ରବି ଧାନ କ୍ରୟରେ ବିଭ୍ରାଟ, ତଳିଆ ମୁଣ୍ଡରେ ଅଠା ବୋଳିବାକୁ ପ୍ରୟାସ

0 838

ବୌଦ୍ଧ,୩୦/୪ – ଜିଲ୍ଲାରେ ଖରିଫ ଧାନ କ୍ରୟ ସମୟରେ ଅନେକ ସମସ୍ୟା ଦେଖାଦେଇ ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହୋଇଥିବା ବେଳେ ବର୍ତ୍ତମାନ ରବିଧାନ କ୍ରୟରେ ମଧ୍ୟ ସେଭଳି ସମସ୍ୟା ସୃଷ୍ଟି ହେଲାଣି । ଧାନ ବିକ୍ରୟ ପଂଜିକରଣ କରି ମଧ୍ୟ ଅନେକ ଚାଷୀଙ୍କ ନିକଟକୁ ଟୋକନ ଆସିନଥିବା ଅଭିଯୋଗ ହୋଇଛି । ଅପ୍ରେଲ୍‌ ୧ ତାରିଖ ଠାରୁ ଜିଲ୍ଲାରେ ରବି ଧାନ ପାଇଁ ଚାଷୀ ପଂଜିକରଣ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ୍‌ ୭ ତାରିଖ ପର୍ଯ୍ୟନ୍ତ ପଂଜିକରଣ ପାଇଁ ଦିନ ଧାର୍ଯ୍ୟ ସରକାର କରିଥିବାବେଳେ ପରେ ତାହା ୧୦ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା । ଆବେଦନ ଗୁଡିକ ଡିଜିଟାଇଜେସନ ପାଇଁ ସମିତି ମାନଙ୍କୁ ୧୩ ଅପ୍ରେଲ୍‌ ପର୍ଯ୍ୟନ୍ତ ସମୟ ଦେଇଥିଲେ ସରକାର । ଚଳିତବର୍ଷ ଚାଷୀ ପଂଜିକରଣ ପାଇଁ ଦେଇଥିବା ଜମିରେ ପ୍ରକୃତରେ ଚାଷ ହୋଇଛି ନା ନାହିଁ ତାକୁ ଭେରିଫିକେସନ୍‌ ପାଇଁ କମିଟି ଗଠନ ହୋଇଥିଲା । କୃଷି ଗ୍ରାମ ସେବକ, ରାଜସ୍ୱ ନିରୀକ୍ଷକ ଓ ସମିତି ସମ୍ପାଦକ ଯୁଗ୍ମ ତଦନ୍ତ କଲାପରେ ପଂଜିକରଣ ହେଉଥିଲା ଫଳରେ ଏ ବ୍ୟବସ୍ଥା ବିଳମ୍ବିତ ହୋଇଥିଲା । ଯାହା ଫଳରେ ଜିଲ୍ଲାର ଶହ ଶହ ଚାଷୀ ଆବେଦନ କରିଥିବା ସତ୍ତେ୍ୱ ସମୟ ଅଭାବରୁ ତାଙ୍କ ପଂଜିକରଣ ହୋଇ ପାରିନଥିବା ଜଣାପଡିଛି । ସେହିପରି ଡିଜିଟାଇଜେସନ ପାଇଁ ଆବଶ୍ୟକ ଓ.ଟି.ପି. ନମ୍ବର୍‌ ଆସିନଥିବା ହେତୁ ୪ ଦିନ ଧରି ପଂଜିକରଣ କାର୍ଯ୍ୟକ୍ରମ ଜିଲ୍ଲାରେ ଠପ୍‌ ହୋଇ ଯାଇଥିଲା । ପଂଜିକରଣ ପାଇଁ ଥିବା ସାଇଟ୍‌କୁ ଯୋଗାଣ ବିଭାଗ ୧୩ ତାରିଖ ୫ ଘଣ୍ଟା ସମୟରେ ବନ୍ଦ କରିଦେବାରୁ ଅନେକ ଚାଷୀ ପଂଜିକରଣ ହେବାରୁ ବଞ୍ଚିତ ହୋଇଥିଲେ । ଆସନ୍ତାକାଲି ଠାରୁ ରବି ଧାନ କ୍ରୟ ପାଇଁ ସରକାର ଦିନ ଧାର୍ଯ୍ୟ କରିଥିବାବେଳେ ଅନେକ ଚାଷୀଙ୍କ ନିକଟକୁ ଟୋକେନ ଆସିପାରିନାହିଁ । ସେମାନେ ତାଙ୍କ ପଂଜିକରଣ ହୋଇ ପାରିନଥିବା ଆଶଂକା କରୁଛନ୍ତି । ଗତକାଲି ଏ ସମ୍ପର୍କରେ ରକସା ସେବା ସମବାୟ ସମିତି ଅଂଚଳର କିଛି ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଧାନ ପଂଜିକରଣ ବ୍ୟବସ୍ଥାରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଥିବାବେଳେ ଚାଷୀ ପଂଜିକରଣ ହୋଇପାରିନଥିବା ଅଭିଯୋଗ ଉପରେ ବର୍ତ୍ତମାନ ସମିତି ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ମାନଙ୍କ ମୁଣ୍ଡରେ ଅଠା ବୋଳିବାକୁ ବଡବଡିଆ ଅଧିକାରୀମାନେ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ରକସା ସମିତିର ଚାଷୀମାନଙ୍କ ଅଭିଯୋଗ ସମ୍ପର୍କରେ ସମିତି ସମ୍ପାଦକ ଦୟାନିଧି କର୍ଣ୍ଣଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ରକସା ସମିତିରେ ମୋଟ୍‌ ୩୧୧ ଜଣ ଚାଷୀ ପଂଜିକରଣ ପାଇଁ ଆବେଦନ କରିଥିଲେ । ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ତଦନ୍ତ କରି ୧୮୧ ଜଣ ଚାଷୀଙ୍କ ଡିଜିଟାଇଜେସନ କରାଯାଇଛି । ନେଟ ନ ଆସିବା, ଓ.ଟି.ପି. ଆସିବାରେ ବିଳମ୍ବ ଓ ସ୍ୱଳ୍ପ ସମୟ ମଧ୍ୟରେ ସବୁ ଆବେଦନକୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ଆଦି ସମ୍ଭବ ନହେବାରୁ ୧୩୦ ଜଣ ଚାଷୀଙ୍କ ପଂଜିକରଣ କରାଯାଇ ପାରିନାହିଁ । ଏ ସମ୍ପର୍କରେ ସେ ବିଭାଗୀୟ ଅଧିକାରୀ ଓ ସମିତି ପ୍ରଶାସକଙ୍କୁ ବହୁ ପୂର୍ବରୁ ଅବଗତ କରାଇଥିବା କହିଥିଲେ ।

hiranchal ad1
Leave A Reply

Your email address will not be published.

2 + 11 =