କଣ୍ଟାମାଳ ରାଜରାସ୍ତାରେ ଅଟକାଇ ୫୨ ହଜାର ଟଙ୍କା ଲୁଟ୍‌

0 1,648

ବୌଦ୍ଧ,୩୦/୧ – ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଲୁଟପାଟ ମାମଲା ବଢି ବଢି ଚାଲିଛି । ଗତକାଲି ଅପରାହ୍ନରେ କଣ୍ଟାମାଳ ଥାନା ତବଡା ଛକ ନିକଟରେ ଜଣେ ଶିକ୍ଷକଙ୍କ ଠାରୁ ରାସ୍ତାରେ ଅଟକାଇ ୫୨ ହଜାର ଟଙ୍କା ଦୁବୃର୍ତ୍ତମାନେ ଲୁଟି ନେଇଥିବା କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଥାନା ଆଶ୍ରେଗାଁର ଶିକ୍ଷକ ଗୋବର୍ଦ୍ଧନ ମଲ୍ଲିକ କଣ୍ଟାମାଳର ଏକ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଆସିଥିଲେ । ୫୨ ହଜାର ଟଙ୍କା ଉଠାଇ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ଏକ ପଲସର୍‌ ବାଇକ ଯୋଗେ ପିଛା କରି ଦୁଇ ଜଣ ଯୁବକ କଣ୍ଟାମାଳ – ଘଣ୍ଟାପଡା ରାସ୍ତାର ତବଡା ଛକ ନିକଟରେ ତାଙ୍କୁ ଅଟକାଇଥିଲେ । ତାଙ୍କୁ ଧମକ ଚମକ ଦେଇ ୫୨ ହଜାର ଟଙ୍କା, ମୋବାଇଲ, ଚେକ୍‌ ବୁକ୍‌ ଓ ତାଙ୍କ ବାଇକକୁ ନେଇ ଦୁବୃର୍ତ୍ତମାନେ ଚାଲି ଯାଇଥିଲେ । ଏ ସମ୍ପର୍କରେ ଶ୍ରୀ ମଲ୍ଲିକ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍‌ ମାମଲାର ତଦନ୍ତ କରୁଥିବା ପ୍ରକାଶ । କଣ୍ଟାମାଳ ଥାନା ଅଂଚଳରେ ପଲସର୍‌ରେ ଆସୁଥିବା ଲୁଟେରା ଗ୍ୟାଙ୍ଗ ମାତିଥିବାରୁ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଚଳିତ ସପ୍ତାହରେ କଣ୍ଟାମାଳ – ପଲସାଗୋରା ରାସ୍ତାର ବଡ଼ କୁଶଙ୍ଗ ନିକଟରେ ମଧ୍ୟ ଏକ ଦଂପତ୍ତିଙ୍କ ଠାରୁ ପଲସର୍‌ ଗ୍ୟାଙ୍ଗ ଲୁଟ୍‌ କରିଥିଲେ । ଚଳିତବର୍ଷ ଆରମ୍ଭରୁ ଜିଲ୍ଲାରେ ଏଭଳି ଏକାଧିକ ଅପରାଧ ଜିଲ୍ଲାର ମନମୁଣ୍ଡା, କଣ୍ଟାମାଳ, ବାଉଁଶୁଣୀ ଆଦି ଥାନା ଅଞ୍ଚଳରେ ଘଟି ଚାଲିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କୌଣସି ଗୋଟିଏ ମାମଲାରେ ମଧ୍ୟ ପୋଲିସ୍‌ ଅପରାଧୀଙ୍କୁ ଧରି ପାରିନଥିବା ପୋଲିସର ପାରଦର୍ଶିତାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆରକ୍ଷୀ ଅଧୀକ୍ଷକ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

1 × two =