନାହିଁ । କାଁ ଭାଁ କିଛି ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି ହେଲେ ପର୍ଯ୍ୟଟନ ସ୍ଥଳ ବନ୍ଦ ଥିବାରୁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବର୍ତ୍ତମାନ ସମୟରେ ସରକାରୀ ଅନୁମୋଦନ ପାଇ କଟକଣା ଭିତରେ ଚଳଚଞ୍ଚଳ ହେବାବେଳେ କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ କାହିଁକି ଖୋଲୁନାହି ସେନେଇ ଏବେ ସମସ୍ତେ ଚିନ୍ତିତ । ପର୍ଯ୍ୟଟକ ଆଶାନେଇ ଦୂରଦୂରାନ୍ତରୁ କନ୍ଧମାଳ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବାକୁ ଆସୁଛନ୍ତି କିନ୍ତୁ, ପ୍ରଶାସନିକ ଅବହେଳା ଯୋଗୁଁ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି । ଅନ୍ୟପଟେ ପର୍ଯ୍ୟଟକ ଆସୁନଥିବା ଯୋଗୁଁ ଛୋଟ ବଡ଼ ସମସ୍ତ ବ୍ୟବସାୟୀଙ୍କ ବ୍ୟବସାୟ ମାନ୍ଦା ଥିବାବେଳେ ହୋଟେଲ୍‌ ବ୍ୟବସାୟ ମଧ୍ୟ ଠପ୍‌ ହୋଇପଡ଼ିଥିବା କହିଛନ୍ତି ହୋଟେଲ୍‌ ମାଲିକ ସଂଘର ସଭାପତି ଲଡ଼ୁ କିଶୋର ସାହୁ । ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଜିଲ୍ଲାର ସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ୍‌ ରହିଛି । ଆଗାମୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ୍‌ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଗଲେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଖୋଲିବାସହ ପର୍ଯ୍ୟଟନ ସ୍ଥଳ ଗୁଡ଼ିକରେ ପର୍ଯ୍ୟଟକମାନଙ୍କ ଆଗମନ ହୁଅନ୍ତା ଏବଂ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

five + 9 =