ମାଓବାଦୀ ପୋଲିସ ମଧ୍ୟରେ ଗୁଳି ବିନିମୟରେ ୨ ମାଓବାଦୀ ନିହତ:
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ

0 322

ବୌଦ୍ଧ,୨୫/୪:- ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପାଢେଲ ଡେମ୍‌ ନିକଟ ଜଙ୍ଗଲରେ ମାଓବାଦୀ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଆଜି ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏଥିସହିତ କିଛି ମାଓବାଦୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏନେଇ ଆଜି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ ପି ରାଜପ୍ରସାଦ ସୂଚନା ଦେଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଦୁଇ ହାର୍ଡକୋର୍‌ ମାଓବାଦୀ ସନ୍ତୁ ଏବଂ ସୁନିଲ ବୋଲି କହିଛନ୍ତି । ଏମାନେ ଉଭୟ କେକେବିଏନ ମାଓ ସଂଗଠନର ୮ ମ କମ୍ପାନୀର ସଦସ୍ୟ ହୋଇଥିବାବେଳେ ସୁନିଲ ଛତିଶଗଡ ସୁକୁମା ଜିଲ୍ଲାର ଏବଂ ସନ୍ତୁ ଛତିଶଗଡ ବିଜାପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ତେବେ ସେହି ଜଙ୍ଗଲ ଏବଂ ନିକଟର୍ତ୍ତୀ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଦ୍ୱାରା କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଥିବା ବେଳେ ଉକ୍ତ ସ୍ଥାନରେ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସେଠାରୁ ଗୋଟିଏ ମାଓ କ୍ୟାମ୍ପ ମଧ୍ୟ ଠାବ କରିବାରେ ସୁରକ୍ଷାକର୍ମୀମାନେ ସଫଳ ହୋଇଛନ୍ତି ଏବଂ ସେହି ମାଓ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ, ଗୋଳା ବାରୁଦ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ମାଓ କ୍ୟାମ୍ପରୁ ଗୋଟିଏ ରାଇଫଲ୍‌, ୧୭ ରାଉଣ୍ଡ ଗୁଳି, ୭ ରାଉଣ୍ଡ ଗ୍ରେନେଡ, ହାତ ବୋମା ୫ ଟି ଏବଂ ୬ ଟି ଆଇଇଡିଏସ ଲ୍ୟାଣ୍ଡମାଇନ ସହିତ ତାର ଓ ବହୁ ସାମଗ୍ରୀ ଜବତ ହୋଇଛି । ତେବେ ଗୁଳି ବିନିମୟ ପରେ ମାଓବାଦୀ ମାନେ ସେଠାରୁ ଛତ୍ରଭଙ୍ଗ ଦେଇ ଅନ୍ୟତ୍ର ଚାଲିଯାଇଥିବା ବେଳେ ଜଙ୍ଗଲରେ ଏବେ ମଧ୍ୟ ୨୦ ରୁ ୩୦ ମାଓବାଦୀ ରହିଥିବା ସୂଚନା ଦେଇଛନ୍ତି ବୌଦ୍ଧ ଏସପି ରାଜ ପ୍ରସାଦ ।

hiring

ସୂଚନା ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାମାଳ ଥାନା ଏବଂ ମନମୁଣ୍ଡା ଥାନା ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଏସଓଡଜି ଏବଂ ବିଏସଏଫ୍‌ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଥିଲା । ତେବେ ଏହି ସମୟରେ ଆଜି ସକାଳେ ସୁରକ୍ଷାକର୍ମୀ ମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ପାଇଥିଲେ । ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ବାରମ୍ବାର କହିଥିଲେ ମଧ୍ୟ ମାଓବାଦୀ ମାନେ ସୁରକ୍ଷାକର୍ମୀ ଙ୍କ ଉପରକୁ ଗୁଳି ଚାଳନା ଆରମ୍ଭ କରିଥିଲେ ଏବଂ ପ୍ରତି ବଦଳରେ ସୁରକ୍ଷାକର୍ମୀ ମାନେ ମଧ୍ୟ ଗୁଳି ଚାଳନା ଆରମ୍ଭ କରିଥିଲେ । ତେବେ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଗୁଳି ବିନିମୟ ହୋଇଥିବା ବେଳେ ଏହି ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଅନେକ ମାଓବାଦୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ତେବେ ମାଓବାଦୀ ମାନେ ସ୍ଥାନେ ସ୍ଥାନେ ଆଇଇଡି ଲ୍ୟାଣ୍ଡମାଇନ ଖଞ୍ଜି ଦେଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ମୃତଦେହ ଉଦ୍ଧାର କରିବା ସହିତ ଅନ୍ୟ ସାମଗ୍ରୀ ସବୁ ଉଦ୍ଧାର କରିବାରେ ବାଧାପ୍ରାପ୍ତ ହେଉଥିବା ବେଳେ ଯଥାଶୀଘ୍ର ମୃତଦେହକୁ ଅଣାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି ରହିଛି ବୋଲି ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସପି ରାଜପ୍ରସାଦଙ୍କ ସହ କନ୍ଧମାଳ ଏସ୍‌ ପି ଶୁଭେନ୍ଦୁ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × two =