ବୌଦ୍ଧର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ପାଣିଗ୍ରାହୀଙ୍କ ପରଲୋକ

0 49

ବୌଦ୍ଧ,୩୦/୫:- ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ପାଣିଗ୍ରାହୀଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହେଉଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ବଗିଚାସାହି ସ୍ଥିତ ନିଜ ବାସଭବନ ଠାରେ ଆଜି ଅପରାହ୍ନ ସମୟରେ ସେ ଇହଧାମ ତ୍ୟାଗ କରିଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କ କର୍ମମୟ ଜୀବନ ବହୁ ସଂଘର୍ଷମୟ ଥିଲା । ସେ ନାଏକପଡା ଗ୍ରାମର ମୂଳ ନିବାସୀ ପିତା କେଶବ ଚନ୍ଦ୍ର ପାଣିଗ୍ରାହୀ ଓ ମାତା ସୁନୀତି ଦେବୀଙ୍କ ଔରସରୁ ୧୯୩୧ ମସିହା ଫଗୁଣ ପୂର୍ଣ୍ଣମୀରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବୌଦ୍ଧରୁ ୧୯୮୬ ମସିହାରେ ଓଡିଆ ପାକ୍ଷିକ ସମ୍ବାଦପତ୍ର ‘ମର୍ମ’ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା । ସେହିପରି ୧୯୯୨ ମସିହା ଏନଏସି ନିର୍ବାଚନରେ ସେ ବୌଦ୍ଧ ଏନଏସି ଚେୟାରମେନ ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଧନୁଶର ଚିହ୍ନରେ ପ୍ରତିଦ୍ୱନ୍ଦିତା କରିଥିଲେ । ଦୈ÷ନିିକ ସମ୍ବାଦପତ୍ର ପ୍ରଜାତନ୍ତ୍ରର ବୌଦ୍ଧର ସ୍ୱତନ୍ତ୍ର ପ୍ରତିନିଧି ଭାବେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିଥିଲେ । ଡ. ହରେକୃଷ୍ଣ ମହତାବ ଓ ନନ୍ଦିନୀ ଶତପଥିଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ତାଙ୍କର ଘନିଷ୍ଠତା ଥିଲା । କେବଳ ସାମ୍ବାଦିକତା ି ନୁହେଁ ସାହିତ୍ୟ ରଚନା କ୍ଷେତ୍ରରେ ମଧ୍ୟ ତାଙ୍କ ସାଧନା ରହିଥିଲା । ସେ ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ପ୍ରତିଷ୍ଠାତା ସଭାପତି ଥିଲେ ଓ ତାଙ୍କରି ଉଦ୍ୟମରେ ୨୦୦୨ ମସିହାରେ ବୌଦ୍ଧ ଟାଉନ୍‌ହଲ୍‌ ଠାରେ ପ୍ରଥମ ବୌଦ୍ଧ ପୁସ୍ତକ ମେଳା ଆୟୋଜନ ହୋଇଥିଲା । ତାଙ୍କ ଲିଖିତ ପୁସ୍ତକ ‘କିଛି ଭାଷା କିଛି ଭାବ’, ‘କିଛି ଚିତ୍ର କିଛି ଚରିତ୍ର’, ‘କିଛି ସ୍ମୃତି କିଛି ଅନୁଭୁତି’ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଥିଲା । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲେ । ଅନେକ ବର୍ଷ ଧରି ବୌଦ୍ଧ ବଣିକ ସଂଘର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଆଜି ତାଙ୍କରି ବିୟୋଗରେ ବୌଦ୍ଧ ସହର ତଥା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ହୀରାଞ୍ଚଳର ସଂପାଦକ ଯୁଗଳ କିଶୋର ସାମଲ ତାଙ୍କର ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 3 =