ବୌଦ୍ଧରେ ବିଶ୍ୱ ଏଡ୍‌ସ ଦିବସ ପାଳିତ :
ସଚେତନତା ଓ ସତର୍କତା ବଳରେ ଏଡ୍‌ସକୁ ରୋକିହେବ

0 49

ବୌଦ୍ଧ, ୧/୧୨ (ହୀ.ପ୍ର): ଆଇସିଟିସି ଓ ଡିଏସ୍‌ଆରସିର ମିଳିତ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲାରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ବିରାଟ ଶୋଭାଯାତ୍ରା ବିଭିନ୍ନ ବିଶ୍ୱବିଦ୍ୟାଳୟର ଏନ୍‌ସିସି,ଆରଆରସି, ଏନ୍‌ୱାଇକେ, ଏଏସଏସ, ସ୍କାଉଟ ଓ ଗାଇଡ ଓ ଆଶାସାଥିମାନଙ୍କୁ ନେଇ ସହରର ବିଭିନ୍ନ ସ୍ଥାନ ଦେଇ ଟାଉନ୍‌ହଲ ଠାରେ ପହଞ୍ଚିଥିଲା । ସମସ୍ତଙ୍କ ହାତରେ ଥିବା ପ୍ଲାକାର୍ଡ ଓ ବ୍ୟାନରରେ ଏଚଆଇଭିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଲୋଗାନ ରହିବା ସହ ମାଇକ ଦ୍ୱାରା ତାହାର ପ୍ରଚାର କରାଯାଇଥିଲା । ଟାଉନହଲରେ ରେଡ୍‌ ରିବନ ସପ୍‌ରେ ସମସ୍ତ ଛାତ୍ରଛାତ୍ରୀ ଛିଡା ହୋଇ ଶପଥ ପାଠ କରିଥିଲେ । ଏହାପରେ ଜିଳ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସାଧାରଣସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ କହିଥିଲେ ଯେ ଏଚଆଇଭି ଆକ୍ରାନ୍ତ ତଥା ଅନାଥ ଶିଶୁଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଏକ ଅନାଥ ଆଶ୍ରମ ଖୋଲାଯାଇଛି । ଏହି ମାଧ୍ୟମରେ ଆମେ ଗରିବ ଲୋକଙ୍କୁ ସାହାଯ୍ୟ କରିପାରିବା । ଅନ୍ୟତମ ଅତିଥି ଡିପିଏଚଓ ମଦନ ମୋହନ ପ୍ରଧାନ ଆଜି ଦିନର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଜି ବିଶ୍ୱରେ ଏଡ୍‌ସର ଭୟାବହତା କମିକମି ଆସୁଥିବା ସେ କହିଥିଲେ । ଏଚଆଇଭି/ଏଡ୍‌ସ ଓ ଟିବିର ବିଷୟରେ ଜିଲ୍ଲାର ଜନସ୍ୱାସ୍ଥ୍ୟ ଅଧିକାରୀ(ଟିବି) ଆଲୋକପାତ କରିଥିଲେ । ଜିଲ୍ଲାର ନାଗରିକମାନଙ୍କ ଏଚ୍‌ଆଇଭି ରକ୍ତ ପରୀକ୍ଷା କରି ନିଜର ସ୍ଥିତି ଜାଣିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ସଭାରେ ଅନ୍ୟତମ ଅତିଥି ଡା. ସଂଘମିତ୍ରା ପଣ୍ଡା ଛୋଟ ପିଲାଙ୍କୁ କିପରି ଏଡ୍‌ସ ନ ବ୍ୟାପିବ,ସେନେଇ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ବଟାନୀ ବିଭାଗର ଅଧ୍ୟାପକ ତଥା ଯୁବ ରେଡକ୍ରସର ସମ୍ପାଦକ ଡା. ପ୍ରବିର ଦାସ ଜିଲ୍ଲାରେ ଏଚଆଇଭି ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ । ଯୁବକମାନେ ଚାହିଁଲେ ଏହି ରୋଗକୁ ପ୍ରତିହତ କରିପାରିବେ ବୋଲି ସେ କହିଥିଲେ । ଏଚଆଇଭି ପରାମର୍ଶଦାତା ବନୋଜ କୁମାର ପ୍ରଧାନ ଏଡ୍‌ସର ହେଲ୍ପ ଲାଇନ ନଂ-୧୦୯୭ର ବହୁଳ ବ୍ୟବହାର ଏବଂ ଏଚଆଇଭି/ଏଡ୍‌ସ ସମ୍ବନ୍ଧରେ ଜ୍ଞାନ ଆହରଣ କରିବାପାଇଁ ପରାମର୍ଶ କରିଥିଲେ । ୧୪ରୁ ୪୯ବର୍ଷ ବୟସ୍କ ବ୍ୟକ୍ତିବିଶେଷ ଏହି ରୋଗର ଅଧିକ ଶିକାର ହେଉଛନ୍ତି । ଏନ୍‌ଏଚଏମ,ଡିପିଏମ ଡ. ରୁପକ ମହାପାତ୍ର ବିଷ ବଳୟରେ ବିଶ୍ୱର ଯୁବପିଢି ଅଛନ୍ତି ବୋଲି ମତ ଦେଇଥିଲେ । ସଭା ଆରମ୍ଭରେ ଡିଏସଆରସିର ପରାମର୍ଶଦାତା ପ୍ରମୋଦ ମହାରଣା ସ୍ୱାଗତ ଭାଷଣ ଦେବାସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଆଇସିଟିସିର ମେଡିକାଲ ଅଫିସର ଡ. ରଶ୍ମି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ମହାବିଦ୍ୟାଳୟ ମାନଙ୍କରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × 1 =