ମରିଯାଉଛି ମାନବିକତା, ସାମାଜିକ ବାସନ୍ଦ ମାମଲା ବଢୁଛି !

0 991

ବୌଦ୍ଧ,୨୬/୨- ଗତକାଲି କଣ୍ଟାମାଳ ବ୍ଲକ ଅଂଚଳରେ ଘଟିଥିବା ଦୁଇଟି ବାସନ୍ଦ ଘଟଣାର କରୁଣ ପରିଣତି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସାମାଜିକ ବାସନ୍ଦ ଯୋଗୁଁ କଣ୍ଟାମାଳ ବ୍ଲକ ଖମନମୁଣ୍ଡା ଗ୍ରାମ ପଞ୍ଚାୟତ ଗୁନୁଚିତୋରା ଗ୍ରାମର ପଦୁକେଶୀ ପୁଟା (୫୫)ଙ୍କ ଶବକୁ ଶ୍ମଶାନଯାଏଁ ନେବାକୁ ଚାରିକାନ୍ଧ ମିଳି ପାରିନଥିବା ଭଳି ଅଭାବନୀୟ ଘଟଣା ଘଟିଛି । ବାସନ୍ଦ ଯୋଗୁଁ ଜାତିଭାଇ କିମ୍ବା ଗ୍ରାମବାସୀ ସହଯୋଗ ନିମନ୍ତେ ଆସିନଥିଲେ । ମୃତକଙ୍କ ପୁଅ ପ୍ରସନ୍ନ ନିଜ ହାତରେ ବୋହି ମା’ ର ଶବକୁ ଶ୍ମଶାନ ଯାଏଁ ନେଇ ଦାହ କରିଥିବା ଜଣାପଡିଛି । ସେହିପରି କଣ୍ଟାମାଳ ବ୍ଲକ ଗୁଡଭେଲିପଦର୍‌ ଗ୍ରାମ ପଞ୍ଚାୟତ ଡଂଗାଝୋଲ ଗ୍ରାମର ଉମେଶ ମହାକୁଡଙ୍କ ଏକ ମାତ୍ର ଝିଅ ପ୍ରେମ କରି ଅନ୍ୟ ଜାତିରେ ବିବାହ କରିଥିଲା । ସେଥିପାଇଁ ତାଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ଯୋଗୁଁ ଗତକାଲି ଉମେଶଙ୍କ ମୃତ୍ୟୁରେ ଜାତି ଭାଇ କି ଗ୍ରାମବାସୀ ସହଯୋଗ କରିନଥିଲେ । ଉମେଶଙ୍କ ସ୍ତ୍ରୀ ଶବକୁ ଶ୍ମଶାନକୁ ନେବା ପାଇଁ ଯେତେ ନେହୁରା ହେଲେ ମଧ୍ୟ କାହାରି ମାନବିକତା ଉଦ୍ରେକ ହୋଇନଥିବା ବେଳେ ଝିଅ ଜ୍ୱାଇଁ ଆସି ଶବକୁ ନେଇ ବିଲ ହୁଡାରେ ପୋତି ଦେଇଥିଲେ ।
କେବଳ କଣ୍ଟାମାଳ ବ୍ଲକ ନୁହେଁ ଚଳିତ ମାସରେ ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତର ଏକ ଗ୍ରାମରେ ମଧ୍ୟ ଏ ଭଳି ଅଭାବନୀୟ ଘଟଣା ଘଟଣା ଘଟିଥିଲା । ଏ ୨/୩ ଟି ଘଟଣା କେବଳ ନୁହେଁ ପ୍ରତିଦିନ ବିଭିନ୍ନ ଗ୍ରାମରେ ଅନେକ ଘଟଣା ଘଟି ଚାଲିଛି । ଗାଆଁ କିମ୍ବା ଜାତିରୁ ବାସନ୍ଦ ହୋଇ ଅନେକ ପରିବାର ଜନ୍ମ, ବିବାହ, ମୃତ୍ୟୁ ଆଦି ସାମାଜିକ ବେଳେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳୁଛି । ବାସନ୍ଦ ଆଗରେ ବାଧ୍ୟ ହୋଇ ମୁଣ୍ଡ ନୂଆଇଁବାକୁ ପଡୁଛି କିମ୍ବା ଅର୍ଥ ଦଣ୍ଡ ଭୋଗ କରିବାକୁ ବାଧ୍ୟ ହେଉଛନ୍ତି । ଦୁଃଖର କଥା ଯେ ଗାଆଁ କିମ୍ବା ଜାତି ସମାଜର ଯେଉଁମାନେ ମୁଂଡିଆଳ ସାଜି କଙ୍ଗାରୁକୋର୍ଟ ପରିଚାଳନା କରୁଛନ୍ତି ସେଥି ମଧ୍ୟରେ ଅନେକ ଶିକ୍ଷିତ ଲୋକ ଅଛନ୍ତି ଓ ବିଭିନ୍ନ ସରକାରୀ ପଦପଦବୀରେ ମଧ୍ୟ ଅଧିଷ୍ଠିତ ଅଛନ୍ତି । ସେମାନଙ୍କ ମାନସିକତାରେ ଓ ସାମନ୍ତବାଦୀ ଚିନ୍ତାଧାରାରେ ପରିବର୍ତ୍ତନ ଆସି ପାରୁନାହିଁ । ସେଥିପାଇଁ ସଚେତନତାର ଯେତେ ଆବଶ୍ୟକତା ରହିଛି ସେହି ପରିମାଣରେ ପୋଲିସ୍‌ ଓ ପ୍ରଶାସନ ମଧ୍ୟ ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

13 + five =