ବୁଡାଗୁଡ଼ା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ
:ଅଭିଯୋଗର ୪ଦିନ ମଧ୍ୟରେ ୪ ଅଭିଯୁକ୍ତ ଗିରଫ

0 288

ବାଲିଗୁଡ଼ା,୨୭/୫: ମାର୍ଚ୍ଚ ମାସରେ ହତ୍ୟା, ମେ ମାସରେ ଅଭିଯୋଗ । ତଥାପି ଅଭିଯୋଗର ୪ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ବାଲିଗୁଡ଼ା ପୋଲିସ୍‌ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍‌ ପକ୍ଷରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣା ପ୍ରକାରେ ଚଳିତବର୍ଷ ଗତ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡାଗୁଡ଼ା ଅଞ୍ଚଳରେ କେଡୁ ଯାତ୍ରା (ପୋଢ଼ ଯାତ୍ରା) ଚାଲିଥିଲା । ବୁଡାଗୁଡ଼ା ପଞ୍ଚାୟତର ଡେମିଙ୍ଗିଆ ଗ୍ରାମ ନିକଟସ୍ଥ ଗେରେଙ୍ଗାକିଆ ଗ୍ରାମର ପାଉଲ ପ୍ରଧାନଙ୍କୁ ଘରୁ ଡ଼ାକିନେଇ ୪ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ୧୪ ତାରିଖରେ କେଡୁ ଯାତ୍ରା ଦିନ ସନ୍ଧ୍ୟା ସମୟରେ ପୋଢ଼ ମାଂସ ଖାଇବାକୁ ଗ୍ରାମର ଚାରିଭାଇ ପାଉଲକୁ ଘରୁ ଡାକି ନେଇଥିଲେ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୋଜନା ମୁତାବକ ୫୮ ବର୍ଷୀୟ ପାଉଲଙ୍କୁ ଗାଁ ସ୍କୁଲ ନିକଟସ୍ଥ ଏକ ପୋଲ ନିକଟରେ ହତ୍ୟା କରି ପୋଲ ତଳେ ପାଣି ଜମିଥିବା ଏକ ଖାଲରେ ପକାଇଦେଇ ଚାଲିଯାଇଥିଲେ ହତ୍ୟାକାରୀ । ମାର୍ଚ୍ଚ ୧୪ ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ୧୬ ତାରିଖରେ ପୋଲ ନିକଟସ୍ଥ ପାଣିଥିବା ସେହି ଖାଲରେ ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏହା ପରେ ପରିବାର ସମେତ ଗ୍ରାମବାସୀ ଘଟଣାସ୍ଥଳରେ ପହଁଚିଥିଲେ । ପାଉଲଙ୍କ ପରିବାର ଖ୍ରୀଷ୍ଟିୟ ଧର୍ମର ହୋଇଥିବାରୁ ସେଠାରୁ ଶବ ଉଦ୍ଧାର ପରେ ପାଉଲଙ୍କ ମର ଶରୀରକୁ ସମ୍ପର୍କୀୟ ଲୋକଙ୍କ ସହଯୋଗରେ ସମାଧି ଦିଆଯାଇଥିଲା । କିନ୍ତୁ ପାଉଲଙ୍କ ସ୍ତ୍ରୀ ଶ୍ରୀକଲା ପ୍ରଥମରୁ ହିଁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିଲେ । ପରେ ନିଜର ଏକମାତ୍ର ପୁଅ ସଞ୍ଜିରାମ ପ୍ରଧାନ କେରଳରେ କାମ କରୁଥିବା ବେଳେ ମା ଶ୍ରୀକଲା ଫୋନ୍‌ ଯୋଗେ ପୁଅକୁ ସମସ୍ତ ବିଷୟ ଜଣାଇଥିଲେ । ପୁଅ ଗାଁ କୁ ଫେରିବା ପରେ ଗାଁ ରେ ଏନେଇ ଆଲୋଚନା ହୋଇଥିଲା କିନ୍ତୁ କୌଣସିି ସମାଧାନ ହୋଇପାରିନଥିଲା । ପରେ ପୁଅ ସଞ୍ଜିରାମ ଏନେଇ ବାଲିଗୁଡ଼ା ଥାନାରେ ଚଳିତ ମାସ ୨୨ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ଜାଣି ହତ୍ୟାକାରୀ ଗୋଷ୍ଠୀ ମୃତକଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ ଆଶୁତୋଷ ପାଇକରାୟ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ସହ ଆନୁସଙ୍ଗିକ ଅଭିଯୋଗରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୦୨,୨୦୧,୩୪ ଅନୁଯାୟୀ ବାଲିଗୁଡ଼ା ଥାନା କେସ୍‌ ନଂ ୧୩୪/୨୦୨୩ରେ ଏକ ମାମଲା ରୁଜୁ କରିବା ସହ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ଯୋରଦାର ପ୍ରଚେଷ୍ଟା ଆରମ୍ଭ କରିଥିଲା ବାଲିଗୁଡ଼ା ପୋଲିସ୍‌ । ଗିରଫ ଅଭିଯୁକ୍ତମାନେ ଚାରିଭାଇ ପୂନ ପ୍ରଧାନ, ଟୁଣିଆ ପ୍ରଧାନ, ଡୁଣି ପ୍ରଧାନ ଓ ବିନ୍ଦୁ ପ୍ରଧାନ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିନ୍ଦୁ ହୋଇଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ହତ୍ୟାକୁ ଆକସ୍ମିକ ମୃତ୍ୟୁର ରୂପ ଦେବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ । କିନ୍ତୁ ହତ୍ୟାକାରୀଙ୍କ ସମସ୍ତ ଯୋଜନା ବିଫଳ ହୋଇଥିବା ଜଣାପଡ଼ିଛି । ଧର୍ମାନ୍ତରୀକରଣକୁ ନେଇ ଗାଁ ରେ ପୂର୍ବରୁ କିଛି ବିବାଦ ଥିବାବେଳେ ଜମିବାଡ଼ି ଓ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି । ଅନ୍ୟପଟେ ପୂର୍ବରୁ ବୁଡାଗୁଡ଼ାରେ ଏକ ପୋଲିସ୍‌ ଫାଣ୍ଡି ଥିଲା ପରବର୍ତ୍ତୀ ସମୟରେ ବନ୍ଦ ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେଠାରେ ନୁତନ ଗୃହ ନିର୍ମାଣ ହେଲା ସତ, କିନ୍ତୁ ଏଯାବତ୍‌ ନା ଫାଣ୍ଡି ଖୋଲୁଛି ନା କର୍ମଚାରୀ ନିୟୋଜିତ ହେଉଛନ୍ତି । ଫଳରେ ଅଞ୍ଚଳରେ ଥିବା ଅସାମାଜିକ ଲୋକମାନଙ୍କର ପ୍ରାଦୁର୍ଭାବ ବଢ଼ି ଚାଲିଛି । ଏଣୁ ବର୍ତ୍ତମାନ ସମୟରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସତର୍କ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଓ ସରକାରଙ୍କ ଯୋଜନାକୁ ସଫଳ କରାଇବାରେ ଗୁରୁତ୍ୱ ଭୁମିକା ବହନ କରିବା ଆବଶ୍ୟକ । ନଚେତ ଅଞ୍ଚଳବାସୀ ବାରମ୍ବାର ଏଭଳି ସମସ୍ୟାର ସମ୍ମୁଖୀନ ହେବେ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 + 18 =