ସାରବଣ୍ଟନରେ ଅନିୟମିତତା, ୫ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ ଓ ୬ ଡୀଲରଙ୍କ ଲାଇସେନ୍ସ ରଦ୍ଦ

0 3,337

ବୌଦ୍ଧ,୩୦/୮ – ଜିଲ୍ଲାରେ ସାର ବଣ୍ଟନରେ ଅନିୟମିତତା କରିଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୫ ଗୋଟି ସେବା ସମବାୟ ସମିତିର ସମ୍ପାଦକଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହ ଜଣେ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି । ସେହିପରି ୬ ଜଣ ପ୍ରାଇଭେଟ ସାର ରିଟେଲରଙ୍କ ଲାଇସେନ୍ସ ରଦ୍ଦ କରିଥିବା ମଧ୍ୟ ଜଣାପଡିଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଇଥିବା ସୂଚନା ଅନୁଯାୟୀ ମୁଣ୍ଡିପଦର, ମନୁପାଲି, ବାମଣ୍ଡା, ବିଲାସପୁର ଓ ଲମ୍ବସରୀ ସେବା ସମବାୟ ସମିତିର ସମ୍ପାଦକ ମାନଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିବା ସହ ଆଡେନିଗଡ ସମିତି ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି । ସେହିପରି ପ୍ରାଇଭେଟ ସାର ରିଟେଲର ଲକ୍ଷ୍ମଣ ନାଏକ , ଦୂର୍ଗା ପ୍ରସାଦ (ବଘିଆପଡା), ମୋହନ ସାହୁ,ଚନ୍ଦ୍ରପୁର, ତ୍ରିନାଥ ମେହେର, ସାହାଜପାଲ, ସଦାନନ୍ଦ ଜେନା, ରଇଠାଣି, ବିରଞ୍ଚି ମିଶ୍ର, ଖଟଖଟିଆ ଓ ବସନ୍ତ କୁମାର୍‌ ସାହୁ, କଣ୍ଟାମାଳଙ୍କ ସାର ରିଟେଲର ଲାଇସେନ୍ସକୁ ଜିଲ୍ଲାପାଳ ରଦ୍ଦ କରିଥିବା ସୂଚନା ମିଳିଛି । ଉକ୍ତ ସମ୍ପାଦକ ଓ ପ୍ରାଇଭେଟ ସାର ରିଟେଲରମାନେ ଜଣେ ଜଣେ ଲୋକଙ୍କ ନାମରେ ୫୦ ବସ୍ତା କିମ୍ବା ତା ଠାରୁ ଅଧିକ ବସ୍ତା ସାର ବିକ୍ରୀ କରିଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ସରକାରଙ୍କ କୃଷି ବିଭାଗ ପ୍ରତି ଜିଲ୍ଲାର ଅଧିକ ସାର କିଣିଥିବା ୨୦ ଜଣ ଚାଷୀ ଓ ଡିଲର ମାନଙ୍କ ନାମ ତଦନ୍ତ କରିବା ପାଇଁ ସବୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ସହକାରୀ ନିବନ୍ଧକ ସମବାୟ ସମିତି ସମୁହଙ୍କୁ ନେଇ ଜିଲ୍ଲାରେ ଏକ କମିଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା । ସାର ବିକ୍ରୀରେ ଅନିୟମିତତା ଥିବା ଏବଂ ସମ୍ପୃକ୍ତ ସମ୍ପାଦକ ଓ ରିଟେଲର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କମିଟି ଜିଲାପାଲଙ୍କୁ ସୁପାରିଶ କରିଥିଲା । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କମିଟିର ସୁପାରିଶ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନକୁ ଚାଷୀ ମହଲରେ ସ୍ୱାଗତ କରାଯିବା ସହ ସାର କଳାବଜାରୀ ମାନଙ୍କ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − four =