ଦ୍ୱନ୍ଦ ଓ ଆଶଙ୍କା ଭିତରେ ଉଦଯାପିତ ହେଲା ଦଣ୍ଡଯାତ୍ରା ଓ ମେରୁ

0 1,036

ବୌଦ୍ଧ,୧୫/୪- କୋଭିଡ ପାଇଁ ଦଣ୍ଡଯାତ୍ରା ଆୟୋଜନ ଉପରେ ଜିଲ୍ଲା ପ୍ରଶାସନର କଟକଣା ସତ୍ତେ୍ୱ ବୌଦ୍ଧଜିଲ୍ଲାର ସମସ୍ତ ଶୈବପୀଠ ମାନଙ୍କରୁ ଦଣ୍ଡ ଉଠିବାସହ ମହାସମାରୋହରେ ମେରୁଯାତ୍ରା ମଧ୍ୟ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା । ଗାଆଁକୁ ଗାଆଁ ଦଣ୍ଡ ବୁଲାଇବା, ସାଂସ୍କୃତିକ କାର୍ଯ୍ୟକ୍ରମ କରିବା, ପୂଜାବେଳେ ୧୦ ଜଣରୁ ଅଧିକ ଲୋକଙ୍କ ସମାଗମ ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଇଥିବାବେଳେ ଦଣ୍ଡଯାତ୍ରା ଆୟୋଜକ ଓ ଦଣ୍ଡୁଆମାନେ ସେହି ଆଦେଶକୁ ଫୁ’ କରି ଉଡାଇ ଦେଇଥିଲେ । ବୌଦ୍ଧ ଜିଲ୍ଲାରେ କରୋନା ସ୍ଥିତି ସେତେ ଗମ୍ଭୀର ନଥିବାରୁ ଅଳ୍ପଲୋକରେ କୋଭିଡ୍‌ ଗାଇଡ ଲାଇନ ଆଧାରରେ ଦଣ୍ଡନୃତ୍ୟକୁ ଅନୁମତି ଦେବାକୁ ଜନସାଧାରଣରେ ଦାବି ମଧ୍ୟ ହୋଇଥିଲା । ବିଭିନ୍ନ ଅନୁଷ୍ଠାନ ଓ ଦଣ୍ଡୁଆମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଏକାଧିକ ଥର ଅନୁରୋଧ କରିବା ପରେ ମଧ୍ୟ କୌଣସି ଫଳ ମିଳିନଥିବା ଦେଖିବାକୁ ମିଳିଥିଲା । ପ୍ରଶାସନର ନିରବତାକୁ ନେଇ ଦ୍ୱନ୍ଦ ଓ ଆଶଙ୍କା ମଧ୍ୟରେ ଆୟୋଜକ ଓ ଦଣ୍ଡୁଆମାନେ ରହିଥିବାବେଳେ ପ୍ରଶାସନର କଟକଣାକୁ ଭୃକ୍ଷେପ ନକରି ପ୍ରଥମେ ବୌଦ୍ଧ ବ୍ଲକର କିଛି ଶୈବ ପୀଠରୁ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ କରାଗଲା । ଜିଲ୍ଲାପାଳଙ୍କ ଆଦେଶ କାର୍ଯ୍ୟକାରୀ ପାଇଁ ତହସିଲଦାର୍‌ ଓ ଥାନା ଅଧିକାରୀମାନେ କ୍ଷମତାପ୍ରାପ୍ତ ହୋଇଥିଲେ ମଧ୍ୟ ସେମାନେ ମଧ୍ୟ ଚୁପ୍‌ ବସି ରହିଥିଲେ । ଆସ୍ତେ ଆସ୍ତେ ଜିଲ୍ଲାର ବିଭିନ୍ନ ଶୈବ ପୀଠ ମାନଙ୍କରୁ ଗୋଟିଏ ପରେ ଗୋଟିଏ ହୋଇ ୭୦ ରୁ ଅଧିକ ଦଣ୍ଡନୃତ୍ୟ ଦଳ ଗ୍ରାମକୁ ଗ୍ରାମ ବୁଲି ଦଣ୍ଡଯାତ୍ରା ଆରମ୍ଭ କଲେ । ପରଂପରା ଅନୁସାରେ ଦିନବେଳେ ପାଣିଦଣ୍ଡ ଓ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେଲା । ପ୍ରଶାସନ କାହାକୁ ତାଗିଦ ମଧ୍ୟ କଲାନାହିଁ ଫଳରେ ଶହଶହ ଲୋକଙ୍କ ସମାଗମରେ ମାଇକ ଲଗାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେଲା । ତଥାପି ଦଣ୍ଡୁଆ ଓ ଆୟୋଜକମାନେ ମେରୁ ଯାତ୍ରା କିଭଳି ହେବ ସଂଶୟରେ ଥିଲେ । କାରଣ ମେରୁ ଯାତ୍ରାରେ ବିଭିନ୍ନ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ । ଏହା ଉପରେ ଜିଲ୍ଲାପାଳ କିମ୍ବା ପୋଲିସ ଭିଡକୁ ରୋକିବାପାଇଁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଉଥିଲା ମାତ୍ର ସବୁ ଫୁସ୍‌ । ବିନା ମାସ୍କ ଓ ବିନା ସାମାଜିକ ଦୂରତା ରଖି ହଜାର ହଜାର ଲୋକଙ୍କ ସମାଗମରେ ମେରୁଯାତ୍ରା ସଂପନ୍ନ ସିନା ହେଲା କିନ୍ତୁ ପ୍ରଶାସନ ନିରବଦ୍ରଷ୍ଟା ରହିଗଲା ।
ବର୍ତ୍ତମାନ ପୁଣି ଜିଲ୍ଲାରେ ଆରମ୍ଭ ହେବ ଶ୍ରୀରାମନବମୀ ଯାତ୍ରା । ରାମନବମୀ ସ୍ଥଳ ବିଶେଷରେ ସାତ ଦିନ ଠାରୁ ଆରମ୍ଭ କରି ଏକ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଗ୍ରାମରେ ଯାତ୍ରା ହେବ । ଶ୍ରୀରାମ ଲୀଳା ଦେଖିବା ପାଇଁ ଶହ ଶହ ଲୋକଙ୍କ ସମାଗମ ହେବ । ତାହା ଉପରେ ଜିଲ୍ଲା ପ୍ରଶାସନର କି ଆଭିମୁଖ୍ୟ ରହୁଛି ତାକୁ ବୁଦ୍ଧିଜୀବୀ ମହଲ ଅପେକ୍ଷା କରି ରହିଛନ୍ତି । ଶ୍ରୀରାମ ନବମୀ ଯାତ୍ରା ଉପରେ ଜିଲ୍ଲା ପ୍ରଶାସନ କି ନିଷ୍ପତି ନେଉଛି ବିଭିନ୍ନ ରାମ ମନ୍ଦିରର କମିଟି, ଶ୍ରଦ୍ଧାଳୁ, କଳାକାର ମଧ୍ୟ ଅପେକ୍ଷା କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

six + 3 =