ବୌଦ୍ଧରେ ୩ ଲକ୍ଷ ଛୁଇଁଲା କୋଭିଡ୍‌ ପ୍ରଥମଡୋଜ୍‌ ଟିକା

0 57

ବୌଦ୍ଧ,୧୮/୧- କୋଭିଡ୍‌ ଟିକାକରଣରେ ବୌଦ୍ଧଜିଲ୍ଲାର ୧୮ରୁ ଉର୍ଦ୍ଧ୍ୱ ବୟସ ବର୍ଗର ପ୍ରଥମ ଡୋଜ୍‌ ଅଙ୍କ ଆଜି ତିନିଲକ୍ଷ ଛୁଇଁଛି । ଗତବର୍ଷ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଜାତୀୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ନିମନ୍ତେ ୧୮ରୁ ଉର୍ଦ୍ଧ୍ୱ ଟିକାକରଣ ପାଇଁ ୩୨୮୮୧୦ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଆଜି ସୁଦ୍ଧା ସମଗ୍ର ଜିଲ୍ଲାର ୩୦୦୦୨୦ ଜଣକୁ ପ୍ରଥମ ଡୋଜ୍‌ କୋଭିସିଲ୍ଡ୍‌ ଟିକା ଦିଆସରିଛି ଯାହା ମୂଳ ଲକ୍ଷ୍ୟର ୯୧.୨ ପ୍ରତିଶତ ଅଟେ । ଜିଲ୍ଲାରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବର୍ଗରେ ୯୨.୨, ୪୫ ବର୍ଷରୁ ଉର୍ଦ୍ଧ୍ୱ ବର୍ଗରେ ୯୦.୩ ଓ ୧୮ ବର୍ଷରୁ ଉର୍ଦ୍ଧ୍ୱ ବର୍ଗରେ ୮୮ ପ୍ରତିଶତ ବ୍ୟକ୍ତି କୋଭିସିଲ୍ଡ ଟିକାର ପ୍ରଥମ ମାତ୍ରା ନେଇ ସାରିଛନ୍ତି । ସମୁଦାୟ ୭୫.୭ ପ୍ରତିଶତ ବ୍ୟକ୍ତି ଦ୍ୱିତୀୟ ମାତ୍ରା କୋଭିସିଲ୍ଡ ଟିକା ନେଇ ସାରିଛନ୍ତି । ସେହିଭଳି ଚଳିତ ଜାନୁଆରୀ ୩ ତାରିଖରୁ ଏ ପର୍ଯ୍ୟନ୍ତ ଜିଲ୍ଲାରେ ୪୬.୮ ପ୍ରତିଶତ ୧୫ ରୁ ୧୮ ବର୍ଷ ବୟସ୍କ କିଶୋରଙ୍କୁ କୋଭାକ୍ସିନ୍‌ ଟିକା ପ୍ରଦାନ କରାଯାଇଛି । କୋଭିଡ୍‌ ଦ୍ୱିତୀୟମାତ୍ରା ଟିକାର ନଅ ମାସ ପୂର୍ଣ୍ଣ ହୋଇସାରିଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ କୋଭିଡ୍‌ ଯୋଦ୍ଧା ତଥା ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଚଳିତ ଜାନୁଆରୀ ୧୦ ତାରିଖ ଠାରୁ କୋଭିଡ୍‌ ପ୍ରିକସନ୍‌ ଡୋଜ୍‌ ଟିକା ଦିଆ ଯାଉଛି । ଜିଲ୍ଲାର ୨୪ଟି ସ୍ଥାୟୀ କୋଭିଡ୍‌ ଟିକାକରଣ କେନ୍ଦ୍ର ସମେତ ଗ୍ରାମାଂଚଳରେ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ଘରକୁ ଘର ବୁଲି ଟିକା ନନେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କୋଭିଡ୍‌ ଟିକା ପ୍ରଦାନ କରାଯାଉଛି । ଟିକାକରଣକୁ ଆହୁରି ବ୍ୟାପକ ଓ ସଂପୂର୍ଣ୍ଣ କରିବା ପାଇଁ ୱାସିଡିଏ ତଥା ପ୍ଲାନ୍‌ ଇଣ୍ଡିଆ ଭଳି ସ୍ୱେଚ୍ଛାସେବୀ ସଂସ୍ଥା ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଚଳିତ ଜାନୁଆରୀ ଶେଷସୁଦ୍ଧା ଜିଲ୍ଲାର ବାକିଥିବା ସମସ୍ତ ହିତାଧିକାରୀଙ୍କୁ କୋଭିଡ୍‌ ଟିକା ଦେଇ ପ୍ରଥମ ଡୋଜ୍‌ ଟିକାକୁ ଶତପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

nineteen + 15 =