ଗୁଣିଗାରେଡି ସନ୍ଦେହରେ ଘର ଭାଙ୍ଗିଦେବା ଅଭିଯୋଗ

0 95

ବାଲିଗୁଡ଼ା,୩୧/୩: ଆଧୁନିକ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ନିଜର ମଣିଷ ପଣିଆ ହରେଇ ବସୁଛି । ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଗୁଣି, ଗାରେଡ଼ି, ଭୂତ ପ୍ରେତ, କାଳେଶୀ ଆଦିର ପ୍ରହେଳିକା ଦେଖେଇ ଲୋକଙ୍କୁ ଭୁଆଁ ବୁଲେଇବା ସହ ଶତ୍ରୁକୁ ମାତ୍‌ ଦେବାକୁ ଷଡ଼ଯନ୍ତ୍ର ରଚୁଛନ୍ତି । ହେଲେ ନିରୀହ ମଣିଷ ସବୁ କିଛି ଭୁଲି ସେହି ଅନ୍ଧ ବିଶ୍ୱାସକୁ ଆପଣେଇ ନେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରୁତୁଙ୍ଗିଆ ଗ୍ରାମ ପଂଚାୟତର ଡିଙ୍ଗେଲକିଆ ଗାଁ ରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ଝଗଡ଼ା ଏବଂ ପରେ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ପୁଣି ଆଉଜଣକ ଘର ଭାଙ୍ଗିଲେ ୨୦ରୁ ଉର୍ଦ୍ଧ୍ୱ ଲୋକ । ଏଭଳି ଘଟଣା ଘଟିଛି ବାଲିଗୁଡ଼ା ଥାନା ଡିଙ୍ଗେଲକିଆ ଗାଁର ଅନାଦି ମଲ୍ଲିକଙ୍କ ପରିବାର ସହ । ପୀଡ଼ିତ ପରିବାରଙ୍କ ପକ୍ଷରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗପରେ ୧୦ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ୍‌ । ସୂଚନା ପ୍ରକାରେ ଗତ ୧୩ ତାରିଖରେ ଡିଙ୍ଗେଲକିଆ ଗ୍ରାମର ବୁଦାରା ପ୍ରଧାନଙ୍କ ସହ ଠିକ୍‌ ଏଭଳି ଘଟଣା ଘଟିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମର କିଛି ଲୋକ ବୁଦାରା ପ୍ରଧାନ,ଅନାଦି ମଲ୍ଲିିକ ଓ ତାଙ୍କ ସମ୍ପର୍କୀୟଙ୍କୁ ଗାଁ ରୁ ତଡ଼ିବାକୁ ଏକ ଷଡ଼ଯନ୍ତ୍ର ରଚିଥିଲେ । ସେହି ଗାଁ ର ଜଣେ ଯୁବତୀଙ୍କୁ କାଳେଶୀ ସଜାଇ ତା ଦେହରେ ଶିବ ଠାକୁର ଉଭା ହେଉଛନ୍ତି କହି ପ୍ରଥମେ ବୁଦାରାଙ୍କୁ ଗୁଣିଆର ଆଖ୍ୟା ଦେବାସହ ବୁଦାରାଙ୍କ ଘରେ ଭାଙ୍ଗି ଦେଇଥିଲେ ଏବଂ ଗତ ୨୮ ତାରିଖ ରାତିରେ ପୁଣି ସମାନ ଢଙ୍ଗରେ ନାଟକ କରି ଅନାଦି ମଲ୍ଲିିକଙ୍କ ଘର ଭାଙ୍ଗିଦେଇଥିଲେ । ଏନେଇ ବାଲିଗୁଡ଼ା ଥାନାରେ ମାମଲା ରୁଜୁ ହୋଇଛି । ବୁଦାରା ପ୍ରଧାନଙ୍କ ଘର ଭାଙ୍ଗିବା ଘଟଣାକୁ ପୋଲିସ୍‌ ଗୁରୁତର ସହ ନେଇ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଥିବାବେଳେ ପୁଣି ସମାନ ଘଟଣା ସେହି ଗାଁ ରେ ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଁଚି ଲୋକଙ୍କୁ ବୁଝାଇବା ବେଳେ ଉତ୍ତ୍ୟକ୍ତଲୋକେ ପୋଲିସକୁ ଧମକ ଦେବାକୁ ମଧ୍ୟ ପଛେଇ ନଥିଲେ । ପରେ ଗାଁର ଉଭୟ ପକ୍ଷରୁ ପାଖାପାଖି ୪୦ଲୋକଙ୍କୁ ଡାକି ଥାନାରେ ବୁଝାଶୁଝା କରିବା ସହ ଅନ୍ଧ ବିଶ୍ୱାସରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ । ଆଲୋଚନା ପରେ କିଛି ଯୁବ ଗୋଷ୍ଠୀ ଜାଣିଶୁଣି ଅନ୍ଧ ବିଶ୍ୱାସକୁ ପ୍ରବର୍ତ୍ତାଇବା ସହ କିଛି ଅସାମାଜିକ ଲୋକେ ନିଜର ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ଏଭଳି ପ୍ରୟାସ କରୁଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ୍‌ । ଏହାପରେ ନିଜକୁ ଶିବ ବୋଲି କହି ମିଛ ନାଟକ କରୁଥିବା ଯୁବତୀଙ୍କ ସମେତ ୧୦ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ୍‌ ।

hiranchal ad1
Leave A Reply

Your email address will not be published.

thirteen + 20 =