ବିଧାୟକଙ୍କ ଗାଡିକୁ ଆକ୍ରମଣ ପ୍ରତିବାଦରେ ରାସ୍ତାରୋକ

0 105

ବଲାଙ୍ଗୀର: ଲୋଇସିଂହା ଠାରେ ଭାଜପା ପକ୍ଷରୁ ବିଧାୟକଙ୍କ ଗାଡିକୁ ଆକ୍ରମଣ ପ୍ରତିବାଦରେ ୨ଘଣ୍ଟିଆ ରାସ୍ତାରୋକ କରାଯାଇଛି । ଜିଲ୍ଲା ପରିଷଦ ସଦସ୍ୟ ଶିବଦତ୍ତ ମିଶ୍ରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ରାସ୍ତା ଉପରେ ବସିଥିଲେ । ବଲାଙ୍ଗୀର ସମ୍ବଲପୁର ଏନଏଚ୍‌ରେ ଗମନାଗମନ ଦୁଇଘଣ୍ଟା ବାଧାପ୍ରାପ୍ତ ହୋଇଛି । ଗତକାଲି ବୁର୍ଡା ନିକଟରେ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଆକ୍ରମଣ ହୋଇଥିଲା । ଡ୍ରାଇଭର ଦେବରାଜ ନାଗ ଓ ପିଏସ୍‌ଓ ଶଙ୍କର ବରିହା ମାରଣାନ୍ତକ ଆକ୍ରମଣ ଶିକାର ହୋଇଥିଲେ । ଲୋଇସିଂହା ଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଡ୍ରାଇଭରଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ସମୟରେ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ପିଏସ୍‌ଓ ଓ ଡ୍ରାଇଭରଙ୍କ ପ୍ରତିରୋଧ ତଥା ପୋଲିସ ପହଞ୍ଚିବା ଦେଖି ଆକ୍ରମଣକାରୀ ୨ଯୁବକ ଫେରାଇ ହୋଇଥିଲେ । ଦିନ ଦ୍ୱିପ୍ରହରରେ ବିଧାୟକଙ୍କୁ ଆକ୍ରମଣ ରାଜ୍ୟର ଆଇନଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ରାଜ୍ୟ ଭାଜପା ସଭାପତି ଟୁଇଟ୍‌ କରି ଘଟଣାକୁ ନିନ୍ଦା କରିଛନ୍ତି । ପୋଲିସ୍‌ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆକ୍ରମଣକାରୀ ଦୁଇ ଯୁବକ ବିକି ଛତ୍ରିଆ ଓ ଶ୍ରୀକାନ୍ତ ତାଣ୍ଡିକୁ ଲୋଇସିଂହା ସାଗର ହିଡରୁ ଗତକାଲି ଧରାଯାଇଛି । ମାଗିନେଇ ବ୍ୟବହାର କରିଥିବା ବାଇକ ମାଲିକକୁ ମଧ୍ୟ ପଚରାଉଚରା କରାଯାଇଛି । ଆକ୍ରମଣ ପଛ କାହାଣି ଜାଣିବା ପାଇଁ ତଦନ୍ତ କରାଯାଉଛି ବୋଲି ଲୋଇସିଂହା ଆଇଆଇସି ସଂଗ୍ରାମ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଗତକାଲି ଏସ୍‌ ଡିପିଓ ତୁଫାନ ବାଗ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଧ୍ୟ ପହଞ୍ଚି ଥିଲେ । ରାସ୍ତାରୋକ ବେଳେ ଭାଜପା କର୍ମକର୍ତ୍ତା ରାଜ୍ୟରେ ଆଇନଶୃଙ୍ଖଳା ଭୁଷୁଡି ପଡିଛି । ଏ ଆକ୍ରମଣ ନମୁନା । ସରକାରଙ୍କ ମଦନୀତି ଯୋଗୁଁ ବଢୁଛି ହତ୍ୟା ଲୁଣ୍ଠନ ଧର୍ଷଣ । ବେରୋଜଗାର ହେତୁ ହତାଶ ଯୁବଗୋଷ୍ଠୀ ନିଶାଗ୍ରସ୍ତ ହେବା ସହ ଡନଗିରି କରୁଛନ୍ତି । ଏଭଳି ଅବସ୍ଥାରେ ସାଧାରଣ ଲୋକେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜନୈତିକ ଷଡଯନ୍ତ୍ର ଏଡ଼ାଯାଇ ନ ପାରେ । ଏଣୁ ଆକ୍ରମଣ ପଛ କାହାଣି ଯାଏ ପହଞ୍ଚିବା ଆବଶ୍ୟକ । ସେହିପରି ଜନ ସାଧାରଣଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଦରକାର । ବିଭିନ୍ନ ରାସ୍ତାରେ ଅନେକ ସମୟରେ ଛୋଟମୋଟ ଲୁଟପାଟ ବଢୁଛି । ଅବାଧ ନିଶା କାରବାର ନିଆଁକୁ ଘିଅ । ଏଣୁ ସରକାର ଜନସାଧାରଣଙ୍କ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱଦେବା ସହ ରାଜନୈତିକ ଆକ୍ରୋଶ ଜନିତ ହିଂସା ରୋକିବା ପାଇଁ ଯତ୍ନଶୀଳ ହେବାକୁ ଦାବୀ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 3 =