ବାଇକ ଡିକି ଭାଙ୍ଗି ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟ

0 2,316

ବୌଦ୍ଧ,୩୦/୧ – ବୌଦ୍ଧ ଜିଲ୍ଲାରେ ଅପରାଧିକ ମାମଲା ବଢି ବଢି ଚାଲିଛି । ଗତକାଲି ଅପରାହ୍ନରେ ବାଇକ ଡିକି ଭାଙ୍ଗି ଲୁଟେରାମାନେ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମର ଜଗଦୀଶ ମେହେର ବୌଦ୍ଧସ୍ଥିତ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଶାଖାରୁ ୩ ଲକ୍ଷ ୨୦ ହଜାର ଟଙ୍କା ଉଠାଇଥିଲେ । ସମସ୍ତ ଟଙ୍କାକୁ ବାଇକ ଡିକିରେ ରଖି ବୌଦ୍ଧସହର ପୋଡାପଡାରେ ଥିବା ଏକ ସହଜ ଜନସେବା କେନ୍ଦ୍ରକୁ ଯାଇଥିଲେ । ଦୋକାନ ସାମ୍ନାରେ ବାଇକ ରଖି କୌଣସି କାମରେ ଭିତରକୁ ଯାଇଥିବାବେଳେ ତାଙ୍କୁ ପିଛା କରୁଥିବା ଲୁଟେରା ଡିକି ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ମଧ୍ୟାହ୍ନ ସମୟରେ ଉକ୍ତ ଘଟଣା ଘଟିଥିଲେ ମଧ୍ୟ ଗତକାଲି ସନ୍ଧ୍ୟାରେ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି । ପୋଲିସ ଅଭିଯୋଗ ପାଇବାପରେ ତଦନ୍ତ କରୁଥିବା ଜଣାପଡିଛି । ବୌଦ୍ଧ ସହରରେ ପି.ସି.ଆର. ଭେନ ବିଭିନ୍ନ ପ୍ରମୁଖ ବ୍ୟାଙ୍କ ଆଗରେ ପଇଁତରା ମାରୁଥିଲେ ମଧ୍ୟ ଲୋକେ ଟଙ୍କା ଉଠାଇ ବାଇକ ଡିକିରେ ରଖି ଅନ୍ୟ କାମରେ ଯାଉଥିବାରୁ ଲୁଟେରା ମାନଙ୍କ ଶିକାର ହେଉଥିବା ଆଲୋଚନା ହେଉଛି । ବାରମ୍ବାର ବାଇକ ଡିକି ଭାଙ୍ଗି ଲୁଟେରାମାନେ ଲୁଟ କରୁଥିବା ବେଳେ ଲୋକେ ସଚେତନ ହେବା ପରିବର୍ତ୍ତେ ବାଇକ ଡିକିରେ ପଇସା ରଖିବା ଭଳି ଭୁଲ୍‌ କରି ଚାଲିଥିବାରୁ ସହଜରେ ଲୁଟର ଶିକାର ହେଉଥିବା ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

18 + 3 =